ଓଡିଶା

odisha

ବର୍ଷେ ତଳେ ମାଗିଥିଲେ ଇଚ୍ଛା ମୃତ୍ୟୁ, ଏବେ ଖୋଜୁଛନ୍ତି ବଞ୍ଚିବାର ରାହା

By

Published : Jan 4, 2023, 12:17 PM IST

ଶାରୀରିକ ଅକ୍ଷମ ଭାବେ ବଞ୍ଚିବାକୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସାହାରା ନେବାକୁ ଗୁହାରି କରିଛନ୍ତି ଅନିଲ । ଅଧିକ ପଢନ୍ତୁ

Anil meet to kalahandi collector
Anil meet to kalahandi collector

Anil meets kalahandi collector

ଭବାନୀପାଟଣା:ଏକ ଭୟଙ୍କର ଦୁର୍ଘଟଣା ପରେ ଭାଙ୍ଗି ପଡିଥିଲେ ଅନିଲ । ବହୁ ଚିକିତ୍ସା ଓ ପ୍ରଚୁର ଅର୍ଥ ଖର୍ଚ୍ଚ ପରେ ବି ଶରୀର ତ’ ଭଲ ହେଲା ନାହିଁ ବରଂ ଅଣ୍ଟାରୁ ତଳକୁ ସଂପୂର୍ଣ୍ଣ ଭାବେ ସବୁଦିନ ପାଇଁ ଅଚଳ ହୋଇଯାଇଥିଲେ । ଏପଟେ ଚିକିତ୍ସାରେ ଜମିବାଡ଼ି, ଘରଦ୍ଵାର ବନ୍ଧା ପଡ଼ିଗଲା । ଯୁବକ ବୟସରେ ବୃଦ୍ଧ ବାପା ମାଆଙ୍କୁ ପୋଷିବା ତ ଦୂରର କଥା ଓଲଟି ସେମାନଙ୍କ ଉପରେ ବୋଝ ପାଲଟିଥିଲେ । ଏହାଛଡା ଯନ୍ତ୍ରଣାର ଦୁର୍ବିସହ ଜୀବନ ବଞ୍ଚିବା ଅପେକ୍ଷା ମୃତ୍ୟୁକୁ ଆଦରି ନେବାକୁ ବର୍ଷକ ତଳେ କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ମାଦିଗୁଡ଼ା ପଞ୍ଚାୟତ ଚିକିଲି ଗାଁର ଅନିଲ ଶିଖା ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ଆବେଦନ କରିଥିଲେ । ଏ ସଂପର୍କରେ ଗଣମାଧ୍ୟମରେ ପ୍ରସାରିତ ହେବାପରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟବିଭାଗ ଚେତିବା ସହିତ ତାଙ୍କ ଚିକିତ୍ସା ପାଇଁ କିଛିଟା ପଦକ୍ଷେପ ନେଇଥିଲେ । ହେଲେ ତାହା ସଫଳ ହୋଇପାରି ନଥିଲା । ଏବେ କିନ୍ତୁ ମନ ବଦଳାଇଛନ୍ତି ଅନିଲ । କହିଛନ୍ତି ମୁଁ ବଞ୍ଚିବାକୁ ଚାହେଁ ।

ଅନ୍ୟପଟେ ନ୍ୟାୟ ନ ପାଇ ଅନିଲ ଓଡ଼ିଶା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହେଲେ କୋର୍ଟ ମଧ୍ୟ ତାଙ୍କୁ ନିରାଶ କରିଥିଲେ । ଅପରପକ୍ଷରେ ତାଙ୍କର ଚିକିତ୍ସା ଖର୍ଚ୍ଚ ବଢ଼ି ଚାଲିଥିବା ବେଳେ ସେ ବଞ୍ଚିବା ଆଶା ବି ଛାଡ଼ି ଦେଇଥିଲେ । ତେବେ ନବବର୍ଷରେ ସେ ନିଜର ମନ ପରିବର୍ତ୍ତନ କରିବା ସହିତ ମରିଯିବା ଅପେକ୍ଷା ଯନ୍ତ୍ରଣା ଜର୍ଜରିତ ଜୀବନ ଜୀଇଁବା ଓ ଜୀବନ ସହିତ ସଂଘର୍ଷ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ତେବେ ଶାରୀରିକ ଅକ୍ଷମ ଭାବେ ବଞ୍ଚିବାକୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସାହାରା ନେବାକୁ ଗୁହାରି କରିଛନ୍ତି । ଏନେଇ ସେ ଗତକାଲି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ଅନିଲ।

ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏଥର ଇଚ୍ଛାମୃତ୍ୟୁ ନୁହେଁ, ମୋତେ ବଞ୍ଚିବାକୁ ଦିଅ, ବଞ୍ଚିବାର ରାହା ଦେଖାଇ ଦିଅ ବୋଲି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କୁ ଗୁହାରି କରିଥିଲେ । ଏପରିକି ମୋର ବୟସ ମାତ୍ର ୩୦ ହୋଇଥିବା ବେଳେ ଏହି ବୟସରେ ମୋର ସମସ୍ତ ନିତ୍ୟକର୍ମ ପାଇଁ ମୋର ବୃଦ୍ଧ ବାପାମାଆଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ଖଟିଆରେ ପଡ଼ି ରହି ଯମଯନ୍ତ୍ରଣା ଭୋଗିବା ଅପେକ୍ଷା ମରିଯିବାକୁ ହିଁ ଏକମାତ୍ର ଉପାୟ ବୋଲି ନିରାଶ ହୋଇ ଭାବିଥିଲେ । ଏପରିକି ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି କିନ୍ତୁ ତାହା ବି ସମାଧାନ ହେଲା ନାହିଁ । ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମୋର ଚିକିତ୍ସା ପାଇଁ ବ୍ୟବସ୍ଥା କରିଦେଇଥିଲେ କିନ୍ତୁ ବିଶାଖାପାଟଣା ମେଡିକଭର ହସ୍ପିଟାଲ୍ ବି ଚିକିତ୍ସା ସମ୍ଭବ ନୁହେଁ ବୋଲି ଫେରାଇ ଦେଲେ । ବର୍ତ୍ତମାନ ପରିସ୍ଥିତିରେ ମୁଁ ନିରାଶ ହୋଇ ମରିବା ଅପେକ୍ଷା ବଞ୍ଚିବାକୁ ଚାହୁଁଛି ବୋଲି ଅନୁରୋଧ କରିଛନ୍ତି ଅନିଲ ।

ତାଙ୍କ ନାମରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସିଥିବା ବେଳେ ଜାଗା ଅଭାବରୁ ଏହା ତିଆରି କରିବାରେ ସମସ୍ୟା ହେଉଛି। ଏଣୁ ଗାଁର ରାସ୍ତାକଡ଼ରେ ଏକ ଘରଡିହ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ସେହିପରି ଘର ନିକଟରେ ମାଗଣାରେ ନଳକୂଅ ଖନନ କିମ୍ବା ପାଣି ପାଇପ୍ ସଂଯୋଗ, ବିଦ୍ୟୁତ ସଂଯୋଗର ସୁବିଧା କରାଇ ଦେବାକୁ ନିବେଦନ କରିଛନ୍ତି । ମାସିକ ଚିକିତ୍ସା ଔଷଧ, ୟୁରିନ୍ କ୍ୟାଥେଡର, ୟୁରିନ୍ ବ୍ୟାଗ୍, ଜେଲି, କ୍ୟାଣ୍ଡିଡ ପାଉଡର, ବେଡ୍ ସୋର୍ ପାଇଁ ଔଷଧ ପାଇଁ ପାଞ୍ଚ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଥିପାଇଁ ଆର୍ଥିକ ସହାୟତା,ଏକ ଇଲେକ୍ଟ୍ରିକ୍ ସ୍ଟିଲ୍ ଚେୟାର ଯୋଗାଇ ଦେବା,ଜୀବନଯାପନ କରିବାକୁ ତଥା ଏକ ଦୋକାନ ଖୋଲିବାକୁ ଅଗ୍ରାଧିକାର ଭିତ୍ତିରେ ବ୍ୟାଙ୍କ ଋଣସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

ଦାବିପତ୍ର ଗ୍ରହଣ ପରେ ଜିଲ୍ଲାପାଳ ସଦର ତହସିଲଦାର ଓବିଡିଓଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେବଳ ସରକାର କିମ୍ବା ପ୍ରଶାସନ ନୁହେଁ କୌଣସି ସହୃଦୟ ବ୍ୟକ୍ତି ବିଶେଷ କିମ୍ବା ଦାତବ୍ୟସଂସ୍ଥା ତାଙ୍କ ପ୍ରତି ସହାୟତାର ହାତ ବଢ଼ାଇବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details