ଓଡିଶା

odisha

ପୁଣି ଅଶାନ୍ତ ପାଲଟିଲା ଗଞ୍ଜାମ, 24 ଘଣ୍ଟାରେ ଗଡ଼ିଲା ଦୁଇଟି ମୁଣ୍ଡ

By ETV Bharat Odisha Team

Published : Sep 29, 2023, 7:37 PM IST

Updated : Sep 29, 2023, 10:22 PM IST

ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ 24 ଘଣ୍ଟା ଭିତରେ 2ଟି ହତ୍ୟାକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ଅଧିକ ପଢନ୍ତୁ

series murder in ganjam
ପୁଣି ଅଶାନ୍ତ ପାଲଟିଲା ଗଞ୍ଜାମ

ପୁଣି ଅଶାନ୍ତ ପାଲଟିଲା ଗଞ୍ଜାମ


ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି । ଗୋଟିଏ ରାତିରେ ଗଡିଲା ଦୁଇ ଦୁଇଟି ମୁଣ୍ଡ । ଅପରାଧୀମାନେ ସକ୍ରିୟ ହେବା ସହ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି । କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନୀଲ ନାହାକ ନାମକ ଜଣେ ଯୁବକକୁ ହତ୍ୟା କରାଯାଇଛି । ଗତ କିଛି ମାସ ଧରି ଜିଲ୍ଲାରେ ସିରିଜ୍ ହତ୍ଯାକାଣ୍ଡ ଘଟି ଚାଲିଥିବାବେଳେ ଜିଲ୍ଲା ପୋଲିସର ଦକ୍ଷତାକୁ ଉପରେ ପ୍ରଶ୍ନ ଉଠିଛି ।

ଆଗାମୀ ସାଧାରଣ ନିର୍ବାଚନ ପୂ୍ର୍ବରୁ ପୁଣି ଧିରେ ଧିରେ ଅଶାନ୍ତ ହେବାରେ ଲାଗିଛି ଗଞ୍ଜାମ ଜିଲ୍ଲା । ଗତ ୨୪ ଘଣ୍ଟା ଦୁଇଟି ଅଞ୍ଚଳରେ ଘଟିଯାଇଛି ଜଘନ୍ଯ ହତ୍ଯାକାଣ୍ଡ । ସୂଚନା ଅନୁସାରେ, ଆସିକା ବ୍ଲକ୍ ଅଧ୍ୟକ୍ଷାଙ୍କ ଦେଢଶୁରଙ୍କୁ କୋଦଳା ଥାନା ଅନ୍ତର୍ଗତ ଦାନପୁର ଗାଁରେ ଭୋଜିରେ ବସିଥିବାବେଳେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଯେଉଁଥିରେ ତାଙ୍କର ମୃତ୍ଯୁ ଘଟିଥିବାବେଳେ ଧରାକୋଟ ଥାନା ବାରୀଗୁଡା ଗାଁରେ ଗୁରୁବାର ରାତିରେ ଘଟିଛି ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ । ରାତିରେ ଗଣେଶ ପୂଜା ଭୋଜି ଖାଇବାକୁ ବସିଥିବାବେଳେ ଠେଙ୍ଗା, ଲୁହା ରଡ ସାଙ୍ଗକୁ ଛୁରୀରେ ସଂଘବଦ୍ଧ ଆକ୍ରମଣ ସହିତ ମୁଣ୍ଡକୁ ପଥରରେ ଛେଚି ସୁନିଲ ନାହାକ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି ।

ସୁନିଲଙ୍କ ନାମରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଜାରି ରଖିଛି । ତେବେ ସୁନିଲ ଆସିକା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକଙ୍କ ଦେଢଶୁର ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ବରଗାଁର ସୁନିଲ ଗଣେଶ ପୂଜା ଭୋଜିରେ ଯୋଗ ଦେବାକୁ ଦାନପୁର ଗାଁ ଆସିଥିଲେ । ସେଠାରେ କିଛି ଯୁବକଙ୍କ ସହିତ ତାଙ୍କର ପ୍ରଥମେ ବଚସା ହୋଇଥିଲା । ସେହି ଯୁବକମାନେ ସୁନିଲଙ୍କ ଉପରେ ପୂର୍ବ ଯୋଜନା ଅନୁସାରେ ସଂଘବଦ୍ଧ ଆକ୍ରମଣ କରିବା ସହିତ ତାଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ସୁନିଲଙ୍କ ମୃତ୍ୟୁ ଘଟିଛି ।

ଏହା ବି ପଢନ୍ତୁ...ଗୁଳିମାଡ଼ରେ ଯୁବକ ମୃତ, ସମିତି ସଭ୍ୟ ହତ୍ୟା ମାମଲାର ଥିଲା ମୁଖ୍ୟ ଅଭିଯୁକ୍ତ

ପୋଲିସ ସୁନିଲଙ୍କ ମୃତଦେହ ଜବତ କରିବା ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ରକ୍ତଭିଜା ଛୁରୀ ସହିତ ଲୁହାରଡ ଓ ଠେଙ୍ଗା ଆଦି ଜବତ ହୋଇଛି । ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହେବା ପରେ ସୁନିଲ ଗତ କିଛି ମାସ ତଳେ ଜେଲରୁ ବାହାରିଥିଲେ । ସୁନୀଲଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ ଓ ଦାଦାବଟି ଭଳି ଏକାଧିକ ଅପରାଧିକ ମାମଲା ବିଚାରାଧୀନ ରହିଛି । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ସେପଟେ ଧରାକୋଟ ଥାନା ଅନ୍ତର୍ଗତ ବାରିଗୁଡା ଗ୍ରାମର ଅନିଲ ମହାନ୍ତି ଓରଫ କୋକୋଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅନିଲ ସକାଳୁ ଉଖୁଡ଼ାପଟା ଗାଁରୁ ଫେରୁଥିବାବେଳେ ସଂଘବଦ୍ଧ ଭାବରେ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ତାଙ୍କ ମୃତଦେହ ନିକଟରେ ଧାରୁଆ ଅସ୍ତ୍ର ପଡିଥିବା ଦେଖିବାକୁ ମିଳିଛି । ଅନିଲଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଘଟଣାସ୍ଥଳରେ ଧରାକୋଟ ପୋଲିସ ଆସିକା ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସମେତ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Sep 29, 2023, 10:22 PM IST

ABOUT THE AUTHOR

...view details