କଟକ:କଟକ ବାଲିଯାତ୍ରାରେ ହେବ ଟିକସଦାତା ଶିବିର ବା ଇନକମ୍ ଟ୍ୟାକ୍ସ ହବ୍ । ଯେଉଁଥିରେ ଆୟକର ରିଟର୍ଣ୍ଣ ସମ୍ବନ୍ଧରେ ସରଳ ଉପାୟରେ ଜନସାଧାରଣଙ୍କୁ କରାଯିବ ସଚେତନ । ତେବେ ଅକ୍ଷୟ ମହାନ୍ତି ମଞ୍ଚ ସମ୍ମୁଖରେ ହେବ ଏହି ଇନକମ୍ ଟ୍ୟାକ୍ସ ହବ । ଲିଫଲେଟ, ବୋର୍ଡ ଗେମ୍, ବ୍ୟଙ୍ଗାତ୍ମକ ପୁସ୍ତକ ମାଧ୍ୟମରେ ବର୍ତ୍ତମାନ ଓ ଭବିଷ୍ୟତର ଟିକସଦାତାଙ୍କୁ ଆୟକର ରିଟର୍ଣ୍ଣ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯିବ । ଏନେଇ ଆୟକର ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟକର ବିଭାଗର ପ୍ରମୁଖ ଆୟୁକ୍ତ ।
ତେବେ ଆସନ୍ତା ୨୭ ତାରିଖରେ କଟକ ଅନୁଷ୍ଠିତ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । ଆଉ ଏଥିରେ ପ୍ରଥମ ଥର ପାଇଁ ଏପରି ପ୍ରୟାସ ଆରମ୍ଭ କରିବାକୁ ଯାଉଛି ଆୟକର ବିଭାଗ । ଟ୍ୟାକ୍ସ ହବ୍ରେ ପ୍ରମୁଖ ତିନୋଟି କେନ୍ଦ୍ର ସ୍ଥାପନ କରାଯିବ । କେବେ ଏବଂ କେଉଁ ସମୟରେ ଆୟକର ଦାଖଲ କରିବା ଓ ଏଥିରେ ଥିବ ବିଭିନ୍ନ ନିୟମାବଳୀ ସମ୍ବନ୍ଧରେ ଏହି ହବ୍ରେ ଜନସାଧାରଣଙ୍କୁ ଅବଗତ କରାଯିବ। ଜନସାଧାରଣଙ୍କଠାରୁ ସଂଗୃହିତ ହେବାକୁ ଥିବା ଟ୍ୟାକ୍ସ ସଡକ, ରେଳବାଇ, ପୋଲ, ଡ୍ୟାମ, ଜନସ୍ବାସ୍ଥ୍ୟ ସେବା, ଶିକ୍ଷା, ପ୍ରତିରକ୍ଷା ଓ ଜନସେବା ଇତ୍ୟାଦି ନିର୍ମାଣ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି କହିଛନ୍ତି ପ୍ରମୁଖ ଆୟୁକ୍ତ ।