ଓଡିଶା

odisha

ବୌଦ୍ଧରେ ପଥପ୍ରାନ୍ତ ବନୀକରଣ ଫେଲ୍; ମୁଣ୍ଡଫଟା ଖରାରେ ଅସ୍ତବ୍ୟସ୍ତ ଜନଜୀବନ

By

Published : May 17, 2023, 9:20 AM IST

ବୌଦ୍ଧରେ ଦିଗହରା ପଥପ୍ରାନ୍ତ ବନୀକରଣ । ମୁଣ୍ଡଫଟା ଖରାରେ ଗଛ ଛାଇ ଟିକିଏ ପାଇବା ପଥଚାରୀମାନଙ୍କ ପାଇଁ ହୋଇଛି ସ୍ବପ୍ନ । ଅଧିକ ପଢନ୍ତୁ

ବୌଦ୍ଧରେ ପଥପ୍ରାନ୍ତ ବନୀକରଣ ଫେଲ୍
ବୌଦ୍ଧରେ ପଥପ୍ରାନ୍ତ ବନୀକରଣ ଫେଲ୍

ମୁଣ୍ଡଫଟା ଖରାରେ ଅସ୍ତବ୍ୟସ୍ତ ଜନଜୀବନ

ବୌଦ୍ଧ:ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆକାଶରୁ ଅଗ୍ନି ବର୍ଷୁଛି । ମୁଣ୍ଡଫଟା ଖରା ଯୋଗୁଁ ଜରୁରୀ ନଥିଲେ ଲୋକେ ଘରୁ ଗୋଡ କାଢୁ ନାହାନ୍ତି । ଅନେକ ସ୍ଥାନରେ ଜଳଉତ୍ସରେ ଜଳ ସଙ୍କଟ ପରିଲକ୍ଷିତ ହେଉଛି । ଏପରି ସ୍ଥଳେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ବନୀକରଣ ଫେଲ ମାରିଥିବା ଅଭିଯୋଗ ହୋଇଛି । ବନୀକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଅଧିକାଂଶ ଗଛ ମରି ଶୁଖିଗଲାଣି । କେବଳ ଶୁଖିଲା ଗଛକୁ ବାଡ ଜଗି ରହିଛି । ତେଣୁ ଖରାରୁ ଆଶ୍ବସ୍ତି ପାଇଁ ପଥଚାରୀମାନେ ଗଛ ଛାଇ ଟିକିଏ ପାଇବା ସ୍ବପ୍ନ ହୋଇଛି ।

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ହରଭଙ୍ଗା ପର୍ଯ୍ୟନ୍ତ ଥିବା ପୁରୁଣା ଜଗନ୍ନାଥ ସଡ଼କର ଦୁଇ ପାର୍ଶ୍ଵରେ ଗଛ ଛାଇ ଟିକିଏ ଦେଖିବାକୁ ମିଳୁନି । କିଛି ବର୍ଷ ତଳେ ଏହି ସ୍ଥାନରେ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଉଭୟ ପାର୍ଶ୍ଵରେ ଥିବା ଶହ ଶହ ବର୍ଷର ପୁରୁଣା ଗଛକୁ କାଟି ଦିଆଗଲା । କିନ୍ତୁ ନୂତନ ଗଛ ଲଗାଇବାକୁ ସମସ୍ତେ ଯେପରି ଭୁଲିଗଲେ । ଜଗନ୍ନାଥ ସଡକର ସାମ୍ପୋଚ ଛକ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଟାଏଁଟାଏଁ ଖରାରେ ଲୋକେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ଆଉ ଯେଉଁ କେତେକ ସ୍ଥାନରେ ପଥପ୍ରାନ୍ତ ବନୀକରଣ କାର୍ଯ୍ୟ ହୋଇଛି ତା' ମଧ୍ୟରୁ ଅଧିକାଂଶ ସ୍ଥାନରେ ରକ୍ଷଣାବେକ୍ଷଣ ଅଭାବରୁ ଗଛଗୁଡିକ ମରି ସାରିଲାଣି । ଖରାର ପ୍ରକୋପରେ ଅନେକ ଗଛ ଜଳିପୋଡ଼ି ଯାଇଥିବା ବେଳେ ମଲା ଗଛଗୁଡିକୁ କେବଳ ବାଡଗୁଡିକ ଜଗିଥିବା ଦେଖାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀରୁ ତଳକୁ ଖସିବାର ନାଁ ଧରୁନି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତର ଅନେକ ସ୍ଥାନରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି । ଅନେକ ସ୍ଥାନରେ ନଳକୂପ ଅଚଳ ହୋଇ ପଡିଥିବା ସହିତ ଓଭରହେଡ ଟାଙ୍କି ଓ ସୋଲାର ପ୍ରକଳ୍ପ ମଧ୍ୟ ଅଚଳ ହୋଇପଡି ରହିଛି । ବିଭିନ୍ନ ସ୍ଥାନରେ ଜଳସ୍ତର ହ୍ରାସ ଯୋଗୁଁ ଜଳଯୋଗାଣ ଠିକ୍‌ରେ ହୋଇ ପାରୁନାହିଁ । ଏଭଳି ପରିସ୍ଥିତିରେ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଅପରିଷ୍କାର ଚୂଆପାଣି ଲୋକଙ୍କ ଏକମାତ୍ର ଭରସା ପାଲଟିଛି । ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥିତ କରିବା ପାଇଁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ପରିସ୍ଥିତି ଏପରି ଯେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ମାଉଳିସିଙ୍ଗାରେ ଟ୍ୟାଙ୍କର ଯୋଗେ ଗ୍ରାମବାସୀଙ୍କୁ ପଞ୍ଚାୟତ ପକ୍ଷରୁ ଜଳଯୋଗାଣ କରାଯାଉଛି ।

ସେହିପରି ବୌଦ୍ଧ ସହରରେ ବିଭିନ୍ନ ସ୍ଥାନରେ ନୂତନ ଭାବରେ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଖରାଦିନରେ ଲୋକଙ୍କ କାମରେ ଲାଗୁନାହିଁ । ପ୍ରକଳ୍ପଗୁଡିକ କେବଳ ଉଦଘାଟନ ଅପେକ୍ଷାରେ ରହିଛି । ପାନୀୟ ଜଳ ଯୋଗାଣକୁ ବ୍ୟବସ୍ଥିତ କରାଯିବା ତଥା ବୌଦ୍ଧକୁ ଗ୍ରାମାଞ୍ଚଳରୁ ଆସୁଥିବା ଲୋକଙ୍କୁ ଥଣ୍ଡା ପାଣି ଯୋଗାଇ ଦେବାକୁ ଅନେକ ସ୍ଥାନରେ ଅସ୍ଥାୟୀ କେନ୍ଦ୍ର ଖୋଲାଯାଇ ଥିବାବେଳେ ଖାସ୍ କରି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି କେନ୍ଦ୍ରରେ ଟାଏଁ ଟାଏଁ ଖରାରେ ଗରମ ପାଣି ମିଳୁଥିବାରୁ ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details