ଭଦ୍ରକ: ରାସ୍ତାକଡରୁ ସ୍ବାସ୍ଥ୍ୟକର୍ମୀଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଦୋବଲ ପଞ୍ଚାୟତ ଅନ୍ତର୍ଗତ ରାଣୀ ପୋଖରୀ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର କମଳ ଲୋଚନ ସାହୁଙ୍କ ପୁଅ ବସନ୍ତ କୁମାର ସାହୁ । ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ବନ୍ଧଟିଆ ଉପକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ଥିଲେ ।
ସୂଚନା ମୁତାବକ, କୌଣସି କାମରେ ବସନ୍ତ ଘରୁ ଯାଇ ଆଉ ଘରକୁ ଫେରି ନ ଥିଲେ । ପରେ ବସନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଧାମନଗର ଥାନାରେ ଅଭିଯୋଗ କରିଛନ୍ତି ବସନ୍ତ ସାହୁଙ୍କ ପରିବାର ଲୋକେ । ଅସୁରାଳି ଅଞ୍ଚଳର ଅଜିତ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର କିଛି ବିବାଦ ରହିଥିଲା । ଯାହାକୁ ଆଧାର କରି ପରିବାର ଲୋକ ଅଜିତ ସାହୁଙ୍କ ନାମରେ ଧାମନଗର ଥାନାରେ ଅଭିଯୋଗ ଆଣିଛନ୍ତି । ଏନେଇ ଘଟଣାରେ ଅଜିତ ସାହୁ ଫେରାର ଥିବାବେଳେ ପୋଲିସ ତାର ସହଯୋଗୀ ଲିଙ୍ଗରାଜକୁ ଅଟକ ରଖିଥିବା ଜଣାପଡିଛି ।
ମୃତକଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ଅସୁରାଳି ଅଞ୍ଚଳର ଅଜିତ ସାହୁଙ୍କ ପତ୍ନୀ ସହ ବସନ୍ତଙ୍କର ସମ୍ପର୍କ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏନେଇ ପୂର୍ବରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ବସନ୍ତଙ୍କୁ ଜୀବନରୁ ମାରିଦେବାକୁ ଅଜିତ ଧମକ ଦେଇଥିଲା । ଯାହାର ପରିଣାମ ସ୍ବରୂପ ଅଜିତ ଏବଂ ତାର ସାଙ୍ଗ ବସନ୍ତଙ୍କୁ ଗାଁର ଲିଙ୍ଗରାଜ ସହ ମିଶି ଉଭୟ ବସନ୍ତଙ୍କୁ ହତ୍ୟା କରିଛନ୍ତି ବୋଲି ଥାନାରେ ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି ।