ଓଡିଶା

odisha

ପେନସନ ପାଇଁ ହନ୍ତସନ୍ତ, 500 ଟଙ୍କା ଭତ୍ତା ପାଇଁ 300 ଟଙ୍କା ଖର୍ଚ୍ଚ କରୁଛନ୍ତି ହିତାଧିକାରୀ

By ETV Bharat Odisha Team

Published : Sep 23, 2023, 11:47 AM IST

500 ଟଙ୍କା ଭତ୍ତା ପାଇବା ପାଇଁ 300 ଟଙ୍କା ଖର୍ଚ୍ଚ କରୁଛନ୍ତି ହିତାଧିକାରୀ । ଏହାକୁ ନେଇ ଭଦ୍ରକ ବ୍ଲକ ପରିସରରେ ପ୍ରଦିବାଦ କରିଛନ୍ତି ହିତାଧିକାରୀ । ଅଧିକ ପଢନ୍ତୁ

beneficiaries facing problem
beneficiaries facing problem

beneficiaries facing problem

ଭଦ୍ରକ: ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନାରେ ଭତ୍ତା ବ୍ୟବସ୍ଥା କରିଛନ୍ତି । ହେଲେ ଭତ୍ତା ଟିକକ ପାଇବା ପାଇଁ ଲୋକେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ମଧୁବାବୁ ପେନସନ ଯୋଜନାରେ 500 ଟଙ୍କା ଭତ୍ତା ପାଇବା ପାଇଁ 300 ଟଙ୍କା ଖର୍ଚ୍ଚ କରୁଛନ୍ତି ହିତାଧିକାରୀ । ଏକଥା ଆମେ କହୁନୁ ଏମିତି କିଛି ଅଭିଯୋଗ ଆଣି ପ୍ରତିବାଦ କରିଛନ୍ତି ହିତାଧିକାରୀ । ଭଦ୍ରକ ବ୍ଲକ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ, ବିଧବା, ଶାରୀରିକ ଅକ୍ଷମ, ସ୍ଵାମୀ ପରିତ୍ୟକ୍ତା, ଆର୍ଥିକ ଅନଗ୍ରସର ତଥା ଗରିବ ଶ୍ରେଣୀର ଲୋକ ମାନଙ୍କୁ ସେମାନଙ୍କ ଜୀବନ ଯାପନ କରିବା ପାଇଁ ପ୍ରତି ମାସ 500 ଟଙ୍କା ଭତ୍ତା ବାବଦରେ ପ୍ରଦାନ କରାଯାଇଥାଏ । ତେବେ ଏନେଇ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ମଧ୍ୟ ରାଜ୍ୟ ସରକାର ଜାରି କରିଛନ୍ତି । ଯଦି କେହି ଭତ୍ତା ହିତାଧିକାରୀ କୌଣସି କାରଣ ବଶତଃ ଭତ୍ତା ଆଣିବା ନିମନ୍ତେ ନିର୍ଦ୍ଦିଷ୍ଟ ଭତ୍ତା ଆବଣ୍ଟନ ସ୍ଥଳକୁ ଯିବା ପାଇଁ ଅସମର୍ଥ ହୋଇଥାଏ । ତାହା ହେଲେ ସମ୍ପୃକ୍ତ ହିତାଧିକାରୀଙ୍କୁ 7 ଦିନ ମଧ୍ୟରେ ତାଙ୍କ ରହୁଥିବା ସ୍ଥାନରେ ଭତ୍ତା ଦିଆଯିବାର ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ବାଧ୍ୟ । ଯାହାକୁ ଆଧାର କରି ଏହି ବିବାଦର ସୂତ୍ରପାତ ହୋଇଥିଲା ।

ଭଦ୍ରକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ ନିକଟରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଯାହାକି ଭଦ୍ରକ ବ୍ଲକ ଅନ୍ତର୍ଗତ କେବଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମଧୁବାବୁ ପେନସନ ଯୋଜନାରେ 500 ଟଙ୍କା ଭତ୍ତା ପ୍ରଦାନ କରାଯିବ । ଏହା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଏହି ଭତ୍ତା ପ୍ରଦାନ କରାଯିବନାହିଁ । ତେଣୁ ଏହି ନିଦ୍ଦେର୍ଶନାମା ଜାରି ହେବା ପରେ କୋର୍କରା ଗ୍ରାମ ପଞ୍ଚାୟତର ସମସ୍ତ ହିତାଧିକାରୀ ମାନେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ନେବା ପାଇଁ ଆସିଥିଲେ । ତେବେ ପୂର୍ବରୁ ଏହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତିହିଡ଼ି, ରାଜପୁର, ବରଡ଼ାଡିହ ଆଦି ରାଜସ୍ବ ଗ୍ରାମର ହିତାଧିକାରୀ ମାନଙ୍କୁ ସ୍ଥାନୀୟ ରାଜପୁର ତିହିଡ଼ି କୀର୍ତ୍ତନ ମଣ୍ଡପ ନିକଟରେ ଭତ୍ତା ପ୍ରଦାନ କରାଯାଏ । ଯାହାକି ସେଠାରୁ ପଞ୍ଚାୟତ କାର୍ଯ୍ୟାଳୟ 10 ରୁ 12 କିଲୋ ମିଟର ଦୂରରେ ଅବସ୍ଥିତ । ତେଣୁ ଏହି ନୂତନ ବ୍ୟବସ୍ଥା ଆରମ୍ଭ ହେବା ପରେ ସେଠାକାର ସମସ୍ତ ହିତାଧିକାରୀ ମାନେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଅଟୋ ଯୋଗ ଗଲେ ଅତିକମ୍‌ରେ 300 ଟଙ୍କା ଭଡ଼ା ଦେବାକୁ ପଡୁଛି ।

ଏହା ମଧ୍ୟ ପଢନ୍ତୁ- ଖବର ବାଜିଲା ପରେ ଚେତିଲା ପ୍ରଶାସନ, ଘରେ ବସି ଭତ୍ତା ପାଇବେ ଲବଙ୍ଗ

ଅନ୍ୟ ପକ୍ଷରେ ପ୍ରାୟ ଅଧିକାଂଶ ହିତାଧିକାରୀ ମାନେ ବାର୍ଦ୍ଧକ୍ୟ, ବିଧବା, ଶାରୀରିକ ଅକ୍ଷମ ହୋଇଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏନେଇ ବାରମ୍ବାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ବାଧ୍ୟ ହୋଇ ହିତାଧିକାରୀ ମାନେ ପୂର୍ବତନ ସମିତି ସଭ୍ୟ ତଥା ବର୍ତ୍ତମାନ ସରପଞ୍ଚଙ୍କ ପ୍ରତିନିଧି ଧବଳେଶ୍ଵର ପଣ୍ଡାଙ୍କ ନେତୃତ୍ଵରେ ପୂର୍ବ ପରି ଏହି ଗ୍ରାମ ପଞ୍ଚାୟତ ହିତାଧିକାରୀ ମାନଙ୍କୁ ସ୍ଥାନୀୟ ରାଜପୁର ତିହିଡ଼ି କୀର୍ତ୍ତନ ମଣ୍ଡପ ନିକଟରେ ଭତ୍ତା ପ୍ରଦାନ କରିବା ପାଇଁ ପ୍ରତିବାଦ କରିଛନ୍ତି । ତେବେ ଏନେଇ ସରକାରଙ୍କ ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ ।

ଇଟିିଭି ଭାରତ, ଭଦ୍ରକ

ABOUT THE AUTHOR

...view details