ଓଡିଶା

odisha

ଚର୍ଚ୍ଚାରେ ଅଧ୍ୟାପକଙ୍କ ବିବାହ, ଅତିଥିଙ୍କୁ ବାଣ୍ଟିଲେ ୭୦୦ ପୁସ୍ତକ

By

Published : Jun 2, 2023, 7:47 AM IST

ବଲାଙ୍ଗୀରରେ ଅଧ୍ୟାପକଙ୍କ ନିଆରା ବାହାଘର । ବିବାହରେ ୭୦୦ ପୁସ୍ତକ ବାଣ୍ଟିଲେ ନବ ଦମ୍ପତି । ଅଧିକ ପଢନ୍ତୁ

ବିବାହରେ ୭୦୦ ପୁସ୍ତକ ବାଣ୍ଟିଲେ ଅଧ୍ୟାପକ
ବିବାହରେ ୭୦୦ ପୁସ୍ତକ ବାଣ୍ଟିଲେ ଅଧ୍ୟାପକ

ବିବାହରେ ୭୦୦ ପୁସ୍ତକ ବାଣ୍ଟିଲେ ଅଧ୍ୟାପକ

ବଲାଙ୍ଗୀର: ଚର୍ଚ୍ଚାରେ ବଲାଙ୍ଗୀରର ଅଧ୍ୟାପକଙ୍କ ବାହାଘର । ବାଜିଲାନି ଆଧୁନିକ ଗୀତ, ଡିଜେର ତାଳେ ତାଳେ ନାଚିଲେନି ବରଯାତ୍ରୀ । ପାରମ୍ପରିକ ଗଣ୍ଡା ବଜା ବଜାଇ ବିବାହ ପାଇଁ କନ୍ୟା ଘରେ ପହଞ୍ଚିଲେ ଅଧ୍ୟାପକ ବର । ବିବାହରେ ସାମିଲ ହୋଇଥିବା ଅତିଥିଙ୍କ ବାଣ୍ଟିଲେ ୭୦୦ ପୁସ୍ତକ । ଭାଷା, ସଂସ୍କୃତିର ପ୍ରଚାର ପାଇଁ ଜଣେ ଅଧ୍ୟାପକ ନିଜ ବିବାହରେ ଏଭଳି କିଛି କାର୍ଯ୍ୟ କରି ରାତାରାତି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ବଲାଙ୍ଗୀର ଚୁଡାପଲି ରେଙ୍ଗାଲି ଗ୍ରାମର ଅଧ୍ୟାପକ ଡାକ୍ତର ଜଗନ୍ନାଥ ସାହୁ । ପୁଇଁତଲା ବ୍ଲକ ମହିମୁଣ୍ଡା କଲେଜରେ ଓଡ଼ିଆ ଅଧ୍ୟାପକ ଅଛନ୍ତି । ଗତ ୧୭ ତାରିଖରେ ତାଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ବରଗଡ଼ର ବେବିଙ୍କୁ ବିବାହ କରିଥିଲେ ଏବଂ ପୈତୃକ ଗ୍ରାମ ରେଙ୍ଗାଳିରେ ଦୁହିଁଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକଙ୍କ ବିବାହ ନିମନ୍ତ୍ରଣ ପତ୍ର କୋଷାଳି ଭାଷାରେ ଛପା ଯାଇଥିବା ବେଳେ ସେଥିରେ ଠିକଣା ପାଇଁ ଥିଲା କ୍ୟୁଆର କୋଡ଼ । ଏହାକୁ ସ୍କାନ କଲେ ତାଙ୍କ ଠିକଣା ପ୍ରଦର୍ଶିତ ହେଉଥିଲା । ଜଗନ୍ନାଥଙ୍କ ବିବାହ କାର୍ଯ୍ୟ ଆରମ୍ଭରୁ ଡିଜେ କି ମାଇକ ନୁହେଁ କେବଳ ପାରମ୍ପରିକ ଗଣ୍ଡା ବଜା ବାଜିଥିଲା । ବରଯାତ୍ରୀରେ ମଧ୍ୟ ଆଧୁନିକ ବାଦ୍ୟଯନ୍ତ୍ର ବିନା ପାରମ୍ପରିକ ବାଜାରେ ଝିଅ ଘର ଗାଁ ଦୁଲୁକି ଥିଲା । ଏହି ଦୃଶ୍ୟ ଯିଏ ଦେଖିଲା ପ୍ରଶଂସା ନକରି ରହିପାରିଲା ନାହିଁ ।

ସେହିପରି ଅଧ୍ୟାପକଙ୍କ ଭୋଜିଭାତରେ ଏଠିକାର ପାରମ୍ପରିକ ଶାଳପତ୍ର ତିଆରି ଖଲିରେ ଖାଦ୍ୟ ପରଷା ଯାଇଥିଲା । ଡ. ଜଗନ୍ନାଥ ସାହୁ ଜଣେ ଓଡ଼ିଆ ଅଧ୍ୟାପକ, କବି ଓ ଲେଖକ ହୋଇଥିବା ବେଳେ ନିଜ ବିବାହରେ ସେ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଗଣ୍ୟମାନ୍ୟ କବି ଲେଖଙ୍କ ପ୍ରାୟ ୭୦୦ ପୁସ୍ତକ ଅତିଥିଙ୍କୁ ଉପହାର ଭାବରେ ଦେଇଥିଲେ । ଯାହାମଧ୍ୟରେ କୋଷାଳି କବିତା ଝରିଆଲ ବହି ୧୫୦ ଖଣ୍ଡ, ଆଧୁନିକ ସମ୍ବଲପୁରୀ କବିତା ସାହିତ୍ୟ ଏକାଡେମୀ ଦ୍ବାରା ପ୍ରକାଶିତ ୧୨୦ ଖଣ୍ଡ, କାଳିନ୍ଦୀ ଚରଣଙ୍କ ଲିଖିତ ବହି ମାଟିର ମଣିଷ ୧୨୦ ଖଣ୍ଡ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଲିଖିତ ତପସ୍ବିନୀ ବହି ୧୦୦ ଖଣ୍ଡ, ପ୍ରଣୟ ବଲ୍ଲରି ୧୦୦ ଖଣ୍ଡ, ସନ୍ତୋଷ କୁମାର ରଥଙ୍କ ଲିଖିତ ୪୦ ଖଣ୍ଡ ହେତୁ ହେଲା ଦିନୁ ଏବଂ ତାଙ୍କ ନିଜର ଲିଖିତ କବିତାମାଳା ପୁସ୍ତକ ସରି ନାହିଁ ପ୍ରେମ ୪୦ ଖଣ୍ଡ ଲୋକଙ୍କୁ ବଣ୍ଟନ କରିଥିଲେ । ଏହା ପଛରେ ଉଦ୍ଦେଶ୍ୟ ଥିଲା, ଭାଷା ପ୍ରତି ଲୋକଙ୍କ ସଚେତନତା ବଢାଇବା ଏବଂ ପାରମ୍ପରିକ ସଂସ୍କୃତିର ପ୍ରଚାର କରିବା । ଏହି ନିଆରା ବାହାଘରକୁ ନେଇ ଏବେ ସାରା ଜିଲ୍ଲାରେ ଲୋକେ ଚର୍ଚ୍ଚା କରୁଥିବା ବେଳେ ସମସ୍ତେ ତାଙ୍କୁ ଭୂରି ଭୂରି ପ୍ରଶଂସା ମଧ୍ୟ କରିଛନ୍ତି ।

ଆଧୁନିକ ଡିଜେ ବାଜା ଶବ୍ଦ ପ୍ରଦୂଷଣ ସହ ଲୋକଙ୍କ ଜୀବନ ନେଉଛି । ପାରମ୍ପରିକ ଗଣ୍ଡା ବାଜା ଏବେ ହଜି ଯାଉଥିବା ବେଳେ ଏହାକୁ ଲୋଚଲୋଚନକୁ ଆଣି ତାର ମାଧୁର୍ଯ୍ୟ ଆଧୁନିକ ଯୁବପିଢିକୁ ଜଣାଇବା ତାଙ୍କର ଉଦ୍ଦେଶ୍ୟ ବୋଲି ଅଧ୍ୟାପକ କହିଛନ୍ତି । ସେହିପରି ଯେହେତୁ ସେ ଜଣେ ଓଡ଼ିଆ ଅଧ୍ୟାପକ ତେଣୁ ଭାଷାର ପ୍ରଚାର ଓ ପୁସ୍ତକ ପ୍ରେମ ଲୋକଙ୍କ ମଧ୍ୟରେ ଜାଗ୍ରତ କରିବା ପାଇଁ ସେ ବହି ବାଣ୍ଟି ଥିବାର କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details