ଓଡିଶା

odisha

WPL 2023: ବାଙ୍ଗାଲୋରର ପ୍ରଥମ ବିଜୟ, ହାରିଲା ୟୁପି ୱାରିୟର୍ଜ

By

Published : Mar 16, 2023, 8:39 AM IST

royal challengers bangalore registers their first win

ଶେଷରେ ମହିଳା ପ୍ରିମିୟର ଲିଗରେ ବିଜୟ ସ୍ବାଦ ଚାଖିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ୟୁପି ୱାରିୟର୍ଜକୁ 5 ୱିକେଟରେ ପରାସ୍ତ କରି ବିଜୟ ଖାତା ଖୋଲିଛି ବାଙ୍ଗାଲୋର । ଅଧିକ ପଢନ୍ତୁ

ମୁମ୍ବାଇ:ମହିଳା ପ୍ରିମିୟର ଲିଗରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ବିଜୟ ହାସଲ କରିବା ଯେପରି ସ୍ବପ୍ନ ହୋଇଥିଲା । ନାଲି କଳା ଜର୍ସି ଉପରେ ଭଗବାନଙ୍କ ଶୁଭଦୁଷ୍ଟି ପଡିଲା । ଲଗାତାର 5ଟି ମ୍ୟାଚ ହାରିବା ପରେ ବିଜୟ ସ୍ବାଦ ଚାଖିଛି ବାଙ୍ଗାଲୋର । ବିଜୟ ପାଇଁ ଚାତକ ପରି ଚାହିଁ ରହିଥିବା ବାଙ୍ଗାଲୋର ପ୍ଲେୟାରଙ୍କ ଖୁସିର ଠିକଣା ନାହିଁ । ୟୁପି ୱାରିୟର୍ଜ ବିପକ୍ଷ ମୁକାବିଲାରେ 5 ୱିକେଟରେ ବିଜୟୀ ହୋଇଛି । ଏହା ଦଳର ପ୍ରଥମ ବିଜୟ । 2 ପଏଣ୍ଟ ପାଇ ଗୁଜରାଟକୁ ପଛରେ ପକାଇ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି । ବାଙ୍ଗାଲୋରର କନିକା ଆହୁଜା 30 ବଲରେ 46 ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ ଜିତି ଆରସିବି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ୟୁପି । ସୋଫି ଡିଭାଇନ ପ୍ରଥମ ଓଭରରେ 2ଟି ୱିକେଟ ନେଇ ବିପର୍ଯ୍ୟୟ ଘଟାଇଥିଲେ । ଦେବିକା ବୈଦ୍ୟ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଅନ୍ୟ ଓପନର ଆଲିସା ହେଲି 1 ରନ କରି ପାଭିଲିୟନ ଫେରିଥିଲେ । ତାଲିଆ ମ୍ୟାକଗ୍ରା (2) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ଦଳୀୟ ସ୍କୋର 5 ରନରେ ୟୁପିର 3ଟି ୱିକେଟ ପତନ ହୋଇଥିଲା । କିରଣ ନବଗିରି ଓ ଗ୍ରେସ ହ୍ୟାରିସ କିଛି ଦର୍ଶନୀୟ ସଟ ଖେଳି ଦଳୀୟ ସ୍କୋରକୁ 29ରେ ପହଞ୍ଚାଇଥିଲେ । ଏହି ସମୟରେ କିରଣ 22 ରନ କରି ଆଉଟ ହୋଇଥିଲେ ।

ହ୍ୟାରିସ ବ୍ୟାଟିଂ ଜାରି ରଖିଥିଲେ । ଦିପ୍ତୀ ଶର୍ମା ମଧ୍ୟ କିଛି ଦର୍ଶନୀୟ ସଟ ଖେଳିଥିଲେ । ଉଭୟଙ୍କ ମଧ୍ୟରେ 69ରନର ଭାଗିଦାରୀ ହୋଇଥିଲା । ସ୍ଥିତି ସମାନ୍ୟ ସୁଧୁରିଥିଲା । ଦିପ୍ତୀ ବ୍ୟକ୍ତିଗତ 22ରନ କରି ଆଉଟ ହୋଇଥିଲେ । ଏହାପରେ ଦଳର ଅନ୍ୟ ବ୍ୟାଟର ଆଉଟ ହେବାକୁ ଲାଗିଥିଲେ । ନିର୍ଦ୍ଧାରିତ 20 ଓଭରରେ ୟୁପି 135 ରନ କରି ଅଲ ଆଉଟ ହୋଇଥିଲା । ବାଙ୍ଗାଲୋର ପକ୍ଷରୁ ଏଲସି ପେରୀ ସର୍ବାଧିକ 3ଟି ୱିକେଟ ହାସଲ କରିଥିବା ବେଳେ ସୋଫି ଡିଭାଇନ ଓ ସୋମନା ଆଶା 2ଟି ଲେଖାଏଁ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...FIH Pro League: ବିର୍ସା ମୁଣ୍ଡାରେ ଅପରାଜେୟ ଭାରତ, ସଡନ ଡେଥରେ ହାରିଲା ଅଷ୍ଟ୍ରେଲିଆ

136ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ବାଙ୍ଗାଲୋର । ଆରମ୍ଭରୁ ଦଳ ଟଳମଳ ହୋଇଥିଲା । ଦଳୀୟ ସ୍କୋର 14ରେ ଦୁଇ ଓପନରଙ୍କୁ ହରାଇଥିଲା ବାଙ୍ଗାଲୋର । ସୋଫି ଡାଭାଇନ 14 ଓ ସ୍ମୃତି ମାନ୍ଧାନା ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଏଲିସ ପେରୀ 10 ଓ ହିଥର ନାଇଟ 14 ରନ କରି ଦଳୀୟ ସ୍କୋରକୁ 60ରେ ପହଞ୍ଚାଇଥିଲେ । ତୃତୀୟ ୱିକେଟରେ ବ୍ୟାଟଂ ପାଇଁ ଆସିଥିବା କନିକା ଆହୁଜା ଦମଦାର ବ୍ୟାଟିଂ କରି ବିଜୟ ଆଶାର କିରଣ ଦେଖାଇଥିଲେ ।

30 ବଲର ସାମ୍ନା କରୁ 46 ରନ ସହ ଦଳୀୟ ସ୍କୋରକୁ 120ରେ ପହଞ୍ଚାଇଥିଲେ । ଏହାପରେ କନିକା ଆଉଟ ହୋଇଥିଲେ । ଶେଷ 20 ବଲରେ ଦଳକୁ ବିଜୟ ପାଇଁ 15 ରନ ଦରକାର ଥିଲା । କ୍ରିଜରେ ଉପସ୍ଥିତ ଥିବା ରିଚା ଘୋଷ 31 ବଲରୁ 32 ରନ କରି ଦଳକୁ ପ୍ରଥମ ବିଜୟ ସ୍ବାଦ ଚଖାଇଥିଲେ । ଯୁବ ଖେଳାଳି କନିକା ଓ ରିଚାଙ୍କ ପ୍ରଦର୍ଶନ ପାଇଁ ଦଳର ବିଜୟ ସହଜ ହୋଇଥିଲା ।

ABOUT THE AUTHOR

...view details