FIH Pro League: ବିର୍ସା ମୁଣ୍ଡାରେ ଅପରାଜେୟ ଭାରତ, ସଡନ ଡେଥରେ ହାରିଲା ଅଷ୍ଟ୍ରେଲିଆ

author img

By

Published : Mar 16, 2023, 7:47 AM IST

FIH Pro League

ଭାରତର ଘରୋଇ ପ୍ରୋ ଲିଗ ମ୍ୟାଚ ଶେଷ ହୋଇଛି । ବିର୍ସା ମୁଣ୍ଡାରେ ସମସ୍ତ ପ୍ରୋ ଲିଗ ମ୍ୟାଚରେ ବିଜୟ ହାସଲ କରି ଅପରାଜେୟ ରହିଛି ଭାରତୀୟ ପୁରୁଷ ହକି ଦଳ । ଅଧିକ ପଢନ୍ତୁ

ବିର୍ସା ମୁଣ୍ଡାରେ ଅପରାଜେୟ ଭାରତ

ରାଉରକେଲା: ପଡିଆରେ ଛାଇ ଯାଇଥିଲା ନୀଳ ଜର୍ସିର କମାଲ । ଇଣ୍ଡିଆ... ଇଣ୍ଡିଆ... ଚିୟରଅଫରେ କମ୍ପୁଥିଲା ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ । ଫ୍ୟାନ୍ସଙ୍କ ମୁହଁରେ ଖାଲି ଖୁସି ଆଉ ଖୁସି । ଭାରତର ପ୍ରଦର୍ଶନରେ ଝୁମିଥିଲେ ଦର୍ଶକ । ବିର୍ସା ମୁଣ୍ଡାରେ ଚମକିଲେ ଭାରତୀୟ ହକି ଦଳ । ଦମଦାର ପ୍ରଦର୍ଶନ କରି ବିର୍ସା ମୁଣ୍ଡାରେ ଅପରାଜେୟ ରହିଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ମ୍ୟାଚରେ ସଡନ ଡେଥରେ ବିଜୟ ହାସଲ କରିଛି ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ହକି ଦଳ । ସଡନ ଡେଥରେ ଦଳକୁ ବିଜୟୀ କରିଥିବାରୁ ହର୍ମନପ୍ରୀତ ସିଂହ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଘରୋଇ ପ୍ରୋ ଲିଗ ମ୍ୟାଚ ଶେଷ ହୋଇଛି । ଶେଷ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହୋଇଥିଲା । ମ୍ୟାଚଟି ରେମାଞ୍ଚକର ହୋଇଥିଲା । ପ୍ରଥମ କ୍ବାର୍ଟରର ପ୍ରଥମ ମିନିଟରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଲିଥିଲା । ଏହାକୁ ବିବେକ ଗୋଲରେ ପରିଣତ କରିଥିଲେ । ଏହାପରେ ଭାରତ ଆଉ 4ଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ସୁଦ୍ଧା ଗୋଲ କରିପାରିନଥିଲା । ପ୍ରଥମ କ୍ବାର୍ଟର ସୁଦ୍ଧା ଭାରତ 1-0ରେ ଆଗୁଆ ଥିଲା । ଦ୍ବିତୀୟ କ୍ବାର୍ଟରର 20 ମିନିଟରେ ଅଷ୍ଟ୍ରେଲିଆ ପ୍ରଥମ ପେନାଲ୍ଟି କର୍ଣ୍ଣର ପାଇଥିଲା । ଏହାକୁ ଅଭିଜ୍ଞ ଗୋଲକିପର ପିଆର ଶ୍ରୀଜେଶ ପଣ୍ଡ କରିଥିଲେ । ଅଷ୍ଟ୍ରେଲିଆ ଖାତା ଖୋଲିବାରେ ବିଫଳ ହୋଇଥିଲା ।

ତୃତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା ଯାହାକୁ ନାଥନ ଏଫରାଉମସ ଗୋଲରେ ପରିଣତ କରିଥିଲେ । ଏହାପରେ ସ୍ଥିତି 1-1ରେ ରହିଥିଲା । ଶେଷ କ୍ବାର୍ଟରରେ ସୁଖଜିତ ସିଂ ଏକ ଚମତ୍କାର ଫିଲ୍ଡ ଗୋଲ ଦେଇ ଦଳକୁ 2-1ରେ ଆଗୁଆ କରିଥିଲେ । ମ୍ୟାଚର 51 ମିନିଟରେ ଅଷ୍ଟ୍ରେଲିଆକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ନାଥନ ଗୋଲରେ ପରିଣତ କରି ସ୍ଥିତି ସାମାନ କରିଥିଲେ । ନିର୍ଦ୍ଧାରିତ ସମୟରେ 2-2 ଗୋଲରେ ବରାବର ହୋଇଥିଲା ଫଳରେ ପେନାଲ୍ଟି ସୁଟ ଆଉଟ ହୋଇଥିଲା ।

ସୁଟଆଉଟ: ଭାରତ ପକ୍ଷରୁ ହର୍ମପ୍ରୀତ ସିଂହ ପ୍ରଥମ ପ୍ରୟାସ କରି ପ୍ରଥମ ଗୋଲ କରିଥିଲେ । ଏହାପରେ ସୁଖଜିତ ସିଂ ଚତୁର୍ଥ ଓ ବିଲପ୍ରୀତ ସିଂ ପଞ୍ଚମ ପ୍ରୟାସରେ ଦଳ 3ଟି ଗୋଲ କରିବାରେ ସଫଳ ହୋଇଥିଲା । ଅଷ୍ଟ୍ରେଲିଆ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପ୍ରୟାସରେ ସଫଳ ହେବାକୁ ସୁଟଆଉଟରେ 3-3ରେ ବରାବର ରହିଥିଲା । ଏହାପରେ ସଡନ ଡେଥରେ ଅଷ୍ଟ୍ରେଲିଆର ଜ୍ୟାକ ୱିଲଚ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ । ଭାରତ ଅଧିନାୟକ ହର୍ମନପ୍ରୀତ ଗୋଲ କରି ଦଳକୁ ବିଜୟୀ କରାଇ ହିରୋ ହୋଇଥିଲେ । ବିଜୟ ପରେ ବିର୍ସା ମୁଣ୍ଡାକୁ ଲକି ଗ୍ରାଉଣ୍ଡ ବୋଲି କହିଥିଲେ ଅଧିୟନାୟକ ହର୍ମନପ୍ରୀତ ।

ବିବେକ ଖେଳିଲେ 100ତମ ମ୍ୟାଚ: ଭାରତୀୟ ହକି ଦଳର ପ୍ରତିଭାବାନ ଖେଳାଳି 23 ବର୍ଷୀୟ ବିବେକ ତାଙ୍କ କ୍ୟାରିଅରର ଅଷ୍ଟ୍ରେଲିଆ ବିପକ୍ଷ ପ୍ରୋ ଲିଗ ମ୍ୟାଚରେ 100ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ମ୍ୟାଚ ଆରମ୍ଭ ପୂର୍ବରୁ ଅଧିନାୟିକ ହର୍ମନପ୍ରୀତ ଏବଂ ଦଳ ତାଙ୍କୁ 100ତମ ଜର୍ସି ଦେଇ ଶୁଭେଚ୍ଛା ଜଣାଇଥିଲେ । 100 ତମ ମ୍ୟାଚରେ ପ୍ରଥମ ଗୋଲ କରିଥିଲେ ବିବେକ । 2018 ଏସିଆ କ୍ରୀଡା ଓ ଯୁବ ଅଲିମ୍ପିକ୍ସ ଏବଂ 2020 ଟୋକିଓ ଅଲିମ୍ପକ୍ସ ଦଳର ସଦସ୍ୟ ଥିଲେ ବିବେକ । ତାଙ୍କ ନାମରେ ଏ ଯାଏଁ 18ରୁ ଅଧିକ ଗୋଲ ସ୍କୋର ରହିଛି ।

ବିର୍ସା ମୁଣ୍ଡାରେ ମୋଟ 4ଟି ପ୍ରୋ ଲିଗ ମ୍ୟାଚ ଖେଳିଛି ଭାରତ । ଏଥିରେ ମୋଟ 16ଟି ଗୋଲ ସ୍କୋର କରିଛି । ଅଧିନାୟକ ହର୍ମନପ୍ରୀତ ମୋଟ 5ଟି ଗୋଲ କରି ଦୁଇଥର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଘରୋଇ ପ୍ରୋ ଲିଗରେ ଭାରତ ମୋଟ 8ଟି ମ୍ୟାଚରୁ 5ଟି ବିଜୟ, 2ଟି ସୁଟଆଉଟ ବିଜୟ ଏବଂ ଗୋଟିଏ ପରାଜୟ ସହ ମୋଟ 19 ପଏଣ୍ଟ ପାଇ ଟେବୁଲ ଟପରେ ରହିଛି । 17 ପଏଣ୍ଟ ପାଇଁ ସ୍ପେନ ଦ୍ବିତୀୟ ଓ 13 ପଏଣ୍ଟ ପାଇଁ ଆର୍ଜେଣ୍ଟିନା ତୃତୀୟ ସ୍ଥାନରେ ରହିଛି । ଭାରତ ମଇ ମାସରେ ବେଲଜିୟମ ଓ ଗ୍ରେଟ ବ୍ରିଟେନ ଏବଂ ଜୁନ ମାସରେ ନେଦରଲାଣ୍ଡସ ଓ ଆର୍ଜେଣ୍ଟିନାକୁ ପରବର୍ତ୍ତୀ ମ୍ୟାଚରେ ଭେଟିବେ ।

ପ୍ରକାଶଥାଉ କି, ଏଫଆଇଏଚ ପ୍ରୋ ଲିଗ ମ୍ୟାଚରେ ଭାରତ ତାର ପ୍ରଥମ ମୁକାବିଲାରେ ବିଶ୍ବ ଚମ୍ପିଆନ ଜର୍ମାନୀକୁ 3-2 ଗୋଲରେ ପରାସ୍ତ କରିଥିଲା । ଏହାପରେ ଅଷ୍ଟ୍ରେଲିଆକୁ 5-4 ଗୋଲ ଓ ତୃତୀୟ ମ୍ୟାଚରେ ଜର୍ମାନୀକୁ 6-3 ଗୋଲରେ ହରାଇଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ମ୍ୟାଚରେ ସଡନ ଡେଥରେ ବିଜୟ ହାସଲ କରି ବିର୍ସାମୁଣ୍ଡାରେ ଅପରାଜେୟ ରହିବାର ଗୌରବ ହାସଲ କରିଛି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.