ଓଡିଶା

odisha

ଲକ୍ଷ୍ନୌରେ ଫାଇନାଲ ମ୍ୟାଚ୍‌ ହୋଇଥିଲେ ଭାରତ ଜିତି ଥାଆନ୍ତା ବିଶ୍ବକପ୍‌: ଅଖିଳେଶ ଯାଦବ

By ETV Bharat Odisha Team

Published : Nov 22, 2023, 8:45 PM IST

ବିଶ୍ବକପ୍‌ ୨୦୨୩ରେ ଭାରତର ପରାଜୟ ଏବେ କ୍ରିକେଟ୍‌ ମୈଦାନରୁ ଯାଇ ରାଜନୀତି ମୈଦାନରେ ପହଞ୍ଚିଛି । ଫାଇନାଲ୍‌ ମ୍ୟାଚ୍‌ ଅହମ୍ମଦାବାଦ ବଦଳରେ ଲକ୍ଷ୍ନୌରେ ହୋଇଥିଲେ ଭାରତ ଜିତିଥାଆନ୍ତା ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଅଧିକ ପଢ଼ନ୍ତୁ

ଲକ୍ଷ୍ନୌରେ ଫାଇନାଲ ମ୍ୟାଚ୍‌ ହୋଇଥିଲେ ଭାରତ ଜିତି ଥାଆନ୍ତା ବିଶ୍ବକପ୍‌
ଲକ୍ଷ୍ନୌରେ ଫାଇନାଲ ମ୍ୟାଚ୍‌ ହୋଇଥିଲେ ଭାରତ ଜିତି ଥାଆନ୍ତା ବିଶ୍ବକପ୍‌

ଲକ୍ଷ୍ନୌ: ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ରେ ହୃଦୟ ଭାଙ୍ଗିବା ପରେ ଏବେ ଟି୨୦ ବିଶ୍ବକପ୍‌ ୨୦୨୪ ଉପରେ ନଜର ପକାଇଛି ଟିମ୍‌ ଇଣ୍ଡିଆ । ଏଥିପାଇଁ ନଭେମ୍ବର ୨୩ରୁ ହିଁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରୁ ପ୍ରସ୍ତୁତି ଆରମ୍ଭ କରିବେ ମେନ୍‌ ଇନ୍‌ ବ୍ଲ୍ୟୁ । ହେଲେ ବିଶ୍ବକପ୍‌ ୨୦୨୩ର ସର୍ବଶ୍ରେଷ୍ଠ ଦଳ ଭାରତର ପରାଜୟକୁ ଏବେ ଯାଏଁ ଗ୍ରହଣ କରିପାରିନାହାନ୍ତି କ୍ରିକେଟପ୍ରେମୀ । ସେପଟେ ବିଶ୍ବକପ୍‌ରେ ଭାରତର ପରାଜୟ ଏବେ କ୍ରିକେଟ୍‌ ମୈଦାନରୁ ଯାଇ ରାଜନୈତିକ ମୈଦାନରେ ପହଞ୍ଚିଛି । ନିକଟରେ ରାହୁଲ ଗାନ୍ଧୀ ଏନେଇ ଏକ ରାଜନୈତିକ ସଭାରେ ଭାଷଣ ଦେଉଥିବା ଭିଡିଓ ଭାଇରାଲ୍‌ ହୋଇଥିଲା । ସମାନ ଭାବରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏନେଇ ଆଉ ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ।

ଉତ୍ତର ପ୍ରଦେଶର ଇଟାୱା ସହରରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଥିଲେ, "ଗୁଜୁରାଟରେ ଯେଉଁ ମ୍ୟାଚ୍‌ ହେଲା, ତାହା ଯଦି ଲକ୍ଷ୍ନୌରେ ହୋଇଥାଆନ୍ତା, ଟିମ୍‌ ଇଣ୍ଡିଆ ଅନେକଙ୍କର ଆଶୀର୍ବାଦ ପାଇଥାଆନ୍ତା । ଏଠାରେ ମ୍ୟାଚ୍‌ ଖେଳାଯାଇଥିଲେ ଭାରତୀୟ ଦଳ ଭଗବାନ ବିଷ୍ଣୁ ଓ ଅଟଳବିହାରୀ ବାଜପେୟୀଙ୍କ ଆଶୀର୍ବାଦ ପାଇଥାଆନ୍ତା ଓ ବିଜୟୀ ହୋଇଥାଆନ୍ତା । ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚ୍‌ରେ କିଛି ଅସୁବିଧା ଥିଲା ବୋଲି କୁହାଯାଉଛି । ସେଥିପାଇଁ ଖେଳାଳିମାନଙ୍କ ପ୍ରସ୍ତୁତି ସଠିକ ହୋଇପାରିଲା ନାହିଁ । ତେଣୁ ଅହମ୍ମଦାବାଦ ଅପେକ୍ଷା ଲକ୍ଷ୍ନୌରେ ଖେଳ ଆୟୋଜନ କରାଯାଇଥିଲେ ଅଧିକ ଭଲ ହୋଇଥାଆନ୍ତା ।"

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନୀ ମଞ୍ଚରେ ବିଶ୍ବକପ ରାଜନୀତି: ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ‘ପନୌତି ପାଇଁ ହାରିଲା ଇଣ୍ଡିଆ’

ଏଠାରେ ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶରେ ମୁଲାୟମ୍‌ ସିଂହ ଯାଦବଙ୍କ ନେତୃତ୍ବାଧୀନ ସମାଜବାଦୀ ପାର୍ଟି ସରକାର ଲକ୍ଷ୍ନୌ କ୍ରିକେଟ୍‌ ଷ୍ଟାଡିୟମ୍‌ର ନାମ ଇକାନା ଷ୍ଟାଡିୟମ୍‌ ରଖିଥିଲେ । ଏହା ଭଗବାନ ବିଷ୍ଣୁଙ୍କର ଆଉ ଏକ ନାମ । ପରେ ୨୦୧୮ ମସିହାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସମ୍ମାନରେ ସରକାରରେ ଥିବା ଯୋଗୀ ଆଦିତ୍ୟନାଥ ଏହାର ନାମ ପରିବର୍ତ୍ତନ କରି "ଭାରତ ରତ୍ନ ଅଟଳବିହାରୀ ବାଜପେୟୀ ଇକାନା କ୍ରିକେଟ୍‌ ଷ୍ଟାଡିୟମ୍‌ ରଖିଥିଲେ ।" ସମାନ ଭାବରେ ରାଜସ୍ଥାନରେ ଏକ ନିର୍ବାଚନୀ ରାଲିରେ ମଙ୍ଗଳବାର ଉଦ୍‌ବୋଧନ ଦେବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତର ପରାଜୟ ପ୍ରସଙ୍ଗ ଉଠାଇଥିଲେ । ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ଭାରତୀୟ ଦଳର ପରାଜୟର କାରଣ ବୋଲି କହିଥିଲେ ରାହୁଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details