ଓଡିଶା

odisha

ଅମୋଲ ମଜୁମଦାର ହେଲେ ଭାରତୀୟ ମହିଳା କ୍ରିକେଟ୍‌ ଦଳର ନୂଆ କୋଚ

By ETV Bharat Odisha Team

Published : Oct 25, 2023, 10:26 PM IST

ଗତ କିଛି ମାସ ହେବ ବିନା ପ୍ରଶିକ୍ଷଣରେ କ୍ରିକେଟ୍‌ ଖେଳିବା ପରେ ଭାରତୀୟ ମହିଳା କ୍ରିକେଟ୍‌ ଦଳକୁ ନୂଆ କୋଚ୍‌ ମିଳିଛନ୍ତି । ପୂର୍ବତନ କ୍ରିକେଟର ଅମୋଲ ମଜୁମଦାରଙ୍କୁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେଇଛି ବିସିସିଆଇ । ଅଧିକ ପଢ଼ନ୍ତୁ

ଅମୋଲ ମଜୁମଦାର ମହିଳା କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌
ଅମୋଲ ମଜୁମଦାର ମହିଳା କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍‌ ଦଳକୁ ମିଳିଲେ ନୂଆ କୋଚ୍‌ । ମହିଳା କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ହେଲେ ଅମୋଲ ମଜମୁଦାର । ଅକ୍ଟୋବର ୨୫ (ବୁଧବାର) ଅମୋଲ ମଜୁମଦାରଙ୍କୁ ଟିମ୍‌ ଇଣ୍ଡିଆ (ମହିଳା ଦଳ)ର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଏନେଇ ବିସିସିଆଇ ଏହାର ଆଧିକାରିକ ଏକ୍ସ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ସୂଚନା ଦେଇଛି । ଗତ କିଛି ମାସ ହେବ ବିନା ପ୍ରଶିକ୍ଷଣରେ କ୍ରିକେଟ୍‌ ଖେଳୁଥିଲା ଭାରତୀୟ ମହିଳା କ୍ରିକେଟ ଦଳ । ଏହାରି ଭିତରେ ବିନା କୋଚ୍‌ରେ ଟିମ୍ ବିଦେଶ ଗସ୍ତ ମଧ୍ୟ କରିଛି । ହେଲେ ଏବେ ଦଳରେ ମୁଖ୍ୟ କୋଚ୍ ଭାବେ ପୂର୍ବତନ କ୍ରିକେଟର ଅମୋଲ ମଜମୁଦାର ଯୋଗ ଦେଇଛନ୍ତି ।

ଭାରତୀୟ ମହିଳା ଦଳରେ ମୁଖ୍ୟ କୋଚ୍ ନିଯୁକ୍ତି ପାଇଁ ସୁଲକ୍ଷଣ ନାଇକ, ଅଶୋକ ମଲହୋତ୍ରା ଓ ଜତିନ ପରଞ୍ଜାପେଙ୍କୁ ନେଇ ଗଠିତ ବିସିସିଆଇ ପରାମର୍ଶଦାତା କମିଟି ମନୋନୀତ ହୋଇଥିବା ପ୍ରାର୍ଥୀଙ୍କ ସାକ୍ଷାତକାର କରିଥିଲେ । ପ୍ରାର୍ଥୀଙ୍କ ସହ ଆଲୋଚନା କରିବା ପରେ ବିଚାର ବିମର୍ଶ କରି ସର୍ବସମ୍ମତି କ୍ରମେ ପୂର୍ବତନ କ୍ରିକେଟର ଅମୋଲ ମଜୁମଦାରଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ ଏହି ପରାମର୍ଶଦାତା କମିଟି । ଏହାପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାକୁ ଅନୁମୋଦନ କରିଛି । ମୁଖ୍ୟ କୋଚ୍‌ ଭାବେ ଅମୋଲ ନିଯୁକ୍ତ ହେବାପରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନି ଏହାକୁ ସ୍ବାଗତ କରିଛନ୍ତି । ଅମୋଲଙ୍କ ଅଭିଜ୍ଞତା ସହ ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ମହିଳା ଦଳ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ । ସେହିପରି ବିସିସିଆଇ ସଚିବ ଜୟ ଶାହ ମଧ୍ୟ ଅମୋଲଙ୍କୁ ଶୁଭେଚ୍ଛା ଜଣାଇବା ସହ ବୋର୍ଡ ତାଙ୍କ ସହ ମିଶି କାର୍ଯ୍ୟ କରିବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭାରତୀୟ ମହିଳା କ୍ରିକେଟ ଦଳକୁ ମିଳିବେ ନୂଆ କୋଚ, ଜାଣନ୍ତୁ କିଏ ନେବେ ଗୁରୁ ଦାୟିତ୍ବ

ଅନ୍ୟପଟେ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହେବାପରେ ଅମୋଲ ମଜୁମଦାର ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ଏଭଳି ଦାୟିତ୍ବ ମିଳିଥିବାରୁ ସେ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି ବୋଲି କହିବା ସହ ବିସିସିଆଇକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ବର୍ଷ ଦୁଇଟି ବିଶ୍ବକପ୍‌ ଥିବାରୁ ଏହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ହେବ ବୋଲି ଅମୋଲ ମଜମୁଦାର କହିଛନ୍ତି । ଏହି ପୂର୍ବତନ କ୍ରିକେଟର ନିଜ ୨୧ ବର୍ଷ କ୍ରିକେଟ୍ କ୍ୟାରିୟରରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳି ୧୭୧ ମ୍ୟାଚ୍‌ରେ ୩୦ ଶତକ ସହ ମୋଟ ୧୧ ହଜାରରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି । ସେ ୧୦୦ରୁ ଅଧିକ ଲିଷ୍ଟ ‘ଏ’ ଗେମ୍ସ ଏବଂ ୧୪ ଟି୨୦ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି । ଅମୋଲ ମଜୁମଦାର ମୁମ୍ବାଇର ନେତୃତ୍ବ ନେଇ ଅନେକ ରଣଜୀ ଟ୍ରଫି ଟାଇଟଲ ଜିତିବାପରେ ଆସାମ ଏବଂ ଆନ୍ଧ୍ରପ୍ରଦେଶର ପ୍ରତିନିଧିତ୍ବ ମଧ୍ୟ କରିଥିଲେ । ତେଣୁ କ୍ରିକେଟ୍‌ କ୍ଷେତ୍ରରେ ରହିଥିବା ତାଙ୍କର ଅଭିଜ୍ଞତା ଭାରତୀୟ ମହିଳା ଦଳକୁ ସଫଳତା ଦେବାରେ ସହାୟକ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details