ଓଡିଶା

odisha

Cricket World Cup 2023: ଆଫଗାନିସ୍ତାନ ବିପକ୍ଷ ବିପର୍ଯ୍ୟୟ ଭୁଲି ଆଗକୁ ବଢ଼ିଛୁ କହିଲେ ବଟଲର

By ETV Bharat Odisha Team

Published : Oct 20, 2023, 9:38 PM IST

ଗତ ଅକ୍ଟୋବର ୧୫ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ହରାଇ ବିଶ୍ବକପ୍‌ ୨୦୨୩ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା ଆଫଗାନିସ୍ତାନ । ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏହି ବିପର୍ଯ୍ୟୟକୁ ଭୁଲିଯାଇଥିବା କହିଛନ୍ତି ଇଂଲଣ୍ଡ ଅଧିନାୟକ ଜୋସ ବଟଲର । ଅଧିକ ପଢ଼ନ୍ତୁ

ଆଫଗାନିସ୍ତାନ ବିପକ୍ଷ ବିପର୍ଯ୍ୟୟ ଭୁଲି ଆଗକୁ ବଢ଼ିଛୁ କହିଲେ ବଟଲର
ଆଫଗାନିସ୍ତାନ ବିପକ୍ଷ ବିପର୍ଯ୍ୟୟ ଭୁଲି ଆଗକୁ ବଢ଼ିଛୁ କହିଲେ ବଟଲର

ମୁମ୍ବାଇ: ଚଳିତ ବିଶ୍ବକପ୍‌ ୨୦୨୩ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ୩ଟି ମ୍ୟାଚ୍‌ ଖେଳିଥିବାବେଳେ ସେଥିରୁ ଗୋଟିଏ ଜିତି ଦୁଇଟି ମ୍ୟାଚ୍‌ ହାରିଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡକୁ ବଡ଼ ବ୍ୟବଧାନରେ ହରାଇଥିଲା ଗତ ସଂସ୍କରଣର ଉପବିଜେତା ନ୍ୟୁଜିଲ୍ୟାଣ୍ଡ । ଏହାପରେ ବାଂଲାଦେଶ ବିପକ୍ଷରେ ବଟଲର ବାହିନୀ ବିଜୟ ଟ୍ରାକ୍‌କୁ ଫେରିଥିଲେ । ହେଲେ ଇଂଲଣ୍ଡକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା ଆଫଗାନିସ୍ତାନ । ଗତ ଅକ୍ଟୋବର ୧୫ରେ ଦିଲ୍ଲୀର ଅରୁଣ ଜେଟଲୀ କୋଟ୍‌ଲା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡକୁ ୬୯ ରନ୍‌ର ବଡ଼ ମାର୍ଜିନରେ ହରାଇଥିଲା ଆଫଗାନିସ୍ତାନ । ତେବେ ଏହି ବିପର୍ଯ୍ୟୟକୁ ଦଳ ଏବେ ଭୁଲି ଆଗକୁ ଭଲ ଖେଳିବା ଲକ୍ଷ୍ୟରେ ରହିଥିବା ଇଂଲଣ୍ଡ ଅଧିନାୟକ ଜୋସ ବଟଲର ପ୍ରକାଶ କରିଛନ୍ତି ।

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅଭ୍ୟାସ କରିବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବଟଲର କହିଛନ୍ତି, "ପରାଜୟକୁ ମନେ ରଖିବା ତଥା ଆଗକୁ ବଢ଼ି ଅନ୍ୟ ମ୍ୟାଚ୍‌ ଉପରେ ଦୃଷ୍ଟି ଦେବାକୁ ଆମ ପାଖରେ ଅଳ୍ପ କିଛିଦିନ ରହିଥିଲା । ଆମ ଭିତରେ କିଛି ଭଲ ବାର୍ତ୍ତାଳାପ ହୋଇଛି । ଗତ ରାତିରେ ଅଭ୍ୟାସବେଳେ ଆମ ଦଳର ଖେଳାଳିଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଉର୍ଜା ଦେଖିବାକୁ ମିଳିଥିଲା ।" ବିଗତ ସଂସ୍କରଣରେ ଇଂଲଣ୍ଡକୁ ବିଶ୍ବକପ୍‌ ଟ୍ରଫି ଜିତାଇବାରେ ଦଳର ପ୍ରମୁଖ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏଥର ବିଶ୍ବକପ୍‌ ପୂର୍ବରୁ ସେ ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଦଳ ବିଶ୍ବକପ୍‌ ପାଇଁ ତାଙ୍କୁ ପୁଣିଥରେ ଦଳକୁ ଫେରାଇ ଆଣିଛି । ହେଲେ ସେ ଫିଟ୍‌ନେସ୍‌ଜନିତ ସମସ୍ୟା କାରଣରୁ ପ୍ରଥମ ୩ଟି ମ୍ୟାଚ୍‌ ଖେଳିପାରିନାହାନ୍ତି । ତେବେ ଗୁରୁବାର ଓ ଶୁକ୍ରବାର ଷ୍ଟୋକ୍ସ ନେଟ୍‌ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ତେଣୁ ସେ ଇଂଲଣ୍ଡର ଆଗାମୀ ମ୍ୟାଚ୍‌ରେ ଖେଳିବା ନେଇ ଆଶା ଉଦ୍‌ଜୀବୀତ ହୋଇଥିଲା । ହେଲେ ଏନେଇ କୌଣସି ସ୍ପଷ୍ଟ କରିନହାନ୍ତି ଦଳର ଅଧିନାୟକ ଜୋସ ବଟଲର । ବଟଲର କହିଛନ୍ତି, "ଦଳ ଚୟନ ପାଇଁ ମୋ ପାଖରେ ଅନେକ ବିକଳ୍ପ ରହିଛି । ହେଲେ ଏହା ସର୍ବଦା କଠିନ ଏବଂ ଖେଳାଯିବାକୁ ଥିବା ଭେନ୍ୟୁ ଉପରେ ନିର୍ଭର କରେ । ତେଣୁ ଆଜି ଏଠାରେ ପିଚ୍‌ ଉପରେ ଧ୍ୟାନ ଦେଇ ଅଧିକ ସୂଚନା ଜାଣିବାକୁ ଚାହିଁବି । କିନ୍ତୁ ହଁ, ଷ୍ଟୋକ୍ସ ନିଶ୍ଚିତ ଭାବେ ଗତ ରାତିରେ ଜୋରଦାର ଅଭ୍ୟାସ କରିଛନ୍ତି । ସେ ପୁଣିଥରେ ଫେରିବା ଆମପାଇଁ ବହୁତ ଭଲ । ସେ ନିଶ୍ଚିତ ଭାବରେ ପଡ଼ିଆରେ ଦଳ ପାଇଁ ଅନେକ ଉତ୍ସାହ ଆଣିଥାନ୍ତି ଏବଂ ତାଙ୍କ ଉପସ୍ଥିତି ଏବଂ ନେତୃତ୍ବ ଦକ୍ଷତା ଦଳକୁ ଅଧିକ ଶକ୍ତିଶାଳି କରିଥାଏ ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଫଗାନିସ୍ତାନ ବିପକ୍ଷ ବିପର୍ଯ୍ୟୟ ପରେ ଚିନ୍ତାରେ ବଟଲର, କହିଲେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ

ଇଂଲଣ୍ଡ ଭଳି ଦକ୍ଷିଣ ଆଫ୍ରିକା ମଧ୍ୟ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରଥମରୁ ଦୁଇ ଦୁଇଟି ମ୍ୟାଚ୍‌ ବଡ଼ ବ୍ୟବଧାନରେ ଜିତିବା ପରେ ତୃତୀୟ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ ବିପକ୍ଷରେ ପରାସ୍ତ ହୋଇଥିଲା ଦକ୍ଷିଣ ଆଫ୍ରିକା । ଏହାକୁ ନେଇ ବଟଲର ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଯେତେବେଳେ ଏଭଳି କିଛି ଘଟେ, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହେବା ନିଶ୍ଚିତ । ନେଦରଲ୍ୟାଣ୍ଡ ଖେଳାଳିଙ୍କୁ ଅସମ୍ମାନ କିରିବା ଉଚିତ ନୁହେଁ । ସେହି ମ୍ୟାଚ୍‌ରେ ସେମାନେ ବହୁତ ଭଲ ଖେଳିଲେ ଓ ଜିତିବାକୁ ଯୋଗ୍ୟ ଥିଲେ । ଏଭଳି ପରିସ୍ଥିତିରେ ଆପଣଙ୍କୁ ସର୍ବଦା ବିପକ୍ଷ ଦଳକୁ ଶ୍ରେୟ ଦେବାକୁ ପଡ଼ିବ ।" ତେବେ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପାଇଁ ଓପନିଂ କରି ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ବଟଲର ନିଜ ଇଂଲଣ୍ଡ ଦଳର ମଧ୍ୟକ୍ରମ ସମ୍ଭାଳୁଛନ୍ତି । ହେଲେ ଇଂଲଣ୍ଡ ପକ୍ଷରୁ ଏବେ ଓପନିଂ କରିବାକୁ ସେ ଯୋଜନା କରିନଥିବା କହିଛନ୍ତି । ୱାଙ୍ଖେଡେକୁ ନେଇ ସେ କହିଛନ୍ତି, "ଆମ ଦଳରେ ଆମେ ଭଲ ଓପନରଙ୍କୁ ପାଇଛୁ । ଏହି ଗ୍ରାଉଣ୍ଡରେ ପୂର୍ବରୁ ଖେଳିବାର ଅନୁଭବ ମୋର ଅଛି । ଆଇପିଏଲ୍‌ରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ମୁଁ ଏହି ଗ୍ରାଉଣ୍ଡରୁ ମୋର ଆଇପିଏଲ କ୍ୟାରିୟର ଆରମ୍ଭ କରିଛି । ଏହି ଗ୍ରାଉଣ୍ଡ ସହ ଅନେକ ସ୍ମୃତି ରହିଛି ।" ପ୍ରକାଶଯୋଗ୍ୟ, ଶନିବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଇଂଲଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details