ଓଡିଶା

odisha

ଗମ୍ଭୀର ହେଲା ଋଷ-ୟୁକ୍ରେନ ଯୁଦ୍ଧ ସ୍ଥିତି: ସୁରକ୍ଷା ପରିଷଦ ସହ ଜରୁରୀ ବୈଠକ କଲେ ପୁଟିନ

By

Published : Oct 10, 2022, 9:59 PM IST

କ୍ରିମିଆ ପୋଲ ବିସ୍ଫୋରଣ ପରେ ପୁଣି ଗମ୍ଭୀର ହେଲା ଋଷ-ୟୁକ୍ରେନ ଯୁଦ୍ଧ ସ୍ଥିତି । ପୁଟିନଙ୍କ ସୁରକ୍ଷା ପରଷଦ ବୈଠକକୁ ନେଇ ବଢିଲା ଚିନ୍ତା (Putin holds meeting with his security council)। ଆଜି ୟୁକ୍ରେନ ଉପରେ ମିସାଇଲ ବର୍ଷାଇଥିଲା ଋଷ ସେନା । ଅଧିକ ପଢନ୍ତୁ

ଗମ୍ଭୀର ହେଲା ଋଷ-ୟୁକ୍ରେନ ଯୁଦ୍ଧ ସ୍ଥିତି: ସୁରକ୍ଷା ପରିଷଦ ସହ ଜରୁରୀ ବୈଠକ କଲେ ପୁଟିନ
ଗମ୍ଭୀର ହେଲା ଋଷ-ୟୁକ୍ରେନ ଯୁଦ୍ଧ ସ୍ଥିତି: ସୁରକ୍ଷା ପରିଷଦ ସହ ଜରୁରୀ ବୈଠକ କଲେ ପୁଟିନ

ମସ୍କୋ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରିହଥିବା ଯୁଦ୍ଧ ସ୍ଥିତି ପୁଣି ଥରେ ଉଗ୍ର ମୋଡ ନେବା ଦିଗରେ ଅଗ୍ରସର ହୋଇଛି । ଗତକାଲି କ୍ରିମିଆ ପୋଲ ବିସ୍ଫୋରଣ ପରେ ଆଜି ଋଷ ସେନା ୟୁକ୍ରେନର ବିଭିନ୍ନ ସହରରେ ଘନ ଘନ ମିସାଇଲ ମାଡ କରିବା ପରେ ରାଷ୍ଟ୍ରପତି ପୁଟିନ ମଧ୍ୟ ପୁଣି ଆକ୍ରମଣାତ୍ମକ ମୁଦ୍ରାକୁ ଆସିଛନ୍ତି । ଆଜି ପୁଟିନ ସୁରକ୍ଷା ପରିସଦ ସଦସ୍ୟଙ୍କ ସହ ଜରୁରୀ ବୈଠକ କରିଛନ୍ତି । ରାଷ୍ଟ୍ରପତି କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ପୁଟିନ ଏହି ବୈଠକରେ ସାମିଲ ହୋଇ ବର୍ତ୍ତମାନର ସ୍ଥିତି ସମୀକ୍ଷା କରିଛନ୍ତି (Putin holds meeting with his security council)।

ପୁଟିନ ଏହି ବୈଠକ ଆହୁତ କରିବା ପରେ ଯୁଦ୍ଧ ପୁଣି ଥରେ ଉଗ୍ର ମୋଡ ନେବା ନେଇ ଆଶଙ୍କା ମଧ୍ୟ ବଢିଛି । ଋଷ ସେନା ପୁଣି ଥରେ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିପାରେ । ଗତକାଲି ଋଷ ଅଧିକୃତ କ୍ରିମିଆକୁ ସଂଯୋଗ କରୁଥିବା ପୋଲରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହା ୟୁକ୍ରେନ ଦ୍ବାରା କରାଯାଇଥିବା ଅଭିଯୋଗ କରି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲା ମସ୍କୋ । ଏହାକୁ ଆତଙ୍କବାଦ ବୋଲି ମଧ୍ୟ କହିଥିଲେ ରାଷ୍ଟ୍ରପତି ପୁଟିନ ।

ଆଜି ମଧ୍ୟ ଋଷ ସେନା ୟୁକ୍ରେନର ଏକାଧିକ ସହରରେ ଘନଘନ ରକେଟ ଓ ମିସାଇଲ ମାଡ କରିଛି । ଋଷ ଆକ୍ରମଣରେ ପୁଣି ୟୁକ୍ରେନରେ ହାଇଆଲର୍ଟ ଜାରି କରାଯାଇଛି । ଅନାବଶ୍ୟକ ଭାବେ ଘରୁ ନବାହାରିବା ସହ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ନିଜ ନାଗରିକଙ୍କୁ ସତର୍କ କରାଇଛି ୟୁକ୍ରେନ । ତେବେ ସଂଧ୍ୟାରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ସୁରକ୍ଷା ପରିଷଦ ବୈଠକ ଯୁଦ୍ଧର ମୋଡ ନେଇ ଗମ୍ଭୀର ଆଶଙ୍କା ଛିଡା କରିଛି ।

ଯୁଦ୍ଧ ଆରମ୍ଭରୁ ଅନ୍ତର୍ଜାତୀୟ ସମୂହ ଋଷ ଉପରେ ଆର୍ଥିକ ସମେତ ବହୁ କଟକଣା ଜାରି କରିଥିଲେ ସୁଦ୍ଧା ଋଷ କିନ୍ତୁ ଯୁଦ୍ଧ ବନ୍ଦ କରିବା ଦିଗରେ କୌଣସି ନିଷ୍ପତ୍ତି ନେଇନାହିଁ । ସେପଟେ ପଶ୍ଚିମ ରାଷ୍ଟ୍ରଙ୍କ ସହଯୋଗରେ ୟୁକ୍ରେନ ମଧ୍ୟ ଲଢେଇ ଜାରି ରଖିଛି । ଯୁଦ୍ଧ ସମାପ୍ତ କରିବା ପାଇଁ ବିଭିନ୍ନ ଦିଗରୁ ଋଷ ଉପରେ ଚାପ ବଢିବାରେ ଲାଗିଥିବା ବର୍ତ୍ତମାନ ସ୍ଥିତି ପୁଣି ଥରେ ଉତ୍ତେଜନା ବୃଦ୍ଧି କରିଛି । ଆଜିର ଆକ୍ରମଣ ପରେ ଋଷ ସମ୍ପୂର୍ଣ୍ଣ ୟୁକ୍ରେନକୁ ନିଶ୍ଚିହ୍ନ କରିବାକୁ ଚାହୁଁଥିବା ୟୁକ୍ରେନ କହିଛି । ଆଜିର ଆକ୍ରମଣରେ ୟୁକ୍ରେନର ଏକାଧିକ ବେସାମରିକ ତଥା ସାଧାରଣ ଜନବସତି ଅଞ୍ଚଳକୁ ଋଷ ସେନା ଟାର୍ଗେଟ କରିଥିବା ବେଳେ ଏଥିରେ ଅନେକ ସାଧାରଣ ନାଗରିକ ମୃତାହତ ହୋଇଥିବା ୟୁକ୍ରେନ ଦାବି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details