ଓଡିଶା

odisha

74th Republic Day: ଭାରତକୁ ଛୁଟିଲା ବିଭିନ୍ନ ରାଷ୍ଟ୍ରରୁ ଶୁଭେଚ୍ଛାର ସୁଅ

By

Published : Jan 26, 2023, 11:05 PM IST

74ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଛୁଟିଲା ଶୁଭେଚ୍ଛାର ସୁଅ । ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରମୁଖ୍ୟ । ଅନ୍ତର୍ଜାତୀୟ କ୍ଷେତ୍ରରେ ଭାରତର ଭୂମିକାକୁ ପ୍ରଶଂସା ସହ ଦ୍ବିପାକ୍ଷିକ ସମ୍ପର୍କର ସୁଦୃଢୀକରଣ ନେଇ କଲେ ଆଶାବ୍ୟକ୍ତ । ଅଧିକ ପଢନ୍ତୁ

74th Republic Day: ଭାରତକୁ ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ର
74th Republic Day: ଭାରତକୁ ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ର

ହାଇଦ୍ରାବାଦ: 74ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମଗ୍ର ବିଶ୍ୱର ବିଭିନ୍ନ ରାଷ୍ଟ୍ର ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ଅନେକ ରାଷ୍ଟ୍ରମୁଖ୍ୟମାନେ ଏହି ଅବସରରେ ଭାରତକୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ ଟ୍ବିଟ୍‌ କରିଛନ୍ତି । ମାକ୍ରୋନ୍ ଶୁଭେଚ୍ଛା ବାର୍ତ୍ତାରେ ଭାରତରେ ଆୟୋଜିତ ହେବାକୁ ଥିବା ଜି-20 ଏବଂ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀର ଏକ ସୁଦୃଢ ସମ୍ପର୍କ ସ୍ଥାପନ କରିବାକୁ ବେଶ ଆଶାବାଦୀ ଥିବା କହିଛନ୍ତି । ମାକ୍ରୋନ୍ ଟ୍ୱିଟରରେ ହିନ୍ଦୀ ଭାଷାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ଏହାପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ, ବ୍ରିଟେନର ବୈଦେଶିକ ସଚିବ ଜେମ୍ସ କ୍ଲିଭର୍ଲି, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ଏବଂ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ମଧ୍ୟ ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟଙ୍କୁ ଗଣତନ୍ତ୍ର ଦିବସ ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି । ଟ୍ବିଟରରେ ନେତାନ୍ୟାହୁ ଲେଖିଛନ୍ତି ‘‘ମୋର ବିଶ୍ୱାସ ଅଛି ଯେ ଆମ ଦୁଇ ଦେଶ ମଧ୍ୟରେ ପୂର୍ବରୁ ଥିବା ଘନିଷ୍ଠ ସମ୍ପର୍କ ପ୍ରତିବର୍ଷ ଅଧିକ ସୁଦୃଢ ହେବ । ସେହିପରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ ସୁରକ୍ଷା ଏବଂ ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ଏଜେଣ୍ଡା ସହିତ ଜଡିତ ସମସ୍ୟାର ସମାଧାନ ପାଇଁ ଭାରତର ଭୂମିକା କଥା ଉଲ୍ଲେଖ କରିଛନ୍ତି । ଅର୍ଥନୈତିକ, ସାମାଜିକ, ବୈଜ୍ଞାନିକ, ବୈଷୟିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ସଫଳତା ବହୁଳ । ଅନ୍ତର୍ଜାତୀୟ ସ୍ଥିରତା ଏବଂ ନିରାପତ୍ତା ତଥା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ରଖିଆସିଛି ବୋଲି ପୁଟିନ ମତବ୍ୟକ୍ତ କରିଥିଲେ ।

ସେହିପରି ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ମଧ୍ୟ ଦେଶର 74ତମ ଗଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନେପାଳର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଟୁଇଟର ହ୍ୟାଣ୍ଡେଲରେ ଏହି ଶୁଭେଚ୍ଛା ବାର୍ତ୍ତା ସମ୍ପର୍କିତ ପୋଷ୍ଟରେ ନେପାଳ ପ୍ରଧାନମନ୍ତ୍ରୀ କହିଛନ୍ତି ‘‘ ଗଣତନ୍ତ୍ର ଦିବସରେ ମୁଁ ଭାରତ ସରକାର ତଥା ବନ୍ଧୁତ୍ୱପୂର୍ଣ୍ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।’’ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେବୁବା ମଧ୍ୟ ଟୁଇଟ୍ କରି ଗଣତନ୍ତ୍ର ଦିବସରେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନ ମଧ୍ୟ ଗଣତନ୍ତ୍ର ଦିବସରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details