ନୂଆଦିଲ୍ଲୀ:ନିୟନ୍ତ୍ରଣ ହରାଇ ରାସ୍ତାକଡରେ ପାର୍କିଂ ହୋଇଥିବା ଏକାଧିକ ଗାଡି ଉପରେ ମାଡିଗଲା ଏକ ସରକାରୀ ବସ । ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀ ଦକ୍ଷିଣ-ରୋହିଣୀ ଏରିଆରେ ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ବସଷ୍ଟପରେ ଛିଡା ହୋଇଥିବା ବହୁଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଏକାଧିକ ଗାଡି ଚୁରମାର ହୋଇଯାଇଛି । ଦୁର୍ଘଟଣା ସମୟର ସମସ୍ତ ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ରୋହିଣୀ ସେକ୍ଟର-3 ଏରିଆରେ ଥିବା ବିକ୍ରମଚୌକ ନିକଟରେ ଦିଲ୍ଲୀ ପରିବହନ ନିଗମର ଏକ ନୀଳ ରଙ୍ଗର ବସ ରାସ୍ତାକଡରେ ପାର୍କିଂ ଥିବା ଏକାଧିକ ଗାଡି ଉପରେ ମାଡି ଯାଇଥିଲା । ବସଟି ପ୍ରଥମେ ଏକ କାରକୁ ଧକ୍କା ଦେବା ପରେ ଅଟୋରିକ୍ସା ଓ ଅନ୍ୟ ଏକାଧିକ ଦୁଇଚକିଆ ଗାଡିକୁ ଧକ୍କା ଦେଇଥିଲା । ସେଠାରେ ବସକୁ ଅପେକ୍ଷା କରିଥିବା ଲୋକେ ପ୍ରାଣ ବିକଳରେ ଧାଇଁ ପଳାଇଥିଲେ । ଏକାଧିକ ଗାଡି ଚୁରମାର ହୋଇଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ପ୍ରାୟ 2ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି ।
ଦୁର୍ଘଟଣାରେ ମୃତାହତଙ୍କ ପରିଚୟ ସ୍ପଷ୍ଟ ହୋଇପାରିନି । ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ବସକୁ ଜବତ କରିଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଥିବା ଭିଡିଓ ଅନୁସାରେ, ବସଟି କୌଣସି କାରଣରୁ ଅନିୟନ୍ତ୍ରିତ ହୋଇ ରାସ୍ତାକଡକୁ ମାଡିଯାଇଥିଲା । ଏହା ପ୍ରାୟତଃ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ହୋଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ପୋଲିସ ବସକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।