ଓଡିଶା

odisha

UPSC Result Out: ଟପ-3ରେ ମହିଳା, 67 ରାଙ୍କରେ ଓଡିଆ ଝିଅ କସ୍ତୁରୀ ପଣ୍ଡା

By

Published : May 23, 2023, 2:23 PM IST

Updated : May 23, 2023, 3:40 PM IST

Etv BharatUPSC Result Out: ଇଶିତା କିଶୋର ଟପ୍ପର, ଟପ 3 ରେ ମହିଳା

ପ୍ରକାଶ ପାଇଲା UPSC ସିଭିଲ ସର୍ଭିସ ପରୀକ୍ଷା ଫଳ । ଇଶିତା କିଶୋର ଟପ୍ପର । 933 କୃତକାର୍ଯ୍ୟ, ପ୍ରଥମ 3 ସ୍ଥାନରେ ମହିଳା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସଂଘ ଲୋକସେବା ଆୟୋଗ (UPSC) ଦ୍ବାରା ଅନୁଷ୍ଠିତ ସିଭିଲ ସର୍ଭିସ ପରୀକ୍ଷା-2022 ଫଳାଫଳ ପ୍ରକାଶ ପାଇଛି । ଏଥିରେ ଇଶିତା କିଶୋର ଟପ୍ପର ହୋଇଛନ୍ତି । ସେହିପରି ପ୍ରଥମ 3 ସ୍ଥାନରେ ମଧ୍ୟ ମହିଳା ରହିଛନ୍ତି । ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ ଓ ତୃତୀୟରେ ସ୍ଥାନରେ ଉମା ହାରାଥି ରହିଛନ୍ତି । ଏଥିରେ ମୋଟ୍ 933 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ମଧ୍ୟ ପୁରୁଷଙ୍କୁ ପଛରେ ପକାଇ ଶୀର୍ଷ 3 ସ୍ଥାନରେ ମହିଳା ରହିଛନ୍ତି । UPSC ଅଫିସିଆଲ ଓ୍ବେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଛି । ତେବେ 67 ରାଙ୍କରେ ଓଡିଆ ଝିଅ କସ୍ତୁରୀ ପଣ୍ଡା ରହିଥିବା ସୂଚନା ରହିଛି ।

ଗତବର୍ଷ (2022) ଜୁନ 5 ତାରିଖରେ ପ୍ରାରମ୍ଭିକ ବା ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହୋଇଥିଲେ । ଯାହାର ରେଜଲ୍ଟ ଜୁନ 22 ତାରିଖରେ ପ୍ରକାଶ ପାଇବା ସହ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ବା ମେନ୍ସ ପରୀକ୍ଷା ପାଇଁ ଡକାଯାଇଥିଲା । ସପ୍ଟେମ୍ବର 16 ଓ 25 ତାରିଖରେ ଦେଶର ବିଭିନ୍ନ ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମୁଖ୍ଯ ପରୀକ୍ଷା ଫଳାଫଳ ଡିସେମ୍ବର 6 ତାରିଖରେ ପ୍ରକାଶ ପାଇଥିଲା । ଚଳିତ ବର୍ଷ ମେ’ 18 ତାରିଖରେ ମୁଖ୍ୟ ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀମାନେ ଇଣ୍ଟରଭ୍ୟୁରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ପରୀକ୍ଷା ଓ ଇଣ୍ଟରଭ୍ୟୁରେ ପ୍ରଦର୍ଶନ ଆଧାରରେ ଆଜି ଆୟୋଗ କୃତକାର୍ଯ୍ୟ ହୋଇଥିବା 933 ଜଣଙ୍କ ନାମ ପ୍ରକାଶ କରିଛି ।

ଏଥିରେ ମୋଟ 933 ଜଣ ଆଶାୟୀ ବିଭିନ୍ନ ସର୍ବଭାରତୀୟ ସେବା ଯଥା, ପ୍ରଶାସନିକ ସେବା, ବୈଦେଶିକ ସେବା, ବିଭିନ୍ନ କେନ୍ଦ୍ରୀୟ ସେବାରେ ନିୟୋଜିତ ହେବେ । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ 345 ସାଧାରଣ ବା ଅଣସଂରକ୍ଷିତ ବର୍ଗର ରହିଛନ୍ତି । ସେହିପରି ଅର୍ଥନୈତିକ ଦୁର୍ବଳ ଶ୍ରେଣୀ (EWS) ରୁ 99, ଅନ୍ୟାନ୍ୟ ପଛୁଆ ବର୍ଗ (OBC)ରୁ 263 ଛାତ୍ରଛାତ୍ରୀ ରହିଛନ୍ତି । ଅନୁସୂଚୀତ ଜାତି (SC) ଓ ଅନୁସୂଚୀତ ଜନଜାତି (ST) ବର୍ଗରୁ ଯଥାକ୍ରମ 154 ଓ 72 ଜଣ ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି । UPSC ଅଫିସିଆଲ ସାଇଟରେ ଫଳାଫଳ ଉପଲବ୍ଧ ରହିଛି । ଏବେ କେବଳ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ରାଙ୍କ ପ୍ରକାଶ ପାଇଥିବା ବେଳେ 5 ଦିନ ପରେ ସବିଶେଷ ମାର୍କ ବିବରଣୀ ପ୍ରକାଶ ପାଇବ । ଏହି ସମ୍ମାନଜନକ ପରୀକ୍ଷାରେ ଦେଶବ୍ୟାପି ଲକ୍ଷାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥାନ୍ତି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ବେଶ କଷ୍ଟସାଧ୍ୟ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 23, 2023, 3:40 PM IST

ABOUT THE AUTHOR

...view details