ଓଡିଶା

odisha

ତାମିଲନାଡୁ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ 10 ବିଲ୍‌ ପୁନଃ ପାରିତ, ଗୁରୁବାର ଫେରାଇ ଦେଇଥିଲେ ରାଜ୍ୟପାଳ

By ETV Bharat Odisha Team

Published : Nov 18, 2023, 10:17 PM IST

ତାମିଲନାଡୁ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ରାଜ୍ୟପାଳ ଫେରାଇ ଦେଇଥିବା 10 ବିଲ୍‌ ପୁନଃ ପାରିତ କଲେ ଷ୍ଟାଲିନ ସରକାର । ଗୁରୁବାର ଅନୁମୋଦନ ନଦେଇ ଫେରାଇ ଦେଇଥିଲେ ରାଜ୍ୟପାଳ ଆର.ଏନ ରବି । ଅଧିକ ପଢନ୍ତୁ

ତାମିଲନାଡୁ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ 10 ବିଲ୍‌ ପୁନଃ ପାରିତ, ଗୁରୁବାର ଫେରାଇ ଦେଇଥିଲେ ରାଜ୍ୟପାଳ
ତାମିଲନାଡୁ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ 10 ବିଲ୍‌ ପୁନଃ ପାରିତ, ଗୁରୁବାର ଫେରାଇ ଦେଇଥିଲେ ରାଜ୍ୟପାଳ

ଚେନ୍ନାଇ:ତାମିଲନାଡୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ରାଜ୍ୟପାଳ ଆର.ଏନ ରବିଙ୍କ ଦ୍ବାରା ଫେରସ୍ତ ହୋଇଥିବା 10ଟି ବିଲ୍‌କୁ ପୁନଃ ପାରିତ କରିଛନ୍ତି ଷ୍ଟାଲିନ ସରକାର । ଗୁରୁବାର ରାଜ୍ୟପାଳ ଏହି ସବୁ ବିଲ୍‌କୁ ଅନୁମୋଦନ ଦେବାକୁ ମନା କରିବା ସହ ପୁନଃ ଚର୍ଚ୍ଚା ପାଇଁ ଫେରସ୍ତ କରିବା ପରେ ସରକାର ଆଜି ଏକ ସ୍ବତନ୍ତ୍ର ଅଧିବେଶନ ଆହୁତ କରିଥିଲେ । ଆଜି (ଶନିବାର) ପୂର୍ବାହ୍ନ 10 ଟାରୁ ଗୃହର ପ୍ରୋସିଡିଂ ଆରମ୍ଭ ହେବା ପର ବିରୋଧୀ AIADMK ଓ BJP ବିଧାୟକମାନେ ନାରାବାଜି କରିବା ସହ ଗୃହତ୍ୟାଗ କରିଥିଲେ । ଆଜି ପୁଣିଥରେ ଗୃହରେ ପାରିତ ହୋଇଥିବା ବିଲଗୁଡିକ ମଧ୍ୟରେ ଆଇନ, କୃଷି ଓ ଉଚ୍ଚଶିକ୍ଷା ସମେତ ବିଭିନ୍ନ ବିଭାଗର ବିଲ୍‌ ରହିଛି । ବିରୋଧୀଙ୍କ କକ୍ଷତ୍ୟାଗ ସତ୍ତ୍ବେ ମଧ୍ୟ ଏହା ଶାସକ DMK ସଦସ୍ୟଙ୍କ ଭୋଟରେ ସଂଖ୍ୟା ବହୁମତ ଆଧାରରେ ପାରିତ ହୋଇଛି ।

ଆଜି ଗୃହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଥିଲେ, ‘‘ଜନତାଙ୍କ ଦ୍ବାରା ନିର୍ବାଚିତ ସଦନରେ ଚର୍ଚ୍ଚା ପରେ ପାରିତ ହୋଇଥିବା ବିଲ୍‌କୁ ଅନୁମୋଦନ ଦେବା ରାଜ୍ୟପାଳଙ୍କ କର୍ତ୍ତବ୍ୟ । ଯଦି କୌଣସି ପ୍ରସଙ୍ଗରେ ରାଜ୍ୟପାଳଙ୍କର ପାରିତ ହୋଇଥିବା ବିଲ୍କୁ‌ ନେଇ କୌଣସି ଆପତ୍ତି ଥାଏ, ତେବେ ସେ ସରକାରଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରିପାରିବେ । ପୂର୍ବରୁ ମଧ୍ୟ କିଛି ବିଲରେ ରାଜ୍ୟପାଳଙ୍କ ଆପତ୍ତି ସାମ୍ନାକୁ ଆସିଛି । ସେତେବେଳେ ସରକାରଙ୍କ ପକ୍ଷରୁ ତୁରନ୍ତ ଏ ସମ୍ପର୍କରେ ରାଜଭବନକୁ ସ୍ପଷ୍ଟ କରାଯାଇଛି । ରାଜ୍ୟ ଇତିହାସରେ ଏପରି କେବେ ହୋଇନି, ରାଜ୍ୟପାଳଙ୍କ କୌଣସି ପ୍ରଶ୍ନର ଉତ୍ତର ରାଜ୍ୟ ସରକାର ସ୍ପଷ୍ଟତାର ସହ ରଖିନାହାନ୍ତି । ତଥାପି ଗୃହରେ ପାରିତ ବିଲକୁ ଅନୁମୋଦନ ନଦେଇ ଫେରାଇ ଦେବା ରାଜ୍ୟବାସୀ ଓ ନିର୍ବାଚିତ ସଦନ ପ୍ରତି ଏକ ଅପମାନ ।’’

ଆହୁରି ମଧ୍ୟ ଷ୍ଟାଲିନ କହିଥିଲେ,‘‘ଏପରି କରି ରାଜ୍ୟପାଳ ଗଣତନ୍ତ୍ର, ଆଇନ ଓ ରାଜ୍ୟବାସୀଙ୍କ ବିରୋଧୀ ପରି କାମ କରୁଛନ୍ତି । ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ କାମ କରିବା ଉଚିତ । ଏହା କରିବା ପରିବର୍ତ୍ତେ ସେ କେବଳ ରାଜ୍ୟ ସରକାରଙ୍କ ଯୋଜନାକୁ ସ୍ଥଗିତ ରଖିବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ପରି ମନେ ହେଉଛି । ଏହା ପୂର୍ବରୁ ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ଯେଉଁ ଟିପ୍ପଣୀ ଦେଇଥିଲେ, ତାହା ଏହି ସଦନର ବିଜୟ ଥିଲା ।’’

ଏହା ମଧ୍ୟ ପଢନ୍ତୁ :- ରାଜ୍ୟପାଳ-ସରକାର ବିବାଦ: 10ଟି ବିଲ୍‌କୁ ଫେରାଇ ଦେଲେ ତାମିଲନାଡୁ ରାଜ୍ୟପାଳ

ଗୁରୁବାର ରାଜ୍ୟପାଳ ଆର.ଏନ ରବି 10ଟି ପାରିତ ବିଲକୁ ଅନୁମୋଦନ ଦେବା ପରିବର୍ତ୍ତେ ଫେରାଇ ଦେଇଥିଲେ । ଏହା ପରେ ତୁରନ୍ତ ରାଜ୍ୟ ସରକାର ସ୍ବତନ୍ତ୍ର ଅଧିବେଶନ ଡାକିଥିଲେ । ଆଜି ପୁଣି ଥରେ ଏହି ସମସ୍ତ ବିଲ୍କୁ‌ ସଦନରେ ପାରିତ କରିଛି ଷ୍ଟାଲିନ ସରକାର ।

ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁସାରେ, କୌଣସି ବିଲରେ ଆପତ୍ତି ଥିଲେ ରାଜ୍ୟପାଳ ଏହାକୁ ପୁନଶ୍ଚ ଚର୍ଚ୍ଚା କିମ୍ବା ସଂଶୋଧନ ପାଇଁ ଫେରସ୍ତ କରିପାରନ୍ତି । ଏହା ତାଙ୍କର ସମ୍ବିଧାନ ପ୍ରଦତ୍ତ ଇଚ୍ଛାଧୀନ କ୍ଷମତା ମଧ୍ୟ । ମାତ୍ର ଉକ୍ତ ଫେରସ୍ତ ବିଲ୍‌ ବିଧାନସଭାରେ ଦ୍ବିତୀୟ ଥର ପାରିତ ହୋଇ ରାଜଭବନକୁ ପଠାଗଲେ, ଏହାକୁ ରାଜ୍ୟପାଳ ଅନୁମୋଦନ ଦେବାକୁ ବାଧ୍ୟ ହୋଇଥାନ୍ତି । ତେବେ ଦୀର୍ଘ ଦିନ ହେବ ରାଜଭବନ ଓ ସରକାର ମଧ୍ୟରେ ବିବାଦ ଲାଗିରହିଥିବା ତାମିଲନାଡୁ କ୍ଷେତ୍ରରେ କ’ଣ ହେଉଛି, ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details