ଓଡିଶା

odisha

G20 Dinner: ଏକାଧିକ ବିରୋଧୀ ନେତାଙ୍କ ଅଂଶଗ୍ରହଣ, ‘ଇଣ୍ଡିଆ ମେଣ୍ଟ’ରେ ଫାଟ !

By ETV Bharat Odisha Team

Published : Sep 11, 2023, 7:59 PM IST

ବିରୋଧୀଙ୍କ ରାଜନୀତିକୁ ଉଷ୍ମ କଲା ଜି20 ନୈଶ୍ୟଭୋଜି । ସାମିଲ ହେଲେ ନୀତିଶ, ମମତାଙ୍କ ସମେତ ଅନ୍ୟ କିଛି ବିରୋଧୀ ନେତା । ନୀତିଶଙ୍କ ମେଣ୍ଟ ଅସନ୍ତୋଷ ନେଇ ବଢ଼ିଲା ଚର୍ଚ୍ଚା । ଅଧିକ ପଢ଼ନ୍ତୁ

G20 Dinner: ଏକାଧିକ ବିରୋଧୀ ନେତା ଅଂଶଗ୍ରହଣକୁ ନେଇ ‘ଇଣ୍ଡିଆ ମେଣ୍ଟ’ !
G20 Dinner: ଏକାଧିକ ବିରୋଧୀ ନେତା ଅଂଶଗ୍ରହଣକୁ ନେଇ ‘ଇଣ୍ଡିଆ ମେଣ୍ଟ’ !

ନୂଆଦିଲ୍ଲୀ: ଭାରତ ଅଧ୍ୟକ୍ଷତାରେ ଏବେ ଶେଷ ହୋଇଥିବା ଜି20 ଶିଖର ସମ୍ମିଳନୀ ବିଭିନ୍ନ ଦିଗରୁ ଚର୍ଚ୍ଚାରେ ରହିଛି । ଏହି ସମ୍ମିଳନୀର ପ୍ରଥମ ଦିବସ (9 ତାରିଖରେ) ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ ଦେଶବ୍ୟାପୀ ବିଭିନ୍ନ ନେତାଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଭବ୍ଯ ନୈଶ୍ୟଭୋଜିର ଆୟୋଜନ କରାଯାଇଥିଲା । ତେବେ ସରକାର ବିରୋଧରେ 2024 ସାଧାରଣ ନିର୍ବାଚନରେ ଲଢିବା ପାଇଁ ଅଣ୍ଟା ଭିଡିଥିବା ‘ଇଣ୍ଡିଆ ମେଣ୍ଟର’ ଏକାଧିକ ନେତାଙ୍କୁ ଏଥିରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି ହେବା ପରି ସ୍ଥିତି ସାମ୍ନାକୁ ଆସିଥିବା ଚର୍ଚ୍ଚା ହେଉଛି ।

ମେଣ୍ଟରେ ଅସନ୍ତୋଷ ଚର୍ଚ୍ଚା ବଢାଇଲେ ନୀତିଶ କୁମାର:-

ପୂର୍ବରୁ ବିଜେପିର ସହଯୋଗୀ ଥିବା ବେଳେ ମଧ୍ୟ ନୀତିଶ କୁମାର ଦିଲ୍ଲୀର ଅନେକ ଗୁରୁତ୍ୱପୂର୍ଣ୍ଣ ସଭାକୁ ଆସିନଥିବାର ଉଦାହରଣ ରହିଛି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଡକାଯାଇଥିବା ଗୁରୁତ୍ବପୂର୍ଣ୍ଣ NITI ଆୟୋଗ ବୈଠକରେ ମଧ୍ୟ ନୀତିଶ ସାମିଲ ହୋଇନଥିଲେ । ସେତେବେଳେ ବିଜେପି-ନୀତିଶ ସମ୍ପର୍କ ଖୁବଶୀଘ୍ର ଭାଙ୍ଗିବାକୁ ଯାଉଥିବା ଚର୍ଚ୍ଚାର ପ୍ରାରମ୍ଭ ହୋଇଥିଲା । ସେହିପରି ଗତ ବର୍ଷ ଜୁଲାଇରେ ସେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆୟୋଜିତ ବିଦାୟକାଳୀନ ନୈଶ୍ୟଭୋଜିରୁ ମଧ୍ୟ ଦୂରେଇ ରହିଥିଲେ । କେବଳ ପୂର୍ବତନ ନୁହନ୍ତି ବରଂ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରୁ ମଧ୍ୟ ନୀତୀଶ କୁମାର ଦୂରେଇ ରହି ବିଜେପି ପ୍ରତି ତାଙ୍କ ବିରୋଧାଭାଷ ଦର୍ଶାଇଥିଲେ ।

ଏବେ ବିହାରରେ ବିଜେପି ସମର୍ଥିତ ମେଣ୍ଟ ଭାଙ୍ଗି ସାରିଛି । ନୀତିଶ ଏବେ ମହାଗଠବନ୍ଧନ ସମର୍ଥନରେ ମୁଖ୍ଯମନ୍ତ୍ରୀ ଥିବା ବେଳେ 2024 ରେ ବିଜେପି ବିରୋଧରେ ଲଢେଇ ଆରମ୍ଭର ପ୍ରଥମ ସୂତ୍ରଧର ରହିଛନ୍ତି । ହେଲେ ବର୍ତ୍ତମାନ ଶନିବାର ନୀତୀଶ କୁମାର ଦିଲ୍ଲୀର 'ଭାରତ ମଣ୍ଡପମ'ରେ ଜି20 ରାଷ୍ଟ୍ରମୁଖ୍ୟ ତଥା ଅତିଥିମାନଙ୍କ ପାଇଁ ଆୟୋଜିତ ନୈଶ୍ୟଭୋଜନରେ ଅଂଶଗ୍ରହଣ କରିଥିଲେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାର୍ତ୍ତାଳାପ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ମମତା ମଧ୍ୟ ଆସିଥିଲେ ଦିଲ୍ଲୀ :-

ତେବେ କେବଳ ନୀତିଶ ନୁହନ୍ତି ବରଂ ବିଜେପି ବିରୋଧରେ ଗର୍ଜନ କରୁଥିବା ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ନୈଶ୍ଯଭୋଜିରେ ସାମିଲ ହୋଇଥିଲେ । ଯାହାକୁ ନେଇ ବିରୋଧୀ ମେଣ୍ଟର ମୁଖ୍ୟ ଦଳ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛି । ତେବେ ଏହି କାର୍ଯ୍ୟକ୍ରମରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏକମାତ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ ଅଂଶଗ୍ରହଣ କରିଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ନିମନ୍ତ୍ରିତ ହୋଇଥିଲେ ମଧ୍ୟ ଅଂଶଗ୍ରହଣ କରିନଥିଲେ ।

ଖଡଗେ ଓ ନଡ୍ଡାଙ୍କୁ ନଥିଲା ନିମନ୍ତ୍ରଣ :-

ସେହିପରି ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି ନୈଶ୍ୟଭୋଜିରେ ନିମନ୍ତ୍ରଣ ମଧ୍ୟ ଦିଆଯାଇ ନଥିଲା । କଂଗ୍ରେସ ମଧ୍ୟ ଏହାକୁ ବିରୋଧ କରିଥିଲା, କିନ୍ତୁ ସରକାର କହିଥିଲେ, ଏହି କାର୍ଯ୍ୟକ୍ରମରେ କୌଣସି ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ ହୋଇନାହିଁ । କେବଳ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କ୍ୟାବିନେଟ ହିଁ ଅଂଶଗ୍ରହଣ କରିବାକୁ ନିମନ୍ତ୍ରିତ ହୋଇଥିଲେ । ଏପରିକି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇନାହିଁ ।

ଏହା ମଧ୍ଯ ପଢନ୍ତୁ :-G20 Summit: ଭାରତ ଏବେ ଗ୍ଲାବାଲ ସାଉଥର ସ୍ବର, ସଫଳ ଆୟୋଜନକୁ ବିଦେଶୀ ଗଣମାଧ୍ୟମରେ ପ୍ରଶଂସା

ସାମିଲ ହେଲେନି ଏହି ମୁଖ୍ଯମନ୍ତ୍ରୀ :-

ଏହି ନୈଶ୍ୟଭୋଜିରେ ସମସ୍ତ ମୁଖ୍ଯମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରମୁଖ ଅଂଶଗ୍ରହଣ କରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details