ନୂଆଦିଲ୍ଲୀ:ଦେଶର ବିଭିନ୍ନ ରାଜ୍ୟରେ ତେଲ ସଙ୍କଟ ସୃଷ୍ଟି ହୋଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଭଳି କେତେକ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ରହିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ରାଷ୍ଟ୍ରାୟତ ତେଲ କମ୍ପାନୀମାନେ ଡିଲରମାନଙ୍କୁ ଆବଶ୍ୟକ ପରିମାଣର ତେଲ ଯୋଗାଇ ପାରୁନଥିବା ଯୋଗୁଁ ଏବେ ଅନେକ ପେଟ୍ରୋଲ ଟାଙ୍କି ଶୁଖିଲା ପଡିଛି । ଏହାକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସରକାର । କେନ୍ଦ୍ର ସରକାର ତେଲ ଅଭାବ ସମ୍ପର୍କିତ ଘଟଣାକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି । ଦେଶରେ ତେଲ ଅଭାବ ଭଳି ସ୍ଥିତି ନାହିଁ ବୋଲି ସ୍ପଷ୍ଟ କରିଛି କେନ୍ଦ୍ର ।
ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ପେଟ୍ରୋଲ ପମ୍ପ ମାଲିକମାନଙ୍କ ଉପରେ ତେଲ କମ୍ପାନୀଗୁଡିକଙ୍କ ବକେୟା ଅର୍ଥ ପଡିରହିଛି । ଯାହାକୁ ପ୍ରଦାନ କରିବାକୁ କମ୍ପାନୀ ପମ୍ପ ମାଲିକମାନଙ୍କ ଉପରେ ଚାପ ପକାଉଛନ୍ତି । ସେମାନେ ଏହା ଦେଉନଥିବାରୁ ତେଲ କମ୍ପାନୀ ସେହି ସବୁ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଯୋଗାଣ ହ୍ରାସ କରିଛନ୍ତି ବୋଲି କୁହାଯାଉଛି । ଅନ୍ୟପଟେ ଏ ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ''ଚାହିଦା ମୁତାବକ ଦେଶରେ ଯଥେଷ୍ଟ ପରିମାଣର ପେଟ୍ରୋଲ ଓ ଡିଜେଲ ଉତ୍ପାଦନ ହେଉଛି । ହେଲେ ହଠାତ୍ ଚାହିଦା ବୃଦ୍ଧି ହୋଇଥିବାରୁ କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଲଜିଷ୍ଟିକକୁ ନେଇ କିଛି ସମସ୍ୟା ସୃଷ୍ଟି ହୋଇଛି । ତେଲ କମ୍ପାନୀଗୁଡିକ ଏହି ସମସ୍ୟ ଦୂର କରିବା ଦିଗରେ ପ୍ରଚେଷ୍ଟା କରୁଛନ୍ତି ।''