ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଆଜି ଆପ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସକାଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଚଢାଉ ପରେ ତାଙ୍କୁ ଗିରଫ କରିବା ସମ୍ଭାବନା ରହିଥିବା କହିଛନ୍ତି ଦିଲ୍ଲୀ ମନ୍ତ୍ରୀ ଆତିଶି ଏବଂ ସୌରଭ ଭରଦ୍ବାଜ । ବାରମ୍ବାର ସମନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଇଡିରେ ହାଜର ନହେବାରୁ ତାଙ୍କୁ ଆଜି ଗିରଫ କରିବାର ସମ୍ଭାବନା ରହିଥିବା ଦିଲ୍ଲୀ ସରକାରଙ୍କ ଉଭୟ ମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ।
ଆପ୍ ନେତା ତଥା ଦିଲ୍ଲୀର ଆଇନ ତଥା ପିଡବ୍ଲୁଡି ମନ୍ତ୍ରୀ ଆତିଶି କହିଛନ୍ତି ଯେ, ଗୁରୁବାର ସକାଳେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଇଡି ଚଢାଉ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବାର ସମ୍ଭାବନା ମଧ୍ୟ ରହିଛି । ଆତିଶିଙ୍କ ଏହି ପୋଷ୍ଟର କିଛି ମିନିଟ ପରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ ମଧ୍ୟ ଏକ୍ସରେ ଟ୍ବିଟ କରି କେଜ୍ରିୱାଲଙ୍କୁ ଇଡି ଗିରଫ କରିବା ସମ୍ଭାବନା ରହିଥିବା କହିଥିଲେ । ସେ ଟ୍ବିଟ କରି କହିଥିଲେ ଯେ, ଶୁଣିବାକୁ ମିଳୁଛି ଗୁରୁବାର ସକାଳେ ଇଡି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିବାକୁ ଯାଉଛି ।