ପାଟନା: ବିହାରରେ ଦେଖିବାକୁ ମିଳିଛି ଡେଙ୍ଗୁର ପ୍ରକୋପ । ଗତକାଲି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚିହ୍ନଟ ହୋଇଛନ୍ତି 333 ଆକ୍ରାନ୍ତ । ଏହି ରେକର୍ଡ ସଂଖ୍ଯକ ଆକ୍ରାନ୍ତଙ୍କ ସହ ରାଜ୍ୟରେ ସକ୍ରିୟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା 3000 ପାର କରିଛି । ଯାହାକୁ ନେଇ ଚିନ୍ତା ବଢିଛି । ସ୍ବାସ୍ଥ୍ୟ ବିଭାଗ ହାଇଆଲର୍ଟ ଜାରି କରିବା ସହ ସମସ୍ତ ସ୍ତରର ହସ୍ପିଟାଲରେ ଡେଙ୍ଗୁ ମୁକାବିଲା ପ୍ରସ୍ତୁତି ବଢାଇବାକୁ ନିର୍ଦ୍ଦେଶ ଦେଇଛି । ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଟେଷ୍ଟିଂ କରିବା ପାଇଁ ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ସରକାରୀ ତଥ୍ୟ ଅନୁସାରେ,ରାଜ୍ୟର 12ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ମୋଟ 274 ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେବା ସହ ଭର୍ତ୍ତି ହୋଇଛନ୍ତି । ଏଥି ମଧ୍ୟରେ ଭାଗଲପୁର JLN ମେଡିକାଲ କଲେଜରେ ସର୍ବାଧିକ 115 ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ପାଟନାର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ 62 , PMCH ଓ IGIMS ରେ 16 ଲେଖାଏଁ ଆକ୍ରାନ୍ତ, AIIMSରେ 20 ଓ NMCHରେ 10ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ସମସ୍ତଙ୍କୁ ଆଇସୋଲେନ ଓ୍ବାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ସେଲ ଖାଲାଯିବା ସହ ଡାକ୍ତରୀ ଦଳ ମଧ୍ୟ ଗଠନ ହୋଇଛି ।
ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ସଂଖ୍ୟା 3099ରେ ପହଞ୍ଚିଛି । ମୋଟ ସଂକ୍ରମଣ ମଧ୍ୟରୁ କେବଳ ଚଳିତ ମାସ (ସେପ୍ଟେମ୍ବର)ରେ 2824 ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସର୍ବାଧିକ ପ୍ରଭାବିତ ଜିଲ୍ଲା ଗୁଡ଼ିକ ମଧ୍ୟରେ ଭାଗଲପୁର, ଶିବନ, ଜାମୁଇ, ଔରଙ୍ଗାବାଦ, ସରଣ ଏବଂ ମୁଙ୍ଗର ପ୍ରମୁଖ ରହିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରୁ 333 ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।