ଓଡିଶା

odisha

Delhi air quality: ବିଷ ବଳୟରେ ରାଜଧାନୀ, ଆଜିଠୁ ଗଡିବନି ଡିଜେଲ ବସ

By ETV Bharat Odisha Team

Published : Nov 1, 2023, 6:14 PM IST

ଆଜିଠୁ ଦିଲ୍ଲୀ-ଏନସିଆରରେ ଗଡିବନି ଡିଜେଲ ବସ । କେବଳ ଇଲେକ୍ଟ୍ରିକ, ସିଏନଜି ଓ ବିଏସ-6 ବର୍ଗର ବସକୁ ଅନୁମତି । ଦୀପାବଳୀ ପୂର୍ବରୁ ଚରମ ସୀମାରେ ପ୍ରଦୂଷଣ । ଅଧିକ ପଢନ୍ତୁ

Delhi air quality: ବିଷ ବଳୟରେ ରାଜଧାନୀ, ଆଜିଠୁ ଗଡିବନି ଡିଜେଲ ବସ
Delhi air quality: ବିଷ ବଳୟରେ ରାଜଧାନୀ, ଆଜିଠୁ ଗଡିବନି ଡିଜେଲ ବସ

ନୂଆଦିଲ୍ଲୀ:ଶୀତ ଋତୁ ଆରମ୍ଭ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିଛି । ଏହାର ମୁକାବିଲା କରିବା ପାଇଁ ଆଜି ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ଓ ଏନସିଆରରେ ଆଜିଠାରୁ ଡିଜେଲ ଚାଳିତ ବସ ସେବାକୁ ନିଷେଧ କରାଯାଇଛି । ଏବେ କେବଳ ଇଲେକ୍ଟ୍ରିକ, ସିଏନଜି ଓ ବିଏସ-6 ବର୍ଗର ବସକୁ ରାଜଧାନୀରେ ଯାତାୟତ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ତେଣୁ ସମସ୍ତେ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ ।

ଗଣମାଧ୍ୟମକୁ ସୂଚନା ଦେଇ ପରିବେଶ ମନ୍ତ୍ରୀ ଗୋପାଲ ରାୟ କହିଛନ୍ତି, ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM)ର ବର୍ତ୍ତମାନର ସ୍ଥିତି ସମୀକ୍ଷା ଓ ପରାମର୍ଶ ଅନୁସାରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏବେ ଦିଲ୍ଲୀ ଓ ଏନସିଆରରେ ଡିଜେଲ ବସକୁ ଆଜିଠାରୁ ବନ୍ଦ କରାଯାଇଛି । ସରକାରୀ ପରିବହନ ସଂସ୍ଥା ମଧ୍ୟ ଏହାକୁ ଅନୁପାଳନ କରିବ । ନିଜ ବସ ଡିପୋରୁ କେବଳ ଇଲେକ୍ଟ୍ରିକ, ସିଏନଜି ଓ ବିଏସ-6 ବର୍ଗର ବସକୁ ସେବାରେ ନିୟୋଜିତ କରିବା ଉଚିତ । ଯାହା ଫଳରେ ଲୋକେ ସମସ୍ୟାର ସାମ୍ନା କରିବେ ନାହିଁ । ସେହିପରି ସ୍ଥିତିକୁ ଦେଖି ମୋଟ 18ଟି ଟିମ ମଧ୍ୟ ଗଠନ କରାଯାଇଛି । ଏହି ଟିମ୍‌ ଏହି ନିୟମ ପାଳନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ସହ ବାୟୁ ପ୍ରଦୂଷଣର ମୁକାବିଲା ଦିଗରେ କାର୍ଯ୍ୟ କରିବ ।

ଟ୍ରାଫିକ୍‌ ବହୁଳ ଦିଲ୍ଲୀରେ ପ୍ରାୟ ପ୍ରତ୍ୟେକ ବର୍ଷ ଶୀତଦିନେ ଏହି ସମସ୍ୟା ଦେଖାଯାଏ । ପଡୋଶୀ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରୁ ହଜାର ହଜାର ଯାତ୍ରୀବାହୀ ବସ ଦିଲ୍ଲୀକୁ ପ୍ରତ୍ୟେହ ଯାତାୟତ କରିଥାନ୍ତି । ଏହା ମଧ୍ୟରେ ଅନେକ ବସ ପୁରୁଣା ଡିଜେଲ ଶ୍ରେଣୀର ରହିଛନ୍ତି । ଏହି ବର୍ଗରେ ବିଏସ-3 ଓ 4 ବର୍ଗର ଇଞ୍ଜିନ ଚାଳିତ ବସ ରହିଛି । ତେଣୁ ଯାନବାହନରୁ ନିର୍ଗତ ହେଉଥିବା ଧୂଆଁ ହିଁ ରାଜଧାନୀ ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ଭାବେ ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ :- ED Attaches Jet Airways Properties: ଜେଟ ଏୟାରୱେଜର 538 କୋଟିର ସମ୍ପତ୍ତି ଜବତ କଲା ED

ଦୀପାବଳି ପୂର୍ବରୁ ଦିଲ୍ଲୀରେ ଏପରି ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ ପାଇବାରେ ଲାଗିଛି । ବାୟୁମଣ୍ଡଳରେ ପ୍ରଦୂଷିତ କଣିକାର ମାତ୍ରା ବୃଦ୍ଧି ପାଇବା ସହ ଦୃଶ୍ୟମାନ୍ୟତା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏହି କାରଣରୁ ଦୁର୍ଘଟଣା ଘଟିବା ସହ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ । ଶିଶୁ ଓ ବୟସାଧିକ ବର୍ଗ ପାଇଁ ଏହି ସମସ୍ୟା ଅତି ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଥାଏ । ତେଣୁ ପଡୋଶୀ ହରିୟାଣା ଓ ପଞ୍ଜାବରେ କୃଷକଙ୍କୁ ଫସଲ ଅମଳ ପରେ କ୍ଷେତରେ ନିଆଁ ନଲଗାଇବାକୁ ପରାମର୍ଶ ଦିଆଯାଇଛି । ଏହା ସହ ଚଳିତ ଦୀପାବଳିରେ ମଧ୍ୟ ରାଜଧାନୀବାସୀ ବାଣ ଫୁଟାଇବାରୁ ଦୂରରେ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details