ଓଡିଶା

odisha

ବସିଲା AICC ବୈଠକ, ରାହୁଲଙ୍କ ସଦସ୍ୟତା ରଦ୍ଦ ନେଇ ଦଳର ଜନଆନ୍ଦୋଳନ ଡାକରା

By

Published : Mar 24, 2023, 10:58 PM IST

ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା ପରେ ଜନଆନ୍ଦୋଳନ ଡାକରା ଦେଲା କଂଗ୍ରେସ । ଶୁକ୍ରବାର ସନ୍ଧ୍ୟାରେ ବସିଥିବା AICC ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

congress leaders meet at aicc
congress leaders meet at aicc

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ଶୁକ୍ରବାର ସନ୍ଧ୍ୟାରେ ବସିଛି AICC ବୈଠକ । କଂଗ୍ରେସକୁ ଏହାକୁ ଗଣତନ୍ତ୍ର ଲାଗି କଳା ଦିନ କହିବା ସହ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଏହା ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛି । ଏହା ବିରୋଧରେ ଦଳ ଆଇନଗତ ଲଢେଇ ସହିତ ଜନ ଆନ୍ଦୋଳନ ଡାକରା ଦେଇଛି । ସୋମବାରଠାରୁ ଦେଶବ୍ୟାପୀ ଜନଆନ୍ଦୋଳନ କରିବା ଲାଗି ଦଳ ନିଷ୍ପତ୍ତି ନେଇଛି ।

ଦଳ କହିଛି ଯେ ଆଦାନୀ କେଳେଙ୍କାରୀରେ JPC ତଦନ୍ତ ଦାବି କରିବା ଓ ଅନ୍ୟ କିଛି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାରୁ ରାହୁଲଙ୍କୁ ଏହି ମୂଲ୍ୟ ଦେବାକୁ ପଡ଼ିଛି । ଶନିବାର ସେ ଏ ନେଇ ଗଣମାଧ୍ୟମକୁ ସୂଚନା ଦେବେ । ରାହୁଲଙ୍କ ସାଂସଦ ପଦ ରଦ୍ଦ ପରେ ଆଗକୁ ଦଳର ରଣନୀତି କଣ ହେବ ସେ ନେଇ ଶୁକ୍ରବାର ସନ୍ଧ୍ୟାରେ ଦଳ ମୁଖ୍ୟାଳୟରେ ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ବସିଥିଲା AICC ବୈଠକ । ଏହି ବୈଠକରେ କଂଗ୍ରେସର ଶୀର୍ଷ ନେତୃତ୍ବ ସାମିଲ ହୋଇଥିଲେ ।

ଏହା ବି ପଢନ୍ତୁ- ରାହୁଲଙ୍କ ସାଂସଦ ପଦ ରଦ୍ଦକୁ ବିରୋଧୀଙ୍କ ମିଳିତ ବିରୋଧ, କହିଲେ ଏହା ଗଣତନ୍ତ୍ରର ହତ୍ୟା

ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସର ମହାସଚିବ ଜୟରାମ ରମେଶ କହିଛନ୍ତି, "ଏହି ଘଟଣା ପରେ ରାଜନୈତିକ ପଦକ୍ଷେପ କଣ ହେବା ଉଚିତ ସେ ନେଇ ଆଲୋଚନା ହୋଇଛି । ଆମେ ଏହି ପ୍ରସଙ୍ଗକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବୁ । ରାହୁଲ ଗାନ୍ଧୀଙ୍କୁ ଯୋଜନାମୂଳକ ଭାବେ ସାଂସଦ ପଦରୁ ଅଯୋଗ୍ୟ ଘୋଷିତ କରାଯାଇଛି । ଖୁବଶୀଘ୍ର ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ । ସୋମବାରଠାରୁ ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ ।"

କଂଗ୍ରେସ ଅଧ୍ୟକ୍ଷ ମଲ୍କିକାର୍ଜୁନ ଖଡ଼ଗେ କହିଛନ୍ତି, "ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳକୁ ମୋଦି ସରକାର ସବୁଠୁ ଅଧିକ ଭୟ କରିଥାନ୍ତି । ଗଣତନ୍ତ୍ରର ହତ୍ୟା କରିବା ଲାଗି ସେ ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ରଦ୍ଦ କରିଛନ୍ତି । ସେ ସତ କଥା କହୁଥିବା ବ୍ୟକ୍ତିଙ୍କ ମୁହଁ ବନ୍ଦ କରିବାକୁ ଚାହୁଁଛନ୍ତି । ଦେଶବାସୀ ଏହାକୁ କଦାପି ସହ୍ୟ କରିବେ ନାହିଁ । ଗଣତନ୍ତ୍ରର ସୁରକ୍ଷା ଲାଗି ଆମେ ଜେଲ ପର୍ଯ୍ୟନ୍ତ ଯିବାକୁ ପ୍ରସ୍ତୁତ ଅଛୁ । ଏହାପରେ ମଧ୍ୟ ଆମେ ଜେପିସିର ଦାବି କରିବୁ । "

ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, "ବିଜେପିର ମନ୍ତ୍ରୀ, ମୁଖପାତ୍ର, ସାଂସଦ ଓ ଶେଷରେ ପ୍ରଧାନମନ୍ତ୍ରୀ ମୋଦି ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ମୋର ପରିବାର, ରାହୁଲ ଗାନ୍ଧୀ, ମୋ ମାଆ, ମୋ ପିତା, ପଣ୍ଡିତ ନେହେରୁଙ୍କ ସମ୍ପର୍କରେ ଚର୍ଚ୍ଚ କରନ୍ତି । ଏହା ବହୁ ପୁରୁଣା କଥା । ମୋ ଭାଇ ଆଦାନୀ କେଳେଙ୍କାରୀକୁ ନେଇ ସଂସଦରେ ଲଗାତାର ଦାବି କରିବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗାନ୍ଧୀ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ରକ୍ତରେ ରହିଛି ଯେ କେବେ ମୁଣ୍ଡ ନୁଆଁଇବୁ ନାହିଁ ।"

ABOUT THE AUTHOR

...view details