କୃଷକ ଆନ୍ଦୋଳନ ଯୋଗୁଁ ଯେଉଁ କେତୋଟି ରାଜନୈତିକ ଦଳ ବିସ୍ମୟାଭିଭୂତ ହେଲେ, ସେଥିରୁ ଅନ୍ୟତମ ଥିଲା ଶିରୋମଣି ଅକାଳି ଦଳ । ବିସ୍ମୟକାରୀ ରାଜନୈତିକ ଗୋଟିଚାଳନାରେ ସିଦ୍ଧହସ୍ତ ପ୍ରବୀଣ ରାଜନୈତିଜ୍ଞ କ୍ୟାପଟେନ ଅମରିନ୍ଦର ସିଂହ, କେବଳ ଯେ ଅକାଳି ଦଳକୁ ଏହାର ପୂର୍ବ ମେଣ୍ଟରୁ ଦୂରେଇ ଯିବାକୁ ବାଧ୍ୟ କଲେ, ତା ନୁହେଁ, ବରଂ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଅକାଳି ଦଳ ସବୁବେଳେ ଦୁଇ ପାଦ ପଛରେ ରହିଲା ।
ପଞ୍ଜାବରେ ଅନୁଷ୍ଠିତ ପୌର ସଂସ୍ଥା ନିର୍ବାଚନରେ ଏ କଥା ସ୍ପଷ୍ଟ ହୋଇଯାଇଛି ଯେ, କୃଷକ ଆନ୍ଦୋଳନରୁ କଂଗ୍ରେସକୁ ପ୍ରଥମଥର ପାଇଁ ରାଜନୈତିକ ଫାଇଦା ମିଳିଛି । ମୋଟ 8ଟି ପୌର ନିଗମରୁ 7ଟିରେ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି ଏବଂ ଏହି ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ଥିଲା କେନ୍ଦ୍ର ଦ୍ବାରା ପ୍ରଣୀତ ତିନିଟି କୃଷି ଆଇନ । ହେଲେ ଭାଟିଣ୍ଡାର ନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ସବୁଠାରୁ ସୁଖପ୍ରଦ ହୋଇଛି । କାରଣ, ଏଠାକାର ନିଗମରେ 53 ବର୍ଷ ପରେ କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି । ଏହି ବିଜୟର ଝଙ୍କାର ପଡ଼ୋଶୀ ହରିଆଣାରେ ମଧ୍ୟ ପ୍ରତିଧ୍ବନିତ ହେବାକୁ ଯାଉଛି ।
ଗତ ବିଧାନସଭା ନିର୍ବାଚନ ପରବର୍ତ୍ତୀ ସମୟରେ ମେଣ୍ଟ ଗଠନ ବଳରେ ହିଁ ବିଜେପି ସେଠାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ କ୍ଷମତାସୀନ କରିପାରିଥିଲା । ସୀମା ଆରପଟ ପଡ଼ୋଶୀ ରାଜ୍ୟରେ ଏହି ନିର୍ବାଚନ ଫଳାଫଳର ଚାପ ହରିଆଣାର ମେଣ୍ଟ ସରକାର ଉପରେ ପଡ଼ିବାର ସମ୍ଭାବନା ରହିଛି ଏବଂ ଏହା ସହିତ ଦିଲ୍ଲୀ ସୀମାବର୍ତ୍ତୀ ଅଞ୍ଚଳରେ ଚାଲିଥିବା ଆନ୍ଦୋଳନକୁ ମଧ୍ୟ ଏହା ଅଧିକ ବଳଶାଳୀ କରିବ ବୋଲି ମତ ପ୍ରକାଶ ପାଇଛି । ତେବେ, ଯୋଗୀ ଆଦିତ୍ୟନାଥ ଏତିକିରେ ସନ୍ତୁଷ୍ଟ ରହିପାରନ୍ତି ଯେ, ରାକେଶ ଟିକାୟତଙ୍କ ଆଖିର ଲୁହ ପଶ୍ଚିମ ଉତ୍ତର ପ୍ରଦେଶରେ ଜାଟ ସଂପ୍ରଦାୟକୁ ସିନା ଏକାଠି କରିଦେଲା, ହେଲେ ବିଜେପିକୁ ଆହ୍ବାନ କରିବା ଭଳି ଏକ ରାଜନୈତିକ ଶକ୍ତିରେ ପରିଣତ କରିପାରିଲା ନାହିଁ କି ବର୍ତ୍ତମାନ ପାଇଁ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ କୃଷକ ଆନ୍ଦୋଳନ ପ୍ରତି ପୃଷ୍ଠପୋଷକତା ଯୋଗାଡ଼ କରିପାରିଲା ନାହିଁ ।
ଏବେ ଯେଉଁ ବଡ଼ ପ୍ରଶ୍ନଟି ଉଙ୍କି ମାରୁଛି, ତାହା ହେଲା ରାଜନୈତିକ ରଙ୍ଗ ସହିତ ଶାଖା ମେଲୁଥିବା କୃଷକ ଅନ୍ଦୋଳନକୁ ଗୈରିକ ଦଳ କ’ଣ ଅଣଦେଖା କରିପାରିବ । କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ, ଆଇନଗୁଡ଼ିକ ପ୍ରତ୍ୟାହୃତ ହେବ ନାହିଁ, କିନ୍ତୁ ସେଥିରେ କିଛି ସଂଶୋଧନ କରିବା ଲାଗି ସରକାର ଇଚ୍ଛୁକ ଅଛନ୍ତି । ଯାହାହେଲେ ବି ସରକାରଙ୍କର ଏହି କଠୋର ମୂଲଚାଲ ନୀତି ଯୋଗୁଁ ଅଚଳାବସ୍ଥା ହିଁ ସୃଷ୍ଟି ହୋଇଛି । ହୁଏତ ଏହି ଅଚଳାବସ୍ଥା ପାଇଁ ରାଜନୈତିକ କ୍ଷେତ୍ରରେ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ ।