ଉଭୟ ପ୍ରାଥମିକ ଓ ଉଚ୍ଚ ଶିକ୍ଷା କ୍ଷେତ୍ରର ରୂପାନ୍ତରଣ ନିମନ୍ତେ ନୂତନ ଶିକ୍ଷା ନୀତି-2020 ଉଦ୍ଦିଷ୍ଟ, କିନ୍ତୁ ଏଥିରେ କୋଭିଡ୍ ପ୍ରସଙ୍ଗକୁ ସଂପୂର୍ଣ୍ଣ ଏଡ଼ାଇ ଦିଆଯାଇଛି ବୋଲି କହନ୍ତି ‘ସେଭ୍ ଦି ଚିଲ୍ଡ୍ରେନ୍, ଇଣ୍ଡିଆ’ର ମୁଖ୍ୟ କମଲ ଗୌର ।
ଈଟିଭି ଭାରତର କ୍ରିଷ୍ଣାନନ୍ଦ ତ୍ରିପାଠୀଙ୍କ ସହ ଏକ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ ସେ କହିଛନ୍ତି ଯେ, ଭବିଷ୍ୟତରେ କୋଭିଡ୍ ଭଳି ପରିସ୍ଥିତି ପାଇଁ ଆମ ସ୍କୁଲଗୁଡ଼ିକୁ କିଭଳି ପ୍ରସ୍ତୁତି କରିବାକୁ ହେବ ଏବଂ ସେଭଳି ସର୍ବବ୍ୟାପୀ ମହାମାରୀ ସମୟରେ ଶିକ୍ଷାଦାନର ଧାରାକୁ କେମିତି ଅବ୍ୟାହତ ରଖି ହେବ ସେ ସଂପର୍କରେ ଏହି ଶିକ୍ଷା ନୀତିରେ ଉଲ୍ଲେଖ କରାଯାଇନାହିଁ । ସଂପାଦିତ ଉଦ୍ଧୃତାଂଶ...
ପ୍ରଶ୍ନ:କେବଳ 10+2 ଢାଞ୍ଚାକୁ ଏକ ନୂତନ 15 ବର୍ଷିଆ ପଦ୍ଧତିରେ ପରିବର୍ତ୍ତନ କରିଦେଲେ ସାରା ଦେଶରେ ଆମର ଶିକ୍ଷାଦାନର ଧାରା ବଦଳି ଯିବ କି ?
ଉତ୍ତର:ଆପଣ ଯଦି ଏହାର ମୂଳ ଲକ୍ଷ୍ୟକୁ ବିଚାର କରନ୍ତି ତେବେ ଉଭୟ ସ୍କୁଲ ସ୍ତରରେ ଏବଂ ଉଚ୍ଚଶିକ୍ଷା ସ୍ତରରେ ଏହା ଖୁବ୍ ପରିବର୍ତ୍ତନଧର୍ମୀ । ଏହାର କାର୍ଯ୍ୟ ପରିସରରେ ଅନେକ କ୍ଷେତ୍ରକୁ ସାମିଲ କରାଯାଇଛି । ଏଥିରେ କେତେକ ନୂତନ କ୍ଷେତ୍ର ରହିଛି । ଯେମିତି କି ଅଳ୍ପବୟସରୁ ଶିକ୍ଷାଗ୍ରହଣ ଏହି ନୂତନ ଶିକ୍ଷା ନୀତିର ଅଂଶବିଶେଷ ହୋଇଛି । ଏହା ଆମ ପାଇଁ ଖୁବ ଉତ୍ସାହଜନକ । କାରଣ ମୌଳିକ ଶିକ୍ଷା ଉପରେ ଧ୍ୟାନ ଦିଆଯାଇଛି ଏବଂ ଏଥିପାଇଁ ହିଁ ଆମେ ସଂଗ୍ରାମ କରୁଥିଲୁ । କିନ୍ତୁ ସେଥିରେ କେତେକ କ୍ଷେତ୍ର ଉପରେ ନଜର ଦିଆଯାଇନାହିଁ । ଉଦାହରଣ ସ୍ବରୂପ, ଆମେ କେମିତି ଏହାକୁ ହାସଲ କରିବା । ଆମେ ଶିକ୍ଷା ବ୍ୟବସ୍ଥାକୁ 100% ପିଲାଙ୍କ ପାଖରେ ପହଞ୍ଚାଇବା କଥା କହୁଛୁ, କିନ୍ତୁ କୌଣସି ଅଗ୍ରଗତି ସଂପର୍କିତ ରୂପରେଖ ନାହିଁ କି ଅବଲମ୍ବନ ଉପାୟ ବିଷୟରେ କୁହାଯାଇନାହିଁ ।
ପ୍ରଶ୍ନ: କେତେକ ସମାଲୋଚକ ଯୁକ୍ତି କରନ୍ତି ଯେ ପ୍ରାକୃତିକ ସଂଖ୍ୟା 1ରୁ ଆରମ୍ଭ ହୋଇଥାଏ... ତେଣୁ ସ୍କୁଲ ଶିକ୍ଷା ବ୍ୟବସ୍ଥା ବି 1ମ ଶ୍ରେଣୀରୁ ଆରମ୍ଭ ହେବା ଉଚିତ । କିନ୍ତୁ, ପ୍ରସ୍ତୁତିମୂଳକ ଶିକ୍ଷାର ବାଣିଜ୍ୟିକରଣ ନିମନ୍ତେ ବେସରକାରୀ ସ୍କୁଲଗୁଡ଼ିକ ପ୍ରି-ସ୍କୁଲ୍ ଏବଂ କିଣ୍ଡରଗାର୍ଟନ ଶିକ୍ଷା ଆରମ୍ଭ କଲେ । ତେଣୁ ଏହି ଶିକ୍ଷା ନୀତିରେ ସମ୍ମିଳିତ ପ୍ରସ୍ତୁତିମୂଳକ ଶିକ୍ଷା ବ୍ୟବସ୍ଥାକୁ କେତେକ ସମାଲୋଚନା କରନ୍ତି ।
ଉତ୍ତର:‘ସେଭ୍ ଦି ଚିଲ୍ଡ୍ରେନ୍’ ସଂସ୍ଥାରେ ଆମେ ଏବଂ ଅନ୍ୟ ଅନେକ ଶିକ୍ଷାବିତ୍, ସହାୟକ ଏବଂ ଅଂଶୀଦାରମାନଙ୍କ ମତରେ ଅଳ୍ପ ବୟସର ପିଲାମାନଙ୍କୁ ସ୍କୁଲ ଯିବା ଲାଗି ଆହୁରି ଭଲ ଭାବେ ପ୍ରସ୍ତୁତ କରାଇବା ପ୍ରସଙ୍ଗ ବିଚାରକୁ ନେଇ ଛୋଟ ବୟସରୁ ଶିକ୍ଷାଗ୍ରହଣ ଦିଗରେ ବ୍ୟବସ୍ଥା ଏବଂ ଏହାକୁ ସ୍କୁଲ ଶିକ୍ଷା ପଦ୍ଧତି ସହ ସମନ୍ବିତ କରିବା ଏକ ଉତ୍ତମ ପଦକ୍ଷେପ । ପିଲାଙ୍କୁ ସ୍କୁଲ ଯିବା ଲାଗି ପ୍ରସ୍ତୁତ କରାଇବା ଆମ କାର୍ଯ୍ୟଧାରାର ଏକ ପ୍ରମୁଖ କ୍ଷେତ୍ର । ପିଲାଙ୍କୁ ସ୍କୁଲ ଯିବା ପାଇଁ ପ୍ରସ୍ତୁତ କରାଇବା ଉଦ୍ଦେଶ୍ୟରେ ହିଁ ଅଙ୍ଗନବାଡ଼ି ଓ ବିଭିନ୍ନ ପ୍ରାକ୍-ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରଣୀତ ହୋଇଛି ।
ଅନ୍ୟ ପ୍ରସଙ୍ଗଟି ହେଲା ଯେ ଆମ ସ୍କୁଲ ଏବଂ ଶିକ୍ଷାଦାନ ପଦ୍ଧତି ଏହି ପିଲାମାନଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ କି ? କାରଣ, ପ୍ରାକ୍-ବିଦ୍ୟାଳୟ ପର୍ଯ୍ୟାୟ ଶିକ୍ଷା ମାଗଣାରେ ମିଳେ, ଏହା ଏକ ପ୍ରକାରର ପ୍ରାକୃତିକ ଏବଂ ଜୈବିକ ପଦ୍ଧତି ଏବଂ ଏଥିରେ ପିଲାମାନଙ୍କର ଖୁବ୍ ଯତ୍ନ ନିଆଯାଏ ।
ଯେତେବେଳେ ଜଣେ ପିଲା 10x10 ବର୍ଗଫୁଟର ଏକ କୋଠରିରୁ ବାହାରି ଏକ ବିରାଟ କୋଠା, ବଡ଼ ଫାଟକ ଲାଗିଥିବା ସ୍କୁଲରେ ପହଞ୍ଚେ, ଯେଉଁଠି କି ଶିକ୍ଷକ ବା ଶିକ୍ଷୟିତ୍ରୀମାନେ ନିର୍ଦ୍ଦିଷ୍ଟ ଦୂରତାରେ ରହିଥାଆନ୍ତି, ସେତେବେଳେ ତା ପାଇଁ ଏହା ଏକ ସମସ୍ୟା ରୂପେ ଉଭା ହୁଏ ।
ପ୍ରଶ୍ନ: ଏହି ନୀତିରେ ମୌଳିକ ସାକ୍ଷରତା ଏବଂ ଅଙ୍କ ଶିକ୍ଷା ବିଷୟରେ କୁହାଯାଇଛି । କେତେକ ବିଶେଷଜ୍ଞଙ୍କ ମତରେ ପଢ଼ିବା, ଲେଖିବା ଏବଂ ମୌଳିକ ପାଟୀଗଣିତ ଶିକ୍ଷା ଅତି ଗୁରୁତ୍ବପୂର୍ଣ୍ଣ ଦକ୍ଷତା ରୂପେ ପରିଗଣିତ ଏବଂ ଯଦି ଜଣେ ପିଲା ଏସବୁରେ ଜ୍ଞାନଲାଭ କରିପାରିବ ତେବେ ସେ ଜୀବନରେ ସଫଳ ହୋଇପାରିବ । ଦୟାକରି ମୌଳିକ ଶିକ୍ଷା ବିଷୟରେ ଆପଣ ବିଶଦ ଭାବରେ କହିବେ କି ?
ଉତ୍ତର:ମୌଳିକ ଶିକ୍ଷା ପ୍ରାକ୍-ବିଦ୍ୟାଳୟ କାର୍ଯ୍ୟକ୍ରମର ଏକ ସଂପ୍ରସାରଣ ମାତ୍ର । ଏଥିରେ ଆପଣ ଶିକ୍ଷାଗ୍ରହଣର ପଦ୍ଧତି, ଶିକ୍ଷାଗ୍ରହଣର ଅଭ୍ୟାସ ସଂପର୍କରେ ଶିକ୍ଷାଦାନ କରନ୍ତି । ପ୍ରାକ୍-ବିଦ୍ୟାଳୟ କାର୍ଯ୍ୟକ୍ରମରେ ଆମେ ପଢ଼ିବା ଓ ଲେଖିବା ସଂପର୍କରେ କହୁନାହିଁ । ଗାଣିତିକ ସାକ୍ଷରତା ବିକାଶର ସଂପ୍ରସାରଣରେ ମୌଳିକ ଶିକ୍ଷାକୁ ଅନ୍ତର୍ଭୁକ୍ତ କରାଯିବା ଉଚିତ । ‘ସେଭ୍ ଦି ଚିଲ୍ଡ୍ରେନ୍‘ ସେ ସଂପର୍କରେ ମଧ୍ୟ ବିଚାର ବ୍ୟକ୍ତ କରିଥାଏ । ଗାଣିତିକ ସାକ୍ଷରତାର ବିକାଶ ଭିତ୍ତିରେ ପିଲାଙ୍କୁ ଶିକ୍ଷାଗ୍ରହଣ ପାଇଁ ପ୍ରସ୍ତୁତ କରାଇବା ନିମନ୍ତେ ଆମେ ଏକ ପ୍ରକାରର ସାଧାରଣ ଦୃଷ୍ଟିଭଙ୍ଗୀ ନୀତି ଅନୁସରଣ କରୁ । ଆମେ ଏ ସଂପର୍କରେ ମତବ୍ୟକ୍ତ କରିଆସୁଛୁ, ଏଥିପାଇଁ ଆମେ ଲଢ଼େଇ କରିଆସୁଛୁ । ଆମ ପାଇଁ ଏହା ଏକ ସ୍ବାଗତଯୋଗ୍ୟ ପରିବର୍ତ୍ତନ ।
ପ୍ରଶ୍ନ: ପାଠ ମନେ ରଖିବା ଏବଂ ଘୋଷି ଘୋଷି ଶିକ୍ଷାଲାଭ କରିବା ଉପରେ ଜୋର ଦେଉଥିବାରୁ ଭାରତୀୟ ଶିକ୍ଷା ପଦ୍ଧତିକୁ ସମାଲୋଚନା କରାଯାଏ । ଅନ୍ୟପକ୍ଷରେ ଅନ୍ୟାନ୍ୟ ବିକଶିତ ଦେଶରେ ବିଶ୍ଲେଷଣାତ୍ମକ ଚିନ୍ତା ଏବଂ କୌଣସି ବିଷୟରେ ପ୍ରଶ୍ନ ପଚାରିବାର ଦକ୍ଷତା ହାସଲ ଦିଗରେ ପିଲାଙ୍କୁ ଶିକ୍ଷା ଦିଆଯାଏ । ନୂତନ ଶିକ୍ଷା ନୀତିର ଏହାକୁ ସାମିଲ କରାଯାଇଛି କି ?
ଉତ୍ତର:ଏହାକୁ ହିଁ ଗାଣିତିକ ସାକ୍ଷରତାର ବିକାଶ ବୋଲି କୁହାଯାଏ । ଆପଣ ଏଥିରେ ଦକ୍ଷତା ବିକାଶ ଉପରେ ଧ୍ୟାନ ଦିଅନ୍ତି । ଏହାର ଉଦ୍ଦେଶ୍ୟ ଭଲ, ହେଲେ ମୁଁ ପୁଣି ପଚାରିବି ଯେ ପୁଞ୍ଜିନିବେଶ କାହିଁ, ଏଥିପାଇଁ ଅର୍ଥ କାହିଁ ? ଆମେ ଶିକ୍ଷାରେ ବୈଷୟିକ ଜ୍ଞାନକୌଶଳ, ବେସରକାରୀ ସ୍କୁଲର ତଦାରଖ ଓ ନିୟନ୍ତ୍ରଣ କଥା କହୁଛୁ । ତାତ୍ତ୍ବିକ ଦୃଷ୍ଟିକୋଣରୁ ଏହା ଖୁବ ଭଲ ଲାଗୁଛି । ହେଲେ ବ୍ୟାବହାରିକ ଭାବରେ ଏହାକୁ କେତେ ଦୂର ଆଗେଇ ନିଆଯାଉଛି ତାହା ଦେଖିବାକୁ ଆମେ ଅପେକ୍ଷା କରିବା ।