ଓଡିଶା

odisha

ନୂଆପଡ଼ାରେ ନିର୍ବାଚନ ପ୍ରାକ୍‌ ପ୍ରସ୍ତୁତି ସମୀକ୍ଷା କଲେ ପୋଲିସ ଡିଜି - NUAPADA ELECTION PREPARATION

By ETV Bharat Odisha Team

Published : Apr 29, 2024, 10:20 PM IST

Election preparations in Nuapada: ନୂଆପଡ଼ା: ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ନୂଆପଡା ଜିଲ୍ଲା ଗସ୍ତ କରି ନିର୍ବାଚନ ପ୍ରାକ୍‌ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ନୂଆପଡ଼ା ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଥିବା DPO କାର୍ଯ୍ୟାଳୟ ଠାରେ ନିର୍ବାଚନ ପ୍ରାକ୍‌ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଡିଜିପିଙ୍କ ଗସ୍ତ ସମୟରେ ତାଙ୍କ ସହିତ ଅତିରିକ୍ତ DG ସଞ୍ଜୟ କୁମାର, ADG ଅପରେସନ୍‌ ଦେବଦାସ, ବିଶାଳ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ DIG ଚରଣ ସିଂ ମିନାଙ୍କ ସମେତ ନୂଆପଡ଼ା ଓ କଳାହାଣ୍ଡି ଏସ୍‌ପି ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଥିଲେ ।

ବିଶେଷ କରି ନୂଆପଡ଼ା କଳାହାଣ୍ଡି ଜିଲ୍ଲା ମାଓପ୍ରବଣ ହୋଇଥିବାରୁ ଏହି ଦୁଇ ଜିଲ୍ଲାରେ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହ ହୋଇପାରିବ, ସେଥିପ୍ରତି ବେଶ ଗୁରୁତ୍ବ ଦିଆଯାଇଥିବା ପ୍ରକାଶ କରିଛନ୍ତି ପୋଲିସ ଡିଜି । ସେ କହିଛନ୍ତି, "ଗତ ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ପୋଲିସ ପକ୍ଷରୁ ବିଭିନ୍ନ କାମ ହାତକୁ ନିଆଯାଇଛି । ମାଦକ ଦ୍ରବ୍ୟ ଚୋରାଚାଲାଣକୁ ରୋକିବା, ବର୍ଡର ଚେକ୍‌ପୋଷ୍ଟ ବ୍ଲକିଂ କରି କଡାକଡି ଚେକିଂ କରିବା, ଫ୍ଲାଗ୍‌ମାର୍ଚ୍ଚ କରି ଲୋକଙ୍କୁ ସଚେତନ କରିବା, ୱାରେଣ୍ଟ୍‌ ଥିବା ଅପରାଧୀଙ୍କ ପ୍ରତି କଡ଼ା ଦୃଷ୍ଟି ଦେଇ ଗଣ୍ଡଗୋଳ ରୋକିବା, ଅସାମାଜିକ ଲୋକଙ୍କ ବିରୋଧରେ CRPC ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନିଆଯାଉଛି ।" ନୂଆପଡ଼ା କଳାହାଣ୍ଡି ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ 13ଟି ବର୍ଡର ଚେକ୍‌ପୋଷ୍ଟ କରି ଅପରେସନକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି । ସେହିଭଳି ନିର୍ବାଚନ ଶାନ୍ତି ଶୃଙ୍ଖଳା ଓ ଅବାଧରେ ସମାପ୍ତ କରିବା ପାଇଁ ଜିଲ୍ଲା ପୋଲିସ ଫୋର୍ସ ସହିତ 10 ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ ବୋଲି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details