ଓଡିଶା

odisha

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଅଷ୍ଟ୍ରେଲିଆକୁ ଭେଟିବେ ଭାରତୀୟ ମହିଳା, ଭାଙ୍ଗିବ ପରାଜୟ ଧାରା !

By ETV Bharat Odisha Team

Published : Feb 17, 2024, 5:41 PM IST

FIH Pro League 2024: ରାଉରକେଲା: ଆଜି ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମହିଳା ହକି ଦଳ ମଧ୍ୟରେ ହେବ ଲଢେଇ । ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌ । ତେବେ ଗତ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ମହିଳା ଦଳ ପରାସ୍ତ ହୋଇଥିଲା । କ୍ରମାଗତ ଭାବେ ଘରୋଇ ଦଳର ପରାଜୟ ଧାରା ଜାରି ରହିଥିବାବେଳେ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ମୈଦାନରେ ଲଢେଇ କରିବ ଭାରତ । ତେବେ ଭାରତର କ୍ରମାଗତ ପରାଜୟର କାରଣ କଣ ? ଭାରତ କେଉଁଠି ଫେଲ ମାରୁଛି ଏବଂ ଆଜିର ମ୍ୟାଚ୍‌ରେ ଭାରତକୁ କିଭଳି ଖେଳ ପ୍ରଦର୍ଶନ କରିବାକୁ ପଡିବ ? ଏହାକୁ ନେଇ ରାଉରକେଲାରେ ଅଲିମ୍ପିୟାନ ଲାଜରୁସ ବାର୍ଲାଙ୍କ ସହ ସିଧାସଳଖ ଆଲୋଚନା କରିଥିଲୁ ।

ଏହା ମଧ୍ୟ ପଢ଼ନ୍ତୁ...FIH ମହିଳା ହକି ପ୍ରୋ ଲିଗ୍: ଆଜି ଭାରତ-ଅଷ୍ଟ୍ରେଲିଆ ମ୍ୟାଚ, ଷ୍ଟ୍ରାଟେଜି ବଦଳାଇ ପରାଜୟ ଧାରା ଅଟକାଇବ କି ଘରୋଇ ଦଳ?

ସେ କହିଛନ୍ତି, "ଭାରତୀୟ ମହିଳା ଦଳକୁ ନିଜର ଗେମ୍‌ ପ୍ଲାନ୍‌ରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ । ଟିମ ବହୁତ ଭଲ ରହିଛି, କିନ୍ତୁ କିଛି ଲୁଜ୍‌ ପଏଣ୍ଟ ରହିଛି । ଯାହାର ଫାଇଦା ଅନ୍ୟ ଟିମ ଉଠାଉଛନ୍ତି । ବିଗତ ମ୍ୟାଚ୍‌ରେ ଚାଇନା ଏବଂ ନେଦରଲ୍ୟାଣ୍ଡ ହେଉଛନ୍ତି ଦୁଇଟି ପ୍ରଭାବଶାଳୀ ଟିମ୍‌ । ଦୁଇ ଦଳ ଉଭୟ ମାଇଣ୍ଡ ଓ ଫିଲ୍ଡ ଗେମ୍‌ ଭଲ ଖେଳନ୍ତି । କିନ୍ତୁ ଆଜିର ମ୍ୟାଚ୍‌ ଯେଉଁ ଅଷ୍ଟ୍ରେଲିଆ ସହ ରହିଛି, ଏହି ଦଳ କିନ୍ତୁ ଚାଇନା ଓ ନେଦରଲ୍ୟାଣ୍ଡଠାରୁ ବିପରୀତ । ସମ୍ପୂର୍ଣ୍ଣ ଆଟାକ୍‌ କରି ଖେଳେ । ତେଣୁ ଏଥିରେ ଭାରତକୁ ନିଜର ସ୍ବତନ୍ତ୍ର କୌଶଳର ସହ ଖେଳ ପ୍ରଦର୍ଶନ କରିବାକୁ ପଡିବ ଏବଂ ଅଷ୍ଟ୍ରେଲିଆକୁ ନିଜ ଗେମ୍‌ ପ୍ଲାନ୍‌ରେ ଫସାଇବାକୁ ପଡିବ ।" ତେବେ ଏପର୍ଯ୍ୟନ୍ତ ଲିଗ୍‌ରେ ଭାରତ ଖେଳିଥିବା ଗତ 6ଟି ଯାକ ମ୍ୟାଚ୍‌ରୁ କେବଳ ଗୋଟିଏ ମ୍ୟାଚ୍‌ ଜିତିଥିବା ବେଳେ 5ଟି ମ୍ୟାଚ୍‌ ହାରିଛି । ସେହିଭଳି ଅଷ୍ଟ୍ରେଲିଆ ମଧ୍ୟ 6ଟି ମ୍ୟାଚ୍‌ ଖେଳିଥିବାବେଳେ 4ଟିରେ ବିଜୟ ଓ 2ଟିରେ ପରାଜିତ ହୋଇଛି । ଏଭଳି ସ୍ଥିତିରେ ଭାରତୀୟ ଟିମ୍‌କୁ ଏକାଠି ହୋଇ ଖେଳିବାକୁ ପଡିବ ଏବଂ ଏଥର କିଛି ନୂଆ କରି ଅଷ୍ଟ୍ରେଲିଆକୁ ଗେମ୍‌ ପ୍ଲାନ୍‌ରେ ହରାଇବାକୁ ପଡିବ ବୋଲି କହିଛନ୍ତି ଲାଜରୁସ ବାର୍ଲା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details