ଓଡିଶା

odisha

କଳାହାଣ୍ଡି ଜିଲ୍ଲାପାଳ ଓ ଜୁନାଗଡ଼ ବିଡିଓଙ୍କୁ କାରଣ ଦର୍ଶାଅ ନୋଟିସ - Show Cause Notice

By ETV Bharat Odisha Team

Published : Apr 19, 2024, 10:03 PM IST

Show Cause Notice: କଳାହାଣ୍ଡି ଜିଲ୍ଲାପାଳ ଓ ଜୁନାଗଡ଼ ବିଡିଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଦାୟିତ୍ବରେ ଅବହେଳା କରିଥିବାରୁ ଏଭଳି ଆକ୍ସନ ନିଆଯାଇଛି । ଅଧିକ ପଢନ୍ତୁ

Show Cause Notice
Show Cause Notice

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାପାଳ ଓ ଜୁନାଗଡ଼ ବିଡିଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଜୁନାଗଡ଼ ବ୍ଳକ କାଲୋପଲା ସରପଞ୍ଚଙ୍କୁ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଜିଲ୍ଲାପାଳଙ୍କ ଦ୍ବାରା ଅଯୋଗ୍ୟ ଘୋଷିତ ହୋଇଥିଲା । ଏହାପରେ ମଧ୍ୟ ଜୁନାଗଡ ବିଡିଓ ତାଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି । ଏହି ଘଟଣାରେ ଅଭିଯୋଗକାରୀଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ ସୁଫଳ ନ ମିଳିବାରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଯାହା ପରେ ଜିଲ୍ଲାପାଳ ଓ ଜୁନାଗଡ ବିଡିଓଙ୍କୁ ରିପୋର୍ଟ ତଲବ କରାଯାିଥିଲା ।

ସୂଚନା ଅନୁଯାୟୀ, ଗତ ୨୦୨୨ ପଞ୍ଚାୟତିରାଜ ନିର୍ବାଚନରେ ଜୁନାଗଡ ବ୍ଲକ ଅନ୍ତର୍ଗତ କାଲୋପଲା ପଞ୍ଚାୟତର ସରପଞ୍ଚ ଜନ୍ମଞ୍ଜୟ ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନିଜ ଶିକ୍ଷା ଗତ ଯୋଗ୍ୟତା ଦଶମ ପାସ ବୋଲି ଉଲ୍ଲେଖ ସେ କରିଥିଲେ । ହେଲେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ସେ ଦଶମ ଫେଲ ହୋଇଥିବା ଜଣାପଡିଥିଲା ।

ସେହିପରି ଜନ୍ମଞ୍ଜୟଙ୍କର ୨ଟି ଟ୍ରାକ୍ଟର ଥିବାବେଳେ ତାହା ସତ୍ୟପାଠରେ ସମ୍ପତ୍ତି ତାଲିକାରେ ଉଲ୍ଲେଖ କରି ନଥିଲେ । ଏ ସମ୍ପର୍କରେ ପୂର୍ବତନ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ସତ୍ୟ ନାରାୟଣ ବେହେରା ବିଭିନ୍ନ ସରକାରୀ ଅଫିସରୁ ତଥ୍ୟ ସଂଗ୍ରହ କରିଥିଲେ । ମିଥ୍ୟା ସତ୍ୟପାଠ ସମ୍ପର୍କରେ ପ୍ରାଥମିକ ପ୍ରମାଣ ପାଇବା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଦାଲତରେ ଅଭିଯୋଗ ଦାଖଲ କରିଥିଲେ । ଉଭୟ ପକ୍ଷଙ୍କ ଶୁଣାଣି କରିବା ସହିତ ତଦନ୍ତ କରିବା ପରେ ଗତ ୨୭ ଅକ୍ଟୋବର ଦିନ ଜନ୍ମଞ୍ଜୟ ସାହୁଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ ଜିଲ୍ଲାପାଳ । ଏହା ସହିତ ସେ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ।

ଏହା ବି ପଢନ୍ତୁ...ହେମା ମାଳିନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ସୂର୍ଯ୍ୟେଓ୍ବାଲା, କାରଣ ଦର୍ଶାଅ ନୋଟିସ ଜାରି କଲେ ECI - Show Cause Notice To Surjewala

ସରକାର ସ୍ୱାୟତ୍ତ ଶାସନରେ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କରିଛନ୍ତି । ହେଲେ ଏଭଳି ଅସାଧୁ ବ୍ୟକ୍ତି ପ୍ରତି କାର୍ଯ୍ୟାନୁଷ୍ଠାନ ନନେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଜୁନାଗଡ଼ ସମେତ ବିଭିନ୍ନ ବ୍ଲକରେ ଏଭଳି ଅନେକ ସମିତି ସଭ୍ୟ ଓ ସରପଞ୍ଚ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି । ରାଜନୈତିକ ପ୍ରଭାବରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ ର ଧାରା ୨୫(୧) ଅନୁସାରେ ପ୍ରଶାସନ ଏହି ମିଥ୍ୟା ସତ୍ୟପାଠ ଘଟଣାରେ ଅଯୋଗ୍ୟ ଘୋଷିତ କରାଯାଇଥିବାବେଳେ ଜୁନାଗଡ ବିଡିଓ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଏନେଇ କଳାହାଣ୍ଡି ଜିଲ୍ଲାପାଳ କିମ୍ବା ଜୁନାଗଡ଼ ବିଡିଓଙ୍କ କୌଣସି ପ୍ରିତିକ୍ରିୟା ମିଳିପାରିନାହିଁ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details