ଓଡିଶା

odisha

ମାଲକାନଗିରିରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ନେଇ କଲେ ସମୀକ୍ଷା - Police DG Arun Sarangi

By ETV Bharat Odisha Team

Published : Apr 15, 2024, 10:16 PM IST

Police DG Arun Sarangi Visits Malkangiri : ପୋଲିସ ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ମାଲକାନଗିରି ଗସ୍ତ କରି କିପରି ନିରପେକ୍ଷ ଅବାଧ ଓ ମୁକ୍ତ ନିର୍ବାଚନ ହେବ ସେନେଇ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ
ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ

ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ

ମାଲକାନଗିରି:ପୋଲିସ ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ଆଜି (ସୋମବାର) ମାଲକାନଗିରି ଗସ୍ତ କରିଛନ୍ତି । ପ୍ରଥମେ ଜିଲ୍ଲାର ଚିତ୍ରକୋଣ୍ଡା ସ୍ଵଭିମାନ ଅଞ୍ଚଳ ଗୋରାସେତୁରେ ବିଏସଏଫ କ୍ୟାମ୍ପରେ ପହଞ୍ଚି ଆଗାମୀ ନିର୍ବାଚନ ପାଇଁ ମାଓ ମୁକାବିଲା ସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ । ଏହାସହ କିପରି ନିରପେକ୍ଷ ଅବାଧ ଓ ମୁକ୍ତ ନିର୍ବାଚନ ହେବ ସେନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ଆରକ୍ଷୀ ଅଧିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି ଅରୁଣ କୁମାର ଷଡ଼ଙ୍ଗୀ ।

ତେବେ ମାଲକାନଗିରି ଗସ୍ତ ସମୟରେ ଡିଜିପି ଅରୁଣ ଷଡ଼ଙ୍ଗୀ କହିଛନ୍ତି, "ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ଆରକ୍ଷୀ ଅଧିକ୍ଷକମାନଙ୍କ ସହ ଜିଲ୍ଲାର ମାଓବାଦୀ ସ୍ଥିତି ବିଷୟରେ ସମୀକ୍ଷା କରାଯାଇଛି । ଆଗାମୀ ନିର୍ବାଚନ କିଭଳି ନିରପେକ୍ଷ, ଅବାଧ ଓ ମୁକ୍ତ ହେବ ସେ ନେଇ ଆଲୋଚନା କରାଯାଇଛି । ଆରକ୍ଷୀ ଅଧିକ୍ଷକମାନେ ସେମାନଙ୍କର ପ୍ରସ୍ତୁତି ବିଷୟରେ ଆମକୁ ଜଣାଇଛନ୍ତି । ଏହାସହ କେତେ ଫୋର୍ସର ଆବଶ୍ୟକତା ରହିଛି ଓ କିଭଳି ଅପରେସନ କରାଯିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ନାହିଁ । ତେଣୁ ମାଲକାନଗିରି ଜିଲ୍ଲାରେ କୌଣସି ପ୍ରକାରର ମାଓ କାର୍ଯ୍ୟକଳାପ ଦେଖାଯାଇ ନାହିଁ ।"

ଡିଜିପି ଅରୁଣ ଷଡ଼ଙ୍ଗୀ ଏହା ମଧ୍ୟ କହିଛନ୍ତି, "ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପୋଡ଼ଶୀ ଛତିଶଗଡ଼ରେ ଆସନ୍ତା ଏପ୍ରିଲ ୧୯ ତାରିଖରେ ସାଧାରଣ ନିର୍ବାଚନ ରହିଛି । ଏପଟେ ମାଲକାନଗିରି ଜିଲ୍ଲାରେ ମେ' ୧୩ ତାରିଖରେ ନିର୍ବାଚନ ଅଛି । ଏହି 3 ସପ୍ତାହ ମଧ୍ୟରେ ମାଓବାଦୀମାନେ ଓଡ଼ିଶାକୁ ଆସିବାକୁ ପ୍ରଚେଷ୍ଟା କରିପାରନ୍ତି । ତେଣୁ ମାଓବାଦୀଙ୍କୁ ଦମନ କରିବାକୁ ଅପରେସନ ଜାରି ରଖିବୁ । ଆମର ଫୋର୍ସ ପ୍ରସ୍ତୁତ ଅଛନ୍ତି, ଅପରେସନ ପ୍ଲାନ ପ୍ରସ୍ତୁତ ହୋଇଛି । ସମସ୍ତ ଆରକ୍ଷୀ ଅଧିକ୍ଷକମାନେ ମଧ୍ୟ ମାଓବାଦୀଙ୍କୁ ପ୍ରତିହତ କରିବାକୁ ପ୍ରସ୍ତୁତ ଅଛନ୍ତି । ସମସ୍ତଙ୍କର ସହଯୋଗରେ ଆମେ ମାଓବାଦୀଙ୍କୁ ମୁକାବିଲା କରିପାରିବୁ । ସ୍ୱାଭିମାନ ଅଞ୍ଚଳକୁ ଆନ୍ଧ୍ରପ୍ରଦେଶରୁ କିଛି ମାଓବାଦୀ ଚଳପ୍ରଚଳ କରୁଥିବା ନେଇ ଜଣାପଡିଛି । ସେସବୁ ଅଞ୍ଚଳକୁ ନଜରରେ ରଖି କିଭଳି ଆମେ ମାଓବାଦୀଙ୍କୁ ପ୍ରତିହତ କରିବୁ, ସେ ନେଇ ମଧ୍ୟ ଆଲୋଚନା ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ଓଡିଶା ପୋଲିସର 89ତମ ପ୍ରତିଷ୍ଠା ଦିବସ: ଡିଜିପି କହିଲେ ସତ୍ୟ, ନ୍ୟାୟ ଓ ସେବା ଉପରେ ରହିବ ଫୋକସ - Formation Day Of Odisha Police

ଅରୁଣ ଷଡ଼ଙ୍ଗୀ ଆହୁରି ମଧ୍ୟ କହିଛନ୍ତି, "ସୁରକ୍ଷା ଦୃଷ୍ଟି କୋଣରୁ ପୂର୍ବରୁ ସୁରକ୍ଷା କର୍ମୀଙ୍କ କ୍ୟାମ୍ପ ପାଖାପାଖି ବୁଥ ହେଉଥିଲା । କିନ୍ତୁ ପ୍ରଥମ କରି ଏଥର ସାଧାରଣ ନିର୍ବାଚନରେ ସମସ୍ତ ସ୍ବାଭିମାନ ଅଞ୍ଚଳରବାସୀ ନିଜ ନିଜ ଅଞ୍ଚଳରେ ବୋଟ ଦେବେ । ସମସ୍ତ ଗ୍ରାମରେ ବୁଥ କରାଯାଇଛି । ଭୋଟରମାନେ ନିଜ ନିଜର ବୁଥକୁ ଯାଇ ଭୋଟ ଦେଇପାରିବେ ।" ତେବେ ଆଜି ମାଲକାନଗିରି ଗସ୍ତ ସମୟରେ ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦେଶକ ସୌମ୍ୟ ପ୍ରିୟଦର୍ଶୀ, ଡିଆଇଜି ଗୁଇନ୍ଦା କେ.ବି ସିଂ ଏବଂ ଡିଆଇଜି ଚରଣ ସିଂ ମିନା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details