ଓଡିଶା

odisha

ଉତ୍କଟ ପାନୀୟ ଜଳ ସମସ୍ୟା ନେଇ କଲବଲ ଲୋକେ, ସମାଧାନ ନହେଲେ ଭୋଟ ବର୍ଜନ ଚେତାବନୀ - Puri Drinking Water problem

By ETV Bharat Odisha Team

Published : Apr 22, 2024, 9:39 PM IST

Puri Drinking Water problem: ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ କଲବଲ ହେଉଛନ୍ତି ପୁରୀ ଜିଲ୍ଲା ମୁକୁନ୍ଦମିଶ୍ର ନଗର ବାସିନ୍ଦା । ପାନୀୟ ଜଳ ଯୋଗାଣ ଦାବିରେ ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କଲେ ଅଞ୍ଚଳବାସିନ୍ଦା । ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ ଚେତାବନୀ । ଅଧିକ ପଢନ୍ତୁ

Puri Drinking Water problem
Puri Drinking Water problem

Puri Drinking Water problem

ପୁରୀ:ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ କଲବଲ ହେଉଛନ୍ତି ପୁରୀ ଜିଲ୍ଲା ମୁକୁନ୍ଦମିଶ୍ର ନଗର ବାସିନ୍ଦା । ଏହି ସମସ୍ୟାର ସମାଧାନ ନେଇ ବାରମ୍ବାର ଦାବି କରିବା ସତ୍ତ୍ୱେ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ । ତେବେ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି ଅଞ୍ଚଳବାସିନ୍ଦା । ଖୁବଶୀଘ୍ର ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାର ଚେତାବନୀ ଦେଇଛନ୍ତି ।

ମୁକୁନ୍ଦମିଶ୍ର ନଗର ସ୍ଥାୟୀ ସଭାପତି ଜଗଦାନନ୍ଦ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ ପୁରୀ ସହର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ମୁକୁନ୍ଦମିଶ୍ର ନଗରରେ ଦୁଇ ହଜାରରୁ ଊର୍ଦ୍ଧ୍ବ ପରିବାର ରହୁଥିବାବେଳେ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇନାହିଁ । ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଯୋଜନାର ଲାଭ ମୁକୁନ୍ଦମିଶ୍ର ନଗର ବାସିନ୍ଦା ପାଇ ପାରୁନାହାନ୍ତି । ପାନୀୟ ଜଳ ଟୋପାଏ ପାଇଁ ଦୁଇ ହଜାର ପରିବାର ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ପୁରୀ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଉନାହିଁ ବୋଲି ଅଭିଯୋଗ ହୋଇଛି ।

ସେ ଆଉ ମଧ୍ୟ କହିଛନ୍ତି ଯେ, ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଲୋକଙ୍କ ଅଭିଯୋଗକୁ କେହି ବି ଗୁରୁତ୍ବ ଦେଉନାହାନ୍ତି । ତେଣୁ ମୁକୁନ୍ଦମିଶ୍ର ନଗରରେ ରହୁଥିବା ସମସ୍ତ ବାସିନ୍ଦାଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ତୁରନ୍ତ ନକଲେ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିବା ପାଇଁ ଚେତାବନୀ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ..ଶୁଣିଲେନି ସରକାର ! 'ମୌଳିକ ସୁବିଧା ନାହିଁ ତ ଏଥର ଭୋଟ ନାହିଁ' - Malkangiri Vote Boycott

ସେପଟେ ମୁକୁନ୍ଦମିଶ୍ର ନଗର ବାସିନ୍ଦା ଘେରାଉ କରିବା ପରେ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିଦ ଭାଙ୍ଗିଛି । ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧିକାରୀ ଏନେଇ ତତ୍ପର ହୋଇଛନ୍ତି । ପୁରୀ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି," ମୁକୁନ୍ଦମିଶ୍ର ନଗର ଅଞ୍ଚଳରେ ଅନେକ ନୂଆ ପରିବାର ଏବେ ବସବାସ କରୁଥିବା ବେଳେ ସେମାନଙ୍କୁ ପାନୀୟ ଜଳଯୋଗାଣ ପାଇଁ ଖୁବଶୀଘ୍ର ବ୍ୟବସ୍ଥା କରାଯିବ । ଏନେଇ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଉଥିବା ବେଳେ ଆଉ ଅଳ୍ପଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରାଯିବ ।" ସେହିପରି ମୁକୁନ୍ଦ ମିଶ୍ର ନଗର ଅଞ୍ଚଳରେ ପାନୀୟ ଜଳ ଯୋଗାଣରେ ଯେଉଁ ଅବ୍ୟବସ୍ଥା ସୃଷ୍ଟି ହୋଇଛି ତାହା ଅନୁଧ୍ୟାନ କରାଯାଇ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ।

ମୁକୁନ୍ଦ ମିଶ୍ର ନଗର ଅଞ୍ଚଳରେ ୬୦ ପ୍ରତିଶତ ପରିବାରକୁ ଗ୍ରାମୀୟ ଜଳଯୋଗାଣ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ କରାଯାଉଥିବା ବେଳେ ଆହୁରି ୪୦ ଭାଗ ଲୋକ ଏହି ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି । ତେବେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନାରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପୁରୀ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଏହି ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ କାହିଁକି ଆନ୍ତରିକତା ଦେଖାଉ ନାହିଁ ସେନେଇ ଏବେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details