ଯାଜପୁର: ଡରାଉଛି ଡାଇରିଆ । ଯାଜପୁର ଜିଲ୍ଲା କୋରାଇ ବ୍ଲକ ଖମଣ ପଞ୍ଚାୟତର ରାଧାନଗର ପାଟଣା ଗାଁରେ ଡାଇରିଆ ଆତଙ୍କ । ଗତ ତିନିଦିନରେ 50ରୁ ଊର୍ଦ୍ଧ୍ବ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । କେତେକଙ୍କୁ ଗୁରୁତର ଅବସ୍ଥା କାରଣରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ କଟକ ଏସସିବିକୁ ସ୍ଥାନାନ୍ତର ମଧ୍ୟ କରାଯାଇଛି । ଯାହାକୁ ନେଇ ଏବେ ଆଖପାଖ ଗାଁରେ ଆତଙ୍କ ଖେଳିଯାଇଛି l ତେବେ କେଉଁ କାରଣରୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି ତାହା କାରଣ ଜଣାପଡିନାହିଁ l ସେପଟେ ସ୍ଵାସ୍ଥ୍ୟ ଟିମ୍ ଦ୍ଵାରା ଘଟଣାର ଅନୁସନ୍ଧାନ ଜାରି ରହିଛି ।
ଯାଜପୁର ଜିଲ୍ଲା ଖମଣ ପଞ୍ଚାୟତର ରାଧାନଗର ପାଟଣା, ଠାକୁର ପାଟଣା, ଗୋଡ଼ିପାଟଣା ପ୍ରଭୃତି ଏକାଧିକ ଗାଁରେ ଡାଇରିଆରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା 50ରୁ ଊର୍ଦ୍ଧ୍ବ ଶିଶୁ, ମହିଳା ଓ ପୁରୁଷ ଡାଇରିଆରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । କେତେକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଡାଇରିଆ ବ୍ୟାପିବାର ସଠିକ୍ କାରଣ ଜଣା ପଡ଼ିନାହିଁ । କିଛି ଲୋକ ଦହିବରା ବିକାଳି ପାଖରୁ ଦହିବରା ଖାଇ ଝାଡ଼ାବାନ୍ତିରେ ପଡିଥିବା କହୁଥିବା ବେଳେ ଗ୍ରାମବାସୀ ମୁଖ୍ୟତଃ ଏଠାକାର ଅସ୍ୱାସ୍ଥ୍ୟକର ପରିବେଶକୁ କାରଣ ଦର୍ଶାଇଛନ୍ତି ।