ଓଡିଶା

odisha

ପୌର ପରିଷଦରେ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ, ଭିଜିଲାନ୍ସ ତଦନ୍ତ ପାଇଁ ଆବେଦନ

By ETV Bharat Odisha Team

Published : Mar 13, 2024, 10:57 AM IST

Corruption in Malkangiri Municipality: ମାଲକାନଗିରି ପୌରପରିଷଦରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ତଦନ୍ତ କରିବା ପାଇଁ ଭିଜିଲାନ୍ସ ବିଭାଗକୁ ଆବେଦନ ପତ୍ର ଦେଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର । ଅଧିକ ପଢ଼ନ୍ତୁ

ପୌରପରିଷଦରେ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ
ପୌରପରିଷଦରେ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ପୌରପରିଷଦରେ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ମାଲକାନଗିରି: ପୌର ପରିଷଦରେ ଟେଣ୍ଡର କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ । ମାଲକାନଗିରି ପୌର ପରିଷଦ ଅଧୀନରେ ହେବାକୁ ଯାଉଥିବା ବିଭିନ୍ନ ଟେଣ୍ଡର ପ୍ରକ୍ରିୟାକରଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏହାର ତଦନ୍ତ କରିବା ପାଇଁ ଭିଜିଲାନ୍ସ ବିଭାଗକୁ ଦଳ ପକ୍ଷରୁ ଆବେଦନ ପତ୍ର ଦେବା ସହିତ ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ।

ଗୋବିନ୍ଦ କହିଛନ୍ତି, "ଗତ 2023 ମସିହା ଅଗଷ୍ଟ 29 ତାରିଖ ଦିନ ମାଲକାନଗିରି ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରୁ ୧୩ଟି କାର୍ଯ୍ୟର ଟେଣ୍ଡର ନେଇ ନୋଟିସ କରାଯାଇଥିଲା । ନିୟମ ଅନୁସାରେ ଠିକାଦାରମାନେ ଟେଣ୍ଡରରେ ଭାଗ ନେଇଥିଲେ ଏବଂ ସେମାନଙ୍କ ଦ୍ବାରା କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା । କାର୍ଯ୍ୟଗୁଡିକ ନିମ୍ନମାନର ହୋଇଥିବାରୁ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ଏବଂ ପୌର ପରିଷଦ କଂଗ୍ରେସ ସଭାପତିଙ୍କ ଜରିଆରେ କାର୍ଯ୍ୟଗୁଡିକର ସମ୍ପୂର୍ଣ୍ଣ ତଦାରଖ କରାଯାଇଥିଲା । ଟେଣ୍ଡର ନଂ. ୧୩ କାର୍ଯ୍ୟକୁ ତଦାରଖ କରିବାରୁ ଜଣାଗଲା, ଟେଣ୍ଡର ନୋଟିସ୍ ଅନୁସାରେ ୬୦ ଲକ୍ଷ ୭୮ ହଜାର ୭୧୪ ଟଙ୍ଗା ଉକ୍ତ ନୋଟିସରେ ଉଲ୍ଲେଖ ରହିଛି । କାର୍ଯ୍ୟସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇନାହିଁ । ପ୍ରତ୍ୟେକ କାର୍ଯ୍ୟର ଆକଳନ ମୂଲ୍ୟ, ଟେଣ୍ଡର ମୂଲ୍ୟ ଆଦି ସୂଚନା ବୋର୍ଡ ଉପରେ ଅଲଗା ଅଲଗା ଲେଖାଯାଇଛି । ତେଣୁ ଉକ୍ତ କାର୍ଯ୍ୟଗୁଡିକର ମୂଲ୍ୟ କେତେ ତାହା ସନ୍ଦେହ ଘେରରେ ରହିଛି ।

ଏହାସହ ଆକଳନ ମୂଲ୍ୟରେ ଦର୍ଶାଯାଇଛି ଯେ, ମେଟାଲ କଂକ୍ରିଟ କଲାବେଳେ କଂକ୍ରିଟ କାର୍ଯ୍ୟ ୪ ଇଞ୍ଚ ରହିବା କଥା । କିନ୍ତୁ ପ୍ରାୟ ସମସ୍ତ ଜାଗାରେ ଏକ ଇଞ୍ଚ କଂକ୍ରିଟ ପକାଯାଇଛି । ସେହିଭଳି କରାଯାଇଥିବା କଂକ୍ରିଟ ସାମାନ୍ୟ ବଳ ପ୍ରୟୋଗ କଲେ ଭାଙ୍ଗିଯାଉଛି । କାର୍ଯ୍ୟ ଅନୁଯାୟୀ ଯେତିକି ପରିମାଣର ଲୁହା ରଡ ବ୍ୟବହାର କରାଯିବା କଥା, ତାହା କରାଯାଇନାହିଁ । ଡ୍ରେନ୍‌ ଉପରେ କରାଯାଇଥିବା ଡ୍ରେନ୍‌ ପ୍ଲେଟ ଭିତରେ ରଡର ବ୍ୟବଧାନ ୮ ଇଞ୍ଚ ରହିଛି । ଯାହା ଆକଳନ ହିସାବରେ କରାଯାଇନାହିଁ । ୧ନଂ. ୱାର୍ଡର ଟେଣ୍ଡର କ୍ରମିକ ନଂ. 13 ଏବଂ କ୍ରମିକ ନଂ. 20 (ୱାର୍ଡ ନଂ. ୫) ଠାରେ କରାଯାଇଥିବା ରାସ୍ତା କାହା ସ୍ବାର୍ଥରେ କରାଯାଉଛି ତାହା ତଦନ୍ତ ସାପେକ୍ଷ ।" ଏହି ଜାଗାଗୁଡ଼ିକରେ ମାତ୍ର ଦୁଇଟି ଘର ଥିବାବେଳେ ୬୦ ଲକ୍ଷ ଟଙ୍କା ଏବଂ ଅନ୍ୟ କାମରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର କ'ଣ ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ନୀତି ମାମଲା: ରାଜେନ୍ଦ୍ର ଢୋଲକିଆଙ୍କ ଉପରେ ବର୍ଷିଲା କଂଗ୍ରେସ, ଆରୋପକୁ ଖଣ୍ଡନ କଲେ ମନ୍ତ୍ରୀ

ପୌରପରିଷଦର ନିର୍ବାହୀ ଅଧିକାରୀ ଏବଂ ଅତିରିକ୍ତ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେମାନେ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ପାଲଟି କୌଣସି ଉତ୍ତର ଦେଉନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ତେଣୁ ନିମ୍ନଲିଖିତ କାର୍ଯ୍ୟଗୁଡିକରେ ଲକ୍ଷ ଲକ୍ଷ ଟଙ୍କା ବେଆଇନ ଭାବେ ଆତ୍ମସାତ୍ କରିଥିବାର ଅଭିଯୋଗ ଆଣିଛି ଦଳ । ଏହାସହ ନିର୍ବାହୀ ଅଧିକାରୀ, ଅତିରିକ୍ତ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାର ସମସ୍ତଙ୍କର ଏହି କାର୍ଯ୍ୟରେ ବେଆଇନ ସମ୍ପୃକ୍ତି ରହିଛି ବୋଲି ଦଳ ଅଭିଯୋଗ କରିଛି । ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବାର ଆବଶ୍ୟକତା ରହିଛି ବୋଲି ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗକୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତଦନ୍ତ ପାଇଁ ଦରଖାସ୍ତ ଦିଆଯାଇଛି ବୋଲି ଜିଲ୍ଲା କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଜି ଶ୍ରୀନିବାସ ରାଓ, ମାଲା ମାଡ଼ି, ଭୀମା ବାର୍ସେ, ଶରତ ଚନ୍ଦ୍ର ବୁରୁଦା, ଇସାକ ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details