ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଯୋରାବଗା ଗ୍ରାମର ଗୌରପଡ଼ା । କୋଇଲା ଖଣି ଠାରୁ ମାତ୍ର କିଛି ମିଟର ଦୂରରେ ରହିଛି ଏହି ଗାଁ । ଏଠାରେ ପ୍ରାୟ ୪୦ଟି ପରିବାର ବସବାସ କରନ୍ତି । ଏମାନେ ସବୁବେଳେ ଭୟଭୀତ ଅବସ୍ଥାରେ ବାସ କରୁଛନ୍ତି । ତେବେ ଏମାନଙ୍କୁ ଏପର୍ଯ୍ୟନ୍ତ ଉଚିତ କ୍ଷତିପୂରଣ ନମିଳିବା ସାଙ୍ଗକୁ ଅନ୍ୟତ୍ର ସ୍ଥାନାନ୍ତର ମଧ୍ୟ କରାଯାଇ ନାହିଁ । ବାରମ୍ବାର ଜିଲ୍ଲା ପ୍ରଶାସନ ଏବଂ MCL କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ବି ଏମାନଙ୍କ କଥା କେହି ଶୁଣୁ ନଥିବା ଅଭିଯୋଗ କରାଯାଇଛି । ଖାଲି ସେତିକି ନୁହେଁ ଏଠାରେ ଥିବା ଏକ ଆଶ୍ରମ ବିଦ୍ୟାଳୟରେ ମଧ୍ୟ ଛୁଆମାନେ ଭୟଭୀତ ଅବସ୍ଥାରେ ପାଠ ପଢୁଥିବା ଦେଖାଯାଇଛି ।
ଝାରସୁଗୁଡା ଜିଲ୍ଲାର ଯୋରାବଗା ଗ୍ରାମରେ ୧୯୬୫ରେ TSCO କମ୍ପାନୀର ଖଡ଼ି ପଥର ମାଇନ୍ସ ରହିଥିଲା । ସେହି ସମୟରେ ସାବଳ ଓ କୋଦାଳରେ ଖଡ଼ି ପଥର ଖନନ କରୁଥିଲେ କର୍ମଚାରୀ । ସେହି ସମୟରେ କିଛି ସ୍ଥାନୀୟ ଲୋକମାନେ ସେହି TSCO ମାଇନ୍ସରେ ଚାକିରି ମଧ୍ୟ କରୁଥିଲେ । ୧୯୮୦ ମସିହାରେ PTS ନାମକ କମ୍ପାନୀ BOCM ଠାରୁ କୋଇଲା ପରିବହନ ଆରମ୍ଭ କରିଥିଲା । ପରେ ପରେ ଯୋରାବଗା ଠାରେ ମାଇନ୍ସ ହେବା ନେଇ MCL ପକ୍ଷରୁ କୋଇଲା ଖନନ ପାଇଁ ସର୍ଭେ ମଧ୍ୟ ଆରମ୍ଭ ହେଲା । ପୁଣିଥରେ ୧୯୯୩ ମସିହାରେ MCL ପକ୍ଷରୁ ସର୍ଭେ କରାଯାଇଥିଲା । ଏମିତି କରି ପୁଣି ୨୦୧୭ ଡିସେମ୍ବରରେ ସର୍ଭେ କରାଯାଇଥିଲା । ସର୍ଭେ ହେବାର ପ୍ରାୟ ୪ ବର୍ଷରେ ସ୍ଥାନୀୟ ଜନସାଧାରଣଙ୍କୁ ନଜଣାଇ ଯୋରାବଗା ଠାରେ ମାଇନ୍ସ ଆରମ୍ଭ କରାଯାଇଥିଲା । ଜନବସତି ଠାରୁ ପ୍ରାୟ ୧୦ରୁ ୫୦ ମିଟର ଦୂରରେ ରହିଛି ମାଇନ୍ସ । ଏତିକି କମ ଦୂରତାରେ ମାଇନ୍ସ ଥିବାରୁ ଏଠାରେ ବସବାସ କରୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ଜୀବନଯାପନ କରୁଛନ୍ତି ।