ଓଡିଶା

odisha

ସ୍ପୋର୍ଟସ କମ୍ପ୍ଲେସ ଓ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଉଦଘାଟିତ

By ETV Bharat Odisha Team

Published : Mar 13, 2024, 10:33 PM IST

Sports Complex & Indoor Stadium Inauguration: ଜୟପୁରରେ ସ୍ପୋର୍ଟସ କମ୍ପ୍ଲେକ୍ସ ସହ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଉଦଘାଟିତ ହୋଇଛି । ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Inauguration By CM
Inauguration By CM

ଭୁବନେଶ୍ବର:ବିଭିନ୍ନ ଜିଲ୍ଲାରେ ବହୁମୁଖୀ ଇନଡୋର ଷ୍ଟାଡିୟମର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଜୟପୁରରେ ୧୧ ଏକର ବିଶିଷ୍ଟ ସ୍ପୋର୍ଟସ କମ୍ପ୍ଲେକ୍ସ ସହ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଉଦଘାଟିତ ହୋଇଛି । ୧୧ ଏକର ପରିମିତ ଏହି ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ପ୍ରାକୃତିକ ଫୁଟବଲ ପଡ଼ିଆ ଓ ସିନ୍ଥେଟିକ୍ ଆଥଲେଟିକ ଟ୍ରାକ ରହିଛି। ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ସହିତ ଜିମ୍ନାଷ୍ଟିକ ସେଣ୍ଟର, ସୁଇମିଂ ପୁଲ୍, ୨ ଟି ସିନ୍ଥେଟିକ ଟେନିସ କୋର୍ଟ ଏବଂ ଗୋଟିଏ ବାସ୍କେଟବଲ କୋର୍ଟ ରହିଛି। ତେବେ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ଯେଉଁଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଯୋଗ, ଚେସ୍, ଭାରୋତ୍ତୋଳନ ଓ ଜିମ୍ ଆଦି କ୍ରୀଡ଼ା ପାଇଁ ସୁବିଧା ରହିଛି।



ଗାଁଠାରୁ ସହର ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍ଥାନରେ ବୃତ୍ତିଗତ କ୍ରୀଡାର ବିକାଶ ପାଇଁ 5T ଉପକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି। ଏହି ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ସାହିତ କରିବ। ଦକ୍ଷିଣ ଓଡି଼ଶାରେ କ୍ରୀଡାର ବିକାଶ ପାଇଁ ଏହି କମ୍ପ୍ଲେକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏକ ଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡା ଉପରେ ଅଧିକ ଗୁରୁତ୍ୱ ଦେଉଛୁ। ଏହା ଦ୍ୱାରା ଓଡିଶା ଆଜି ସାରା ବିଶ୍ୱରେ କ୍ରୀଡା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। କ୍ରୀଡା କ୍ଷେତ୍ରରେ ଆଜି ସବୁ ରାଜ୍ୟ ଓଡିଶା ମଡେଲକୁ ଅନୁସରଣ କରୁଛନ୍ତି।"



"ଏହି ସବୁ ଇନ୍‌ଡୋର ଷ୍ଟାଡିୟମ ରାଜ୍ୟରେ କ୍ରୀଡା ସଂସ୍କୃତିକୁ ଆହୁରି ଆଗକୁ ନେବ। ବିଶେଷ କରି ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏହା ଆମ ପିଲାମାନଙ୍କ ପାଇଁ ବହୁ ସୁଯୋଗ ସୃଷ୍ଟି କରିବ। ଗାଁ ଓ ଛୋଟ ସହରର ପିଲାମାନେ ବହୁ ସଂଖ୍ୟାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ ଏବଂ ଓଡ଼ିଶାରେ କ୍ରୀଡ଼ା ସଂସ୍କୃତିର ବିକାଶ ପାଇଁ ଆମର ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗଦେଇ କହିଛନ୍ତି, "ଆଜି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ସବୁ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଗୁଡିକ ଓଡିଶାବାସୀଙ୍କ ଟଙ୍କାରେ ତିଆରି ହୋଇଛି । ଏହା ରାଜ୍ୟବାସୀଙ୍କ ସମ୍ପତ୍ତି। ଆପଣମାନଙ୍କ ସମ୍ପତ୍ତି। ଏଗୁଡିକୁ ସଠିକ୍‌ ଭାବେ ଉପଯୋଗ କରିବେ ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବେ ।"

ଏହା ବି ପଢନ୍ତୁ...'ଆମ ଭୂମି' ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କାର୍ଯ୍ୟକ୍ରମରେ ଯୋଗଦେଇ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, "କ୍ରୀଡାକୁ ସର୍ବୋଚ୍ଚ ସ୍ତରକୁ ନେବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ କ୍ରୀଡା ଭିତ୍ତିଭୂମି ନିର୍ମାଣ ଓ ଉନ୍ନତ ତାଲିମ ପ୍ରଦାନ ଜରିଆରେ ଓଡି଼ଶା ଏକ କ୍ରୀଡା ପ୍ରୋତ୍ସାହକ ରାଜ୍ୟ ଭାବେ ଆଗ ଧାଡିରେ ରହି ଆସିଛି। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣା, କ୍ରୀଡା ବିଭାଗର କୋଚ୍ ସୁମନ୍ତ ନାରାୟଣ ସାହୁ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ । ସେହିପରି କ୍ରୀଡାବିତ ସମର୍ପିତା ପାଣିଗ୍ରାହୀ କହିଥିଲେ ଯେ, ପୂର୍ବରୁ ଆମେ ନଦୀ ପୋଖରୀରେ ସନ୍ତରଣ ଅଭ୍ୟାସ କରୁଥିଲୁ । ଏବେ ଏହି ଅତ୍ୟାଧୁନିକ ସନ୍ତରଣାଗାରରେ ଆମେ ଅଭ୍ୟାସ କରିପାରିବୁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ସମସ୍ତେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details