ରାଇରଙ୍ଗପୁର: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ଦୁଆରଶୁଣୀ ଘାଟି ରାସ୍ତା । ରାସ୍ତା ସମ୍ପ୍ରସାରଣ ପାଇଁ ଦାବି । ରାସ୍ତା ବନ୍ଦ ଆହ୍ବାନ ଦେଲା ଭଞ୍ଜସେନା । ଘାଟି ନୁହେଁ ସତେ ଯେମିତି ମରଣଯନ୍ତା । ଘାଟି ରାସ୍ତା ଥିବାରି ଅନେକ ଛୋଟ ବଡ଼ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛି । ତେବେ ଅନେକ ଥର ରାସ୍ତା ସମ୍ପ୍ରସାରଣ ଦାବି କରାଯାଇଥିଲେ ମଧ୍ୟ ଏଠି ଲୋକଙ୍କ କଥା ଶୁଣେ କିଏ ?
ରାସ୍ତା ସମ୍ପ୍ରସାରଣ ଦାବିରେ ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୁଆରଶୁଣୀ ଘାଟି ରାସ୍ତା ବନ୍ଦ କରାଯିବ । ରାସ୍ତା ବନ୍ଦ ପାଇଁ ଆହ୍ବାନ ଦେଲା ମୟୂରଭଞ୍ଜର ଅଣ ରାଜନୈତିକ ସଂଗଠନ ଭଞ୍ଜସେନା । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟିରେ ବୃଦ୍ଧି ପାଇବାରେ ଲାଗିଛି ଦୁର୍ଘଟଣା । ଅଧିକାଂଶ ସମୟରେ ଘାଟି ରାସ୍ତାରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦୁଆରଶୁଣୀ ଘାଟି ଦେଇ ଯାଇଛି ୪୯ ନଂ ଜାତୀୟ ରାଜପଥ । ଦୁଆରଶୁଣୀ ଘାଟିର ପାହାଡିଆ ଅଙ୍କାବଙ୍କା ଏବଂ ଉଠାଣିଆ ଗଡାଣିଆ ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଯାନବାହନ ଚଳାଚଳ କରୁଛି । ଚାଳକର ସାମାନ୍ୟ ଅସାବଧାନତା ଯୋଗୁଁ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଫଳରେ ଧନ ଜୀବନ ହାନି ହେଉଥିବାର ଦେଖିବାକୁ ମିଳୁଛି। ତେବେ ଘାଟି ରାସ୍ତାର ସମ୍ପ୍ରସାରଣ ହେଉ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏନେଇ ମୟୂରଭଞ୍ଜ ଜିଲ୍ଲାର ଅଣ ରାଜନୈତିକ ସଂଗଠନ 'ଭଞ୍ଜସେନା' ତରଫରୁ ବହୁବାର ଆନ୍ଦୋଳନ କରାଯାଇଛି । ଘାଟି ରାସ୍ତା ସମ୍ପ୍ରସାରଣ ପାଇଁ ଦାବି ମଧ୍ୟ ହୋଇ ଆସୁଛି । ହେଲେ ବର୍ତ୍ତମାନ ସୁଦ୍ଧା ଉଭୟ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଘାଟି ରାସ୍ତା ଉପରେ ପଡ଼ି ପାରୁନାହିଁ ।