ଓଡିଶା

odisha

ଢେଙ୍କାନାଳରେ ଭାରତ ବନ୍ଦକୁ ସମର୍ଥନ, ଆନ୍ଦୋଳନରେ ସାମିଲ ହେଲେ ଅଙ୍ଗନବାଡି ଓ କଂଗ୍ରେସ କର୍ମୀ

By ETV Bharat Odisha Team

Published : Feb 16, 2024, 5:35 PM IST

Bharat Bandh Impact In Dhenkanal: ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି ନିଖିଳ ଓଡିଶା ଅଙ୍ଗନବାଡି କର୍ମଚାରୀ ସଂଘ । ସେପଟେ କଂଗ୍ରେସ ଏହାକୁ ସମର୍ଥନ ଜଣାଇ ଢେଙ୍କାନାଳରେ ଆନ୍ଦୋଳନକୁ ଓହ୍ଲାଇଛି । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ଢେଙ୍କାନାଳରେ ଭାରତ ବନ୍ଦକୁ ସମର୍ଥନ

ଢେଙ୍କାନାଳ: ଚାଷୀମାନଙ୍କ ପକ୍ଷରୁ ଆଜି (16 ଫେବୃଆରୀ) ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି ନିଖିଳ ଓଡିଶା ଅଙ୍ଗନବାଡି କର୍ମଚାରୀ ସଂଘ । ଏନେଇ ଶତାଧିକ ସଂଖ୍ୟାରେ ଅଙ୍ଗନବାଡି କର୍ମୀ, ସହାୟକ ଓ ପାଚିକାମାନେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ଢେଙ୍କାନାଳ ସହର ପରିକ୍ରମା କରିଛନ୍ତି । ବିଭିନ୍ନ ଦାବିରେ ସରକାରଙ୍କ ଟାଳଟୁଳ ନୀତି ନେଇ ନାନା ନାରବାଜି କରିଛନ୍ତି । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କୁ ଏକ ୮ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ସେପଟେ କଂଗ୍ରେସ ଏହାକୁ ସମର୍ଥନ ଜଣାଇ ଢେଙ୍କାନାଳରେ ଆନ୍ଦୋଳନକୁ ଓହ୍ଲାଇଛି ।

ତେବେ ଅଙ୍ଗନବାଡି କର୍ମଚାରୀ ସଂଘର କହିବା ଅନୁସାରେ, ଜାତୀୟ ଶ୍ରମ ସମ୍ମିଳନୀରେ ସୁପାରିଶ ମୁତାବକ ଅଙ୍ଗନବାଡି କର୍ମଚାରୀମାନଙ୍କୁ ସର୍ବନିମ୍ନ ମଜୁରୀ, ମାସିକ ଦରମା ୨୬ ହଜାର ପ୍ରଦାନ, ପେନସନ୍‌ 10 ହଜାର ଟଙ୍କା ଦିଅନ୍ତୁ, ଦରଦାମକୁ ନିୟନ୍ତ୍ରଣ କରନ୍ତୁ ଏବଂ ନିକଟରେ ବଜେଟରେ ପାସ ହୋଇଥିବା ଜାତୀୟ ସଙ୍କୋଚନ ଶିକ୍ଷା ନୀତି ପ୍ରତ୍ୟାହାର ଆଦି ୮ ଦଫା ଦାବିକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ମାନିନିଅନ୍ତୁ । ଏପରିକି ଶ୍ରମକୋଡ଼ ଆଇନ ଶ୍ରମିକ ସ୍ୱାର୍ଥ ବିରୋଧୀ ହୋଇଥିବା ବେକେ ଏହାକୁ ପ୍ରତ୍ୟାହାର ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....କୃଷକ ସଂଗଠନର ଆଜି ଭାରତ ବନ୍ଦ, ସମର୍ଥନ କଲା କଂଗ୍ରେସ

ସେପଟେ ଭାରତ ବନ୍ଦକୁ ସମର୍ଥନ ଜଣାଇ ଢେଙ୍କାନାଳରେ କଂଗ୍ରେସ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛି । ଧାନ ଓ କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ରାଶି ବୃଦ୍ଧି ସାଙ୍ଗକୁ ବିଭିନ୍ନ ଦାବି ନେଇ କିଷାନ ମୋର୍ଚ୍ଚା ଡ଼ାକରାରେ ଭାରତ ବନ୍ଦକୁ ସମର୍ଥନ ଜଣାଇଛି କଂଗ୍ରେସ । ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସୁନୀଲ ଦାଶଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିରେ ଜିଲ୍ଲା ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ ଓ କଂଗ୍ରେସ ସେବା ଦଳ କର୍ମୀମାନେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛି କଂଗ୍ରେସ । ସର୍ବ ଭାରତୀୟ କିଷାନ ମୋର୍ଚ୍ଚା ପକ୍ଷରୁ ଧାନ ଓ ବିଭିନ୍ନ କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏକ ନ୍ୟାର୍ଯ୍ୟ ଦାବିକୁ ତୁରନ୍ତ ପୂରଣ କରିବାକୁ ଦାବି କରିଛି କଂଗ୍ରେସ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details