ଓଡିଶା

odisha

କୁନି ବୟସରେ ମହତ କାମ, କ୍ୟାନ୍ସର ରୋଗୀଙ୍କ ପାଇଁ କଲେ କେଶଦାନ - Hair Donation By Balasore Girl

By ETV Bharat Odisha Team

Published : Apr 11, 2024, 10:15 PM IST

Hair Donation By Balasore Girl: କ୍ୟାନସର ରୋଗୀଙ୍କ ପାଇଁ କେଶଦାନ କରି ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି ୧୦ ବର୍ଷୀୟ ହିରଣ୍ମୟୀ । ମୋବାଇଲରେ କେଶଦାନ ବିଷୟରେ ଜାଣି ସୋରରେ ଶୋଭା ଟ୍ରଷ୍ଟ ମାଧ୍ୟମରେ ସେ କେଶଦାନ କରିଛନ୍ତି । ଅଧିକ ପଢନ୍ତୁ

କୁନି ବୟସରେ ମହତ କାମ, କ୍ୟାନ୍ସର ରୋଗୀଙ୍କ ପାଇଁ କେଶଦାନ କଲେ ବାଳିକା
କୁନି ବୟସରେ ମହତ କାମ, କ୍ୟାନ୍ସର ରୋଗୀଙ୍କ ପାଇଁ କେଶଦାନ କଲେ ବାଳିକା

କୁନି ବୟସରେ ମହତ କାମ, କ୍ୟାନ୍ସର ରୋଗୀଙ୍କ ପାଇଁ କେଶଦାନ କଲେ ବାଳିକା

ବାଲେଶ୍ବର: ଛୋଟ ବୟସରେ ପରୋପକାରର ବଡ ଭାବନା । ଖେଳକୁଦ ବୟସରେ କ୍ୟାନ୍ସର ରୋଗୀଙ୍କ ପାଇଁ କେଶ ଦାନ କରି ଚର୍ଚ୍ଚାରେ ୧୦ ବର୍ଷର ଛାତ୍ରୀ । ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକର ଚଅଁପୁର ଗ୍ରାମର ନିରଞ୍ଜନ ପଣ୍ଡା ଏବଂ ଜ୍ୟୋତ୍ସ୍ନାରାଣୀ ପଣ୍ଡାଙ୍କ ସାନଝିଅ ହେଉଛନ୍ତି ହିରଣ୍ମୟୀ । ଅନ୍ୟମାନଙ୍କ ପାଇଁ କିଛି କରିବା ନିଶା ପାଇଁ ସେ ସବୁଠୁଁ ସାଉଁଟିଛନ୍ତି ପ୍ରଶଂସା । କ୍ୟାନ୍ସର ରୋଗୀଙ୍କୁ କେଶ ଦାନ ଦେବାପାଇଁ ଦୁଇବର୍ଷ ଧରି ସେ କେଶ ବଢ଼ାଇ ଏବେ ତାହା ଏକ ଟ୍ରଷ୍ଟ ମାଧ୍ୟମରେ ଦାନ କରିଛନ୍ତି ।

ମାମୁଁଙ୍କ ସହ ଫୋନରେ ଭିଡିଓ ଦେଖୁଥିବା ବେଳେ ସେ କେଶଦାନ ବିଷୟରେ ଅନୁସନ୍ଧିତ୍ସୁ ହୋଇଥିଲେ । ତାଙ୍କ ମାମୁଁ କହିଥିଲେ ଯେ, କ୍ୟାନସର ରୋଗୀଙ୍କ କେମୋ ଥେରାପୀ ପରେ କେଶ ଝଡିଯିବାରୁ ସେମାନେ ନକଲି କେଶ ବା ୱିଗ୍ ବ୍ୟବହାର କରିଥାନ୍ତି । ସେଥିପାଇଁ ୱିଗ୍ ତିଆରି ପାଇଁ ଅନେକ ଲୋକ ମାଗଣାରେ ନିଜର କେଶ ଦାନ କରିଥାନ୍ତି । ଏହି କଥା ମାମୁଁଙ୍କ ପାଖରୁ ଶୁଣି ହିରଣ୍ମୟୀ ମାମୁଁଙ୍କୁ ନିଜର କେଶ ଦାନ କରିବା କଥା ଜିଦ ଧରି ବସିଥିଲେ । ସେତେବେଳେ ହିରଣ୍ମୟୀଙ୍କୁ ମାତ୍ର ୮ ବର୍ଷ ବୟସ ହୋଇଥିବାରୁ ମାମୁଁ ତାଙ୍କୁ ବଡ଼ ହେଲେ କେଶ ଦାନ କରିବା ପାଇଁ କହିଥିଲେ । ଦୁଇବର୍ଷ ଧରି ସେ କେଶର ଯତ୍ନ ନେବାସହ ତାହା ବଢାଇବାକୁ ଲାଗିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ କେଶଦାନ କରିବା ପାଇଁ ହିରଣ୍ମୟୀଙ୍କ କେଶ ବଢିବା ପରେ ମାମୁଁଙ୍କ ସହ ସୋରରେ ଶୋଭା ଟ୍ରଷ୍ଟ ମାଧ୍ୟମରେ ସେ କେଶଦାନ କରିଥିଲେ । କେବଳ କେଶଦାନ ନୁହେଁ ବଡ଼ ହେଲେ ସେ ସମାଜର ଅବହେଳିତ, ନିଷ୍ପେସିତ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ମଧ୍ୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ଦୁଇ ଜଣଙ୍କୁ ନୂଆ ଜୀବନ ଦେଇ ଅମର ହୋଇଗଲେ ଓମ୍

ତେବେ କେବଳ ପରୋପକାରିତା ନୁହଁ ବରଂ ଆହୁରି ଅନେକ ପ୍ରତିଭାର ଅଧିକାରିଣୀ ହେଉଛନ୍ତି ହିରଣ୍ମଣୀ । ଭଲ ପାଠ ପଢିବା, ଭଲ ଚିତ୍ର ଆଙ୍କିବା ସହ ଭଲ ନୃତ୍ୟ ମଧ୍ୟ କରିପାରନ୍ତି ହିରଣ୍ମୟୀ । ଅନ୍ୟପଟେ 2020 ମସିହାରେ ଗଢି ଉଠିଥିବା ଶୋଭା ଟ୍ରଷ୍ଟ କେଶ ଦାନ କରୁଥିବା ଲୋକମାନଙ୍କ କେଶ ନେଇ ଭୁବନେଶ୍ବର ଏବଂ ପରେ ହାଇଦ୍ରାବାଦ ପଠାଇ ଥାଆନ୍ତି । ସେଠାରେ ଥିବା ଏକ ସଂସ୍ଥା ଦ୍ବାରା ଟଙ୍କା ଖର୍ଚ୍ଚ କରାଯାଇ ଏହିସବୁ କେଶରୁ ନକଲି କେଶ ବା ୱିଗ୍ ତିଆରି କରାଯାଇ ପୁଣି ଭୁବନେଶ୍ବର ପଠାଯାଇଥାଏ । ଏହାପରେ ଶୋଭା ଟ୍ରଷ୍ଟର ସଦସ୍ୟ ମାନଙ୍କ ଦ୍ବାରା ଏହାକୁ ଆବଶ୍ୟକ କରୁଥିବା କ୍ୟାନ୍ସର ରୋଗୀମାନଙ୍କୁ ମାଗଣା ବଣ୍ଟା ଯାଇଥାଏ । ଏବେ ସୁଦ୍ଧା ଶୋଭା ଟ୍ରଷ୍ଟ ଦ୍ବାରା ବାଲେଶ୍ଵର ଜିଲ୍ଲାର ସୋର, ଖଇରା, ବର୍ତ୍ତନା ଆଦି ଅଞ୍ଚଳର ପ୍ରାୟ 25 ଜଣଙ୍କୁ ୱିଗ୍ ବଣ୍ଟା ସରିବା ନେଇ ଶୋଭା ଟ୍ରଷ୍ଟର ଆଡ଼ଭାଇଜର କୁଞ୍ଜଲତା ମାହୁନ୍ତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details