ଓଡିଶା

odisha

ଅଭିଜ୍ଞ ଓଡ଼ିଆ ଖେଳାଳିଙ୍କୁ ଅଣଦେଖା କରୁଛି ଓସିଏ ! କେବେ ବଦଳିବ ଭାଗ୍ୟ ? - Odisha Cricket Association

By ETV Bharat Odisha Team

Published : Apr 30, 2024, 9:18 PM IST

Another Non-Odia Head Coach in OCA: ପୁଣି ଜଣେ ଅଣଓଡ଼ିଆଙ୍କ ହାତରେ ଓଡ଼ିଶା କ୍ରିକେଟ ଭାଗ୍ୟ । ମୋଙ୍ଗିଆ ଯିବା ପରେ ସୁରେନ୍ଦ୍ର ଭାବେଙ୍କୁ ମିଳିଲା ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ । କଣ ପାଇଁ ଓଡ଼ିଶା ଖେଳାଳିଙ୍କ ଉପରେ ଭରସା କରୁନି ଓସିଏ ? ଅଧିକ ପଢ଼ନ୍ତୁ

ଅଭିଜ୍ଞ ଓଡ଼ିଆ ଖେଳାଳିଙ୍କୁ ଅଣଦେଖା କରୁଛି ଓସିଏ !
ଅଭିଜ୍ଞ ଓଡ଼ିଆ ଖେଳାଳିଙ୍କୁ ଅଣଦେଖା କରୁଛି ଓସିଏ !

ଅଭିଜ୍ଞ ଓଡ଼ିଆ ଖେଳାଳିଙ୍କୁ ଅଣଦେଖା କରୁଛି ଓସିଏ !

କଟକ: ଓସିଏରେ ଓଡ଼ିଆ କୋଚ୍‌ଙ୍କ ଭାଳେଣି । କ୍ରମାଗତ ତିନୋଟି ସିଜିନରେ 3 ଜଣ ରାଜ୍ୟ ବାହାରର ନୂଆ କୋଚଙ୍କୁ ଦାୟିତ୍ବ ଦେଇ ସାରିଲାଣି ଓଡିଶା କ୍ରିକେଟ ସଙ୍ଘ । ଏଠାରେ ପ୍ରଶ୍ନ ଉଠୁଛି ଓଡିଶାରେ କଣ କୋଚ ଅଭାବ ରହିଛନ୍ତି ? ନା ଓଡିଆ କ୍ରିକେଟରଙ୍କୁ ଅଣଦେଖା କରୁଛି ଓସିଏ ? କଣ ପାଇଁ ପୂର୍ବତନ ଓଡ଼ିଶା କ୍ରିକେଟରଙ୍କ ଉପରେ ଭରସା କରିପାରୁନି ସଙ୍ଘ ? ଏନେଇ ଓଡ଼ିଆ କ୍ରିକେଟପ୍ରେମୀଙ୍କ ଗହଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପୁଣି ରାଜ୍ୟ ବାହାରର କୋଚ ଉପରେ ଭରସା କଲା ଓସିଏ । ମାତ୍ର ଗୋଟିଏ ସିଜିନ ପରେ ମୋଙ୍ଗିଆ ଓସିଏକୁ ବାୟ ବାୟ କହିଥିବା ବେଳେ ପୁଣି ଆଉ ଜଣେ ରାଜ୍ୟ ବାହାରର କୋଚଙ୍କୁ ଦାୟିତ୍ବ ଦେଇଛି ଓସିଏ । ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ ଓସିଏର ହେଡ୍‌ କୋଚ୍‌ ଭାବେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିଛନ୍ତି । ତେବେ 3ଟି ସିଜିନରେ 3 ଜଣ ନୂଆ କୋଚ୍‌ଙ୍କୁ ଦାୟିତ୍ବ ଦେଲାଣି ଓଡ଼ିଶା କ୍ରକେଟ ସଙ୍ଘ । ପ୍ରଥମେ ୱାସିମ ଜାଫର, ପରେ ଦିନେଶ ମୋଙ୍ଗିଆ ଆଉ ଏବେ ସୁରେନ୍ଦ୍ର ଭାବେ । ତେବେ ପ୍ରଶ୍ନ ଉଠୁଛି, କାହିଁକି ରାଜ୍ୟ ବାହାରର କୋଚ୍‌ ମାତ୍ର କିଛିଦିନ ରହିବା ପରେ ଓସିଏ ଛାଡୁଛନ୍ତି ? ଓସିଏ ସହ ସେମାନେ ଖାପଖୁଆଇ ପାରୁନାହାନ୍ତି କି ? ନା ଓସିଏ ସେମାନଙ୍କ ସହ ଖାପଖୁଆଇ ପାରୁନାହିଁ ? ରାଜ୍ୟ ବାହାରର କୋଚ୍‌ ନିଜ ଇଚ୍ଛା ଅନୁସାରେ ଟିମ ପରିଚାଳନା କରିବାକୁ ଚାହୁଁଥିଲେ ମଧ୍ୟ ଅଯଥା ହସ୍ତକ୍ଷେପ ଅନ୍ୟ ଏକ ମୁଖ୍ୟ କାରଣ ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ତେବେ ସୁରେନ୍ଦ୍ର ଭାବେ ଦାୟିତ୍ବ ନେବା ପରେ ନିଶ୍ଚୟ କିଛି ସଫଳତା ହାସଲ କରିବେ ବୋଲି ଆଶା ରଖିଛି ଓସିଏ ।

ତେବେ ରାଜ୍ୟ ବାହାର କ୍ରିକେଟରଙ୍କୁ କୋଚ କରି ବାରମ୍ବାର ଧୋକା ଖାଇବା ପରେ କାହିଁକି ସେମାନଙ୍କୁ ଭରସା କରୁଛି ଓସିଏ ? ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ପୂର୍ବରୁ ଓସିଏ ଭେଙ୍କଟପତି ରାଜୁ, ସବା କରିମ, ବଲବିନ୍ଦର ସିଂ ସାନ୍ଧୁ, ୱାସିମ ଜାଫର , ମାଇକେଲ ଭନ, ଦିନେଶ ମୋଙ୍ଗିଆ ଆଦି ଅନ୍ତର୍ଜାତୀୟ କ୍ରିକେଟରଙ୍କୁ କୋଚ୍‌ କରି ଫେଲ ମାରିଛି । କିଏ ମାସେ ତ କିଏ ତିନି ମାସ ଆଉ ପୁଣି କିଏ ଛଅ ମାସ ରହି ଓସିଏକୁ ବାୟ ବାୟ କହିଛନ୍ତି । ଓଡିଶାରେ ଦେବାଶିଷ ମହାନ୍ତି ଏବଂ ରଶ୍ମି ରଞ୍ଜନ ପରିଡାଙ୍କ ଭଳି ଅଭିଜ୍ଞ ଖେଳାଳି ଥଲେ ସୁଦ୍ଧା ସେମାନଙ୍କୁ ଓସିଏ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ କଣ ପାଇଁ ଦେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ କ୍ରିକେଟର ।

ଏହା ମଧ୍ଯ ପଢ଼ନ୍ତୁ...ବଦଳିଲେ ଓସିଏ କୋଚ୍‌, ମୋଙ୍ଗିଆ ଆଉଟ୍‌-ଭାବେ ଇନ୍‌ - New OCA Coach

ସେପଟେ କ୍ରୀଡା ସମୀକ୍ଷକ କହିଛନ୍ତି, "ଦିନେଶ ମୋଙ୍ଗିଆ କୋଚ୍‌ ଥିବା ସମୟରେ ରଣଜୀ ମ୍ୟାଚରେ 8 ଟିମରୁ ଓଡ଼ିଶା 7 ନମ୍ବର ଥିଲା । ବିଜୟ ହଜାରେ ଏବଂ ମୁସ୍ତାକ ଅଲ୍ଲି ଟ୍ରଫି ଗ୍ରୁପ ମ୍ୟାଚ୍‌ରେ 7 ଟିମରୁ 6 ନମ୍ବରରେ ରହିଥିଲା ଓଡ଼ିଶା ଟିମ । ତେବେ ସୁରେନ୍ଦ୍ର ଭାବେଙ୍କୁ ଓସିଏ ଆଣିବା ପରେ ସ୍ଥିତି ଯଥା ପୂର୍ବ ତଥା ପରଂ ରହିବ ।" ତେବେ ଓସିଏ ଭାଗ୍ୟ ଆକାଶରେ ଓଡ଼ିଆ କୋଚଙ୍କ ସ୍ଥାନ ନାହିଁ, ନା ଏହା ପଛରେ ରହିଛି ଆଉ କିଛି କାରଣ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । କିନ୍ତୁ ଅନ୍ୟପଟେ ଘରୋଇ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ ଓସିଏ ସମେତ ଓଡିଶା କ୍ରିକେଟକୁ ବଦନାମ କରିବାରେ ଲାଗିଛି ବୋଲି କୁହାଯାଉଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details