ଓଡିଶା

odisha

ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର ! ମାସେ ଭିତରେ ଗସ୍ତ କଲେଣି ବହୁ ହେଭିୱେଟ୍‌

By ETV Bharat Odisha Team

Published : Feb 5, 2024, 9:30 PM IST

Dharmendra Pradhan Candidacy from Sambalpur: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲଢ଼ିବା ଚର୍ଚ୍ଚା ଜୋରଦାର । 1 ମାସ ଭିତରେ ଗସ୍ତ କଲେଣି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ହେଭିୱେଟ୍‌ । ଅଧିକ ପଢ଼ନ୍ତୁ

ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର !
ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର !

ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର !

ସମ୍ବଲପୁର: ଆଗକୁ ସାଧରଣ ନିର୍ବାଚନ । ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ସବୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ନିଜ ନିଜ ଉପସ୍ଥିତି ଜାହିର କରୁଛନ୍ତି । ସେପଟେ ସମ୍ବଲପୁର ମଧ୍ୟ ବର୍ତ୍ତମାନ ରାଜନୈତିକ ଉଷ୍ମତା ଭରି ଗଲାଣି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ସମ୍ବଲପୁର ଗସ୍ତ କରୁଥିବାବେଳେ ସେ ଏଥର ସମ୍ବଲପୁର ନିର୍ବାଚନ ମଣ୍ଡଳୀରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ଭିତରେ ବିଗତ 15 ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ 5T ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଅନେକ ଥର ସମ୍ବଲପୁର ଗସ୍ତ କରି ଏଠାର ରାଜନୀତିକୁ ସରଗରମ କରିଛନ୍ତି ।

ବିଗତ 15 ଦିନ ମଧ୍ୟରେ ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2 ଥର ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 3 ତାରିଖରେ ସମ୍ବଲପୁର ଆସି 2ଟି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହିଦିନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ଵର ଟୁଡୁ ଓ ରାଜ୍ୟପାଳ ମଧ୍ୟ ସମ୍ବଲପୁର ଆସିଥିଲେ । ତେବେ ଗତ 1 ମାସ ଭିତରେ ରାଜ୍ୟ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଅନେକ ଥର ସମ୍ବଲପୁର ଗସ୍ତ କରିଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତରେ ସମ୍ବଲପୁର ପଶ୍ଚିମ ଓଡିଶାର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏଠାରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇପାରନ୍ତି । ଏଥିପାଇଁ ଏବେ ବିଭିନ୍ନ ଦଳ ଏହି ଆସନକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ।

କେବଳ ଧର୍ମେନ୍ଦ୍ର ନୁହେଁ, କିଛିଦିନ ତଳେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । ଏହି ପରିସ୍ଥିତିରେ କିନ୍ତୁ ସମ୍ବଲପୁରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ଗସ୍ତ ହେଉଛି । କେବଳ ଗସ୍ତ ହେଉନାହିଁ, କେନ୍ଦ୍ରମନ୍ତ୍ରୀ ଛୋଟ ବଡ଼ ସବୁ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏହା ତାଙ୍କ ନିର୍ବାଚନ ଲଢ଼ିବାକୁ ଖୋରାକ ଯୋଗାଇଛି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବା ତାଙ୍କ ଦଳ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ କରାଯାଇନାହିଁ । ତେବେ ଗତ 4 ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକ ସମ୍ବଲପୁର ସହର ଚଷା ସମାଜର ଏକ କାର୍ଯ୍ୟକ୍ରମ ଓ ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ହେଉଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥି । ଜଣେ କେନ୍ଦ୍ରମନ୍ତ୍ରୀ ଏହିଭଳି କାର୍ଯ୍ୟକ୍ରମରେ ଯୋଗ ଦେବା ତାଙ୍କର ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଧର୍ମେନ୍ଦ୍ରଙ୍କ ସମ୍ବଲପୁର ଗସ୍ତକୁ ନେଇ ରାଜନୀତି ତେଜ୍: ବିଜେଡି ଟାର୍ଗେଟର ମୁହଁ ତୋଡ଼ ଜବାବ ରଖିଲା ବିଜେପି

ଏନେଇ ରେଙ୍ଗାଲି ବିଧାୟକ ନାଉରୀ ନାଏକ କହିଛନ୍ତି, "ସମ୍ବଲପୁରର ବିଜେପି ନେତୃବୃନ୍ଦ ଚାହୁଁଛନ୍ତି ଯେ ଧର୍ମେନ୍ଦ୍ର ସମ୍ବଲପୁର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୁଅନ୍ତୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଆସନରୁ ନିର୍ବାଚନ ଲଢ଼ିଲେ ସମ୍ବଲପୁରର ବିକାଶ ହେବ । ବିଜେପିରେ ଦଳର ନିଷ୍ପତ୍ତି ସର୍ବୋପରି । ତେଣୁ ଦଳ ଯେଉଁ ନିଷ୍ପତ୍ତି ନେବ, ସେହି ଅନୁସାରେ କିଏ କେଉଁଠି ନିର୍ବାଚନ ଲଢ଼ିବ ତାହା ସ୍ପଷ୍ଟ ହେବ ।" ଏହିଭଳି ନାଉରୀ ନାଏକ ଧର୍ମେନ୍ଦ୍ରଙ୍କ ସମ୍ବଲପୁର ଲୋକସଭା ସିଟରେ ପ୍ରାର୍ଥୀତ୍ବକୁ ନେଇ ଏକ ପ୍ରକାର ସଂକେତ ଦେଇଛନ୍ତି ।

ଏନେଇ ରାଜନୀତି ସମୀକ୍ଷକଙ୍କ ମତ ହେଲା, "2019ରେ ବିଜେପିର ନୀତେଶ ଗଙ୍ଗଦେବ ସମ୍ବଲପୁର ଆସନରୁ ବିଜୟୀ ହୋଇ ସାଂସଦ ହୋଇଥିଲେ । ସାଂସଦ ହେବା ପରେ ସମ୍ବଲପୁରରେ ତାଙ୍କର ଆଉ ଦେଖାନଥିଲା । ଏହାକୁ ନେଇ ସମ୍ବଲପୁରରେ ବିଜେପି ପ୍ରତି ଜନଅସନ୍ତୋଷ ବୃଦ୍ଧି ପାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଗତ ଗୋଟିଏ ବର୍ଷ ହେଲା ବାରମ୍ବାର ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପିର ଛବି ସଜାଡ଼ିବା ସହ ନିଜର ପ୍ରାର୍ଥୀତ୍ବ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ।"

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details