ନୂଆଦିଲ୍ଲୀ:2024 ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦୁଇ ମାସ ବାକି । କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ଅଧିକ ଆସନ ସହ କ୍ଷମତା ବଜାୟ ରଖିବା ନେଇ ପ୍ରସ୍ତୁତି ଆରମ୍ଭ କରିସାରିଲାଣି । ବିଜେପିକୁ ଟକ୍କର ଦେବା ପାଇଁ ବିରୋଧୀ ଗଠନ କରିଥିବା ‘ଇଣ୍ଡିଆ’ ମେଣ୍ଟର ଅସ୍ଥିତ୍ବ ଏବେ ଦୁର୍ବଳ ସ୍ଥିତିରେ । ଏପରି ସ୍ଥିତିରେ ‘ଏନଡିଏ’ ମେଣ୍ଟ ପୂର୍ବାପେକ୍ଷା ତଥା 2019 ନିର୍ବାଚନଠାରୁ ଅଧିକ ଆସନରେ ବିଜୟ ଲାଭ କରିପାରେ ବୋଲି ଆକଳନ କରିଛନ୍ତି ଚର୍ଚ୍ଚିତ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ବିଜେପି ପୂର୍ବ ଆସନ ସଂଖ୍ୟା ସହ ସମାନ କିମ୍ବା ତାଠାରୁ ଅଧିକ ଆସନ ଜିତିପାରେ ବୋଲି ପ୍ରଶାନ୍ତଙ୍କ ଗଣନା କହୁଛି ।
ଆଜି ଏହି ପ୍ରସଙ୍ଗରେ ପ୍ରଶାନ୍ତ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ବିରୋଧୀ ଦଳର ଦୁର୍ବଳ ଭୂମିକା ଏନଡିଏକୁ ସହାଯ୍ୟ କରିବ । ପୂର୍ବ ନିର୍ବାଚନ ସହ ସମାନ ସଂଖ୍ୟା କିମ୍ବା ଅଧିକ ଆସନ ବିଜେପି ବ୍ୟାଗକୁ ଯିବ । ବିହାରରେ ମଧ୍ୟ ଏନଡିଏ ଭଲ ପ୍ରଦର୍ଶନ କରିବ । କାରଣ ରାଜ୍ୟରେ ବିହାରବାସୀ ଆରଜେଡିକୁ ସେତେ ମାତ୍ରାରେ ଭୋଟ ଦେବେ ନାହିଁ ବୋଲି ପ୍ରଶାନ୍ତ ଆକଳନ କରୁଛନ୍ତି ।
ସେହିପରି ଗତକାଲି ବିହାରରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ପ୍ରଶାନ୍ତ ବିହାର ରାଜନୀତି ଉପରେ ମଧ୍ୟ ଟିପ୍ପଣୀ କରିଛନ୍ତି । ଜେଡିୟୁ ଓ ନୀତିଶଙ୍କୁ ସମାଲୋଚନା କରିବା ସହ ସେ କହିଛନ୍ତି, 2025 ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ନୀତିଶଙ୍କ ଦଳ 20ରୁ ଅଧିକ ଆସନ ଜିତିବାରେ ସଫଳ ହେବ ନାହିଁ । ଯଦି ନୀତିଶ 20 ରୁ ଅଧିକ ଆସନ ଜିତନ୍ତି, ତେବେ ସେ ତାଙ୍କ କାମ ଛାଡିଦେବେ ବୋଲି ପ୍ରଶାନ୍ତ ଦମ୍ଭୋକ୍ତି ମଧ୍ୟ ଦେଖାଇଛନ୍ତି ।