ହାଇଦ୍ରାବାଦ:ପାକିସ୍ତାନର ପଖତୁନଖ୍ବାରେ ଆତ୍ମଘାତୀ ବିସ୍ଫୋରଣରେ ୫ ଜଣ ଚୀନ ନାଗରିକଙ୍କ ମୃତ୍ୟୁ ହୋଇଛି । ତେବେ ପାକିସ୍ତାନରେ ଚୀନ ନାଗରିକଙ୍କ ଉପରେ ଏହି ଆକ୍ରମଣ ପ୍ରଥମ ଥର ନୁହେଁ, ଅତୀତରେ ଏଭଳି ଅନେକ ବଡ଼ ବଡ଼ ଆକ୍ରମଣର ନଜିର ରହିଛି । ପାକିସ୍ତାନ ଭିତରେ ବାରମ୍ବାର ଚୀନ ନାଗରିକଙ୍କୁ ଟାର୍ଗେଟ କରାଯାଉଛି । କେତେବେଳେ ଆତ୍ମଘାତୀ ବିସ୍ଫୋରଣରେ ଚୀନ ଇଞ୍ଜିନିୟର ତ ଆଉ କେତେବେଳେ ଶ୍ରମିକମାନେ ଆଖି ବୁଜିଛନ୍ତି । ଏସବୁ ଆକ୍ରମଣ ପଛର କାରଣ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (CPEC) ବୋଲି କୁହାଯାଇପାରେ ।
ଚୀନ CPEC ଅଧୀନରେ ପାକିସ୍ତାନର ଖଣିଜ ସମୃଦ୍ଧ ପ୍ରଦେଶ ବେଲୁଚିସ୍ତାନରେ ଅନେକ ଗୁଡିଏ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି ଏବଂ ଏହାର ସୁରକ୍ଷା ଦେଉଛି ପାକିସ୍ତାନ ସେନା । ଅନ୍ୟପଟେ ପାକିସ୍ତାନଠାରୁ ବେଲୁଚିସ୍ତାନର ସ୍ବାଧୀନତା ପାଇଁ ସଂଘର୍ଷ କରୁଥିବା ସ୍ଥାନୀୟ ନାଗରିକମାନେ CPECର ଦୃଢ ବିରୋଧ କରୁଛନ୍ତି । ଯାହାଫଳରେ ଅନେକ ସମୟରେ ଆତଙ୍କୀ ସଂଗଠନ ବେଲୁଚିସ୍ତାନ ଲିବରେସନ ଆର୍ମି ଚୀନ ନାଗରିକଙ୍କ ଉପରେ ଆକ୍ରମଣ କରୁଛି ।
ପାକିସ୍ତାନରେ ଚୀନ ନାଗରିକଙ୍କୁ ଆକ୍ରମଣର କିଛି ଘଟଣା:
୨୦.୦୩.୨୦୨୪ରେ ପାକିସ୍ତାନର ଗ୍ବାଦର ବନ୍ଦରରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ବନ୍ଦର ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରର ପ୍ରମୁଖ କେନ୍ଦ୍ର ହୋଇଥିବା ବେଳେ ବେଲୁଚିସ୍ତାନ ଲିବରେସନ ଆର୍ମିର ଆତଙ୍କୀମାନେ ବନ୍ଦରରେ ଆଖିବୁଜା ଗୁଳିଗୋଳା ମାଡ ସହ ବୋମା ବିସ୍ଫୋରଣ କରିଥିଲେ । ପାକ୍ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୭ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ୨୦୨୩ ଅଗଷ୍ଟ ୧୩ରେ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଚୀନ ଇଞ୍ଜିନିୟରଙ୍କ କନଭୟ ଉପରେ ଆକ୍ରମଣ ହୋଇଥିଲା । ଆତଙ୍କୀଙ୍କ ସହ ଗୁଳି ବିନିମୟରେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ ଏବଂ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଏଥିରେ କୌଣସି ଚୀନ ନାଗରିକ ମୃତାହତ ହୋଇନଥିଲେ ।
୨୬ ଏପ୍ରିଲ ୨୦୨୨ରେ କରାଚିରେ ଜଣେ ମହିଳା ଆତ୍ମଘାତୀ ଆକ୍ରମଣକାରୀ ୩ ଜଣ ଚୀନ ଶିକ୍ଷକଙ୍କୁ ହତ୍ୟା କରିଥିଲା । ସେହିପରି ୨୦୨୧ ଜୁଲାଇ ୧୪ ତାରିଖରେ ଚୀନ ଶ୍ରମିକଙ୍କ ନେଇ ଯାଉଥିବା ଏକ ବସ୍ରେ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ୯ ଜଣ ଚୀନ ନାଗରିକଙ୍କ ବ୍ୟତୀତ ଆଉ ୪ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ୨୦୨୦ ଜୁନ ୨୯ରେ ଏହି ଆକ୍ରମଣ ପାଇଁ ବେଲୁଚିସ୍ତାନ ଲିବରେସନ ଆର୍ମି ନିଜକୁ ଦାୟୀ କରିଥିଲା ।
୨୦୧୯ରେ ଗ୍ବାଦର ସ୍ଥିତ ପର୍ଲ କଣ୍ଟିନେଣ୍ଟାଲ ହୋଟେଲରେ ଚୀନ ପର୍ଯ୍ୟଟକଙ୍କୁ ଆକ୍ରମଣ କରାଯାଇଥିଲା । ୨୦୧୮ ନଭେମ୍ବରରେ ୩ ଜଣ ବନ୍ଧୁକଧାରୀ କରାଚିରେ ଥିବା ଚୀନ ଦୂତାବସରେ ପଶି ଗୁଳିମାଡ କରିଥିଲେ । ଏଥିରେ ୨ ଜଣ ପାକିସ୍ତାନୀ ପୋଲିସ କର୍ମୀଙ୍କ ସମେତ ଦୁଇ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତ ଆକ୍ରମଣକାରୀ ମଧ୍ୟ ନିହତ ହୋଇଥିଲେ । ଏହି ଆକ୍ରମଣ ମଧ୍ୟ ବେଲୁଚି ଆତଙ୍କବାଦୀ କରିଥିଲେ ।
୨୦୧୮ ଅଗଷ୍ଟରେ ବେଲୁଚିସ୍ତାନର ଦଲବନ୍ଦିନ ଅଞ୍ଚଳରେ ଚୀନ ଶ୍ରମିକଙ୍କୁ ଟାର୍ଗେଟ କରି ପ୍ରଥମ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଏଥିରେ ଅତିକମରେ ୩ ଜଣ ଇଞ୍ଜିନିୟର ଆହତ ହୋଇଥିଲେ । ଜଣେ ୨୨ ବର୍ଷୀୟ ଯୁବକ ଏହି ଆତ୍ମଘାତୀ ବିସ୍ଫୋରଣ କରିଥିଲା, ଯିଏକି ବେଲୁଚିସ୍ତାନ ଲିବରେସନ ଆର୍ମି(BLA) କମାଣ୍ଡର ଅସଲାମ ବାଲୁଚର ପୁଅ ଥିଲା ।