ଜୟପୁର:ରାଜସ୍ଥାନ ପୋଖରାନରେ ସମରାଭ୍ୟାସ ବେଳେ ଏକ ସ୍ବଦେଶୀ ନିର୍ମିତ ଲଢୁଆ ବିମାନ ‘ତେଜସ’ କ୍ରାସ ହୋଇଛି । ଜୈସେଲମର ନିକଟରେ ବିମାନଟି କ୍ରାସ ହେବା ପରେ ଏକ ଗ୍ରାମ ନିକଟରେ ଖସିପଡିଛି । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ପାଇଲଟ ଜଣକ ସୁରକ୍ଷିତ ଇଜେକ୍ଟ କରିବାରେ ସଫଳ ହୋଇଛନ୍ତି । ତାଙ୍କ ସମ୍ପର୍କରେ ଅଧିକ କିଛି ସୂଚନା ମିଳିନାହିଁ । ଭାରତୀୟ ବାୟୁସେନା ଇତିହାସରେ ଏହା ପ୍ରଥମ ‘ତେଜସ’ ଦୁର୍ଘଟଣା । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ଯାନ୍ତ୍ରିକ ତ୍ରୁଟିକୁ ପ୍ରାଥମିକ କାରଣ ଭାବେ ସନ୍ଦେହ କରାଯାଉଛି । ଏହି ହାଲୁକା ଲଢୁଆ ବିମାନକୁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ଏଚ୍ଏଏଲ୍) ନିର୍ମାଣ କରିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁରେ ଏହି ବର୍ଗର ଏକ ବିମାନରେ ଉଡାଣ ଭରିଥିଲେ । ଆଜି ରାଜସ୍ଥାନରେ ଚାଲିଥିବା ସେନା ଓ ବାୟୁସେନାର ମିଳିତ ସମରାଭ୍ୟାସରେ ମଧ୍ୟ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି ।
ଆଜି ପୋଖରାନରେ ଜାରି ରହିଥିବା ସମରାଭ୍ୟାସରେ ବାୟୁସେନାର ଏକାଧିକ ବିମାନ ଓ ଲଢୁଆ ହେଲିକପ୍ଟର ଅଂଶଗ୍ରହଣ କରି ଉଡାଣ କୌଶଳ ଓ ଯୁଦ୍ଧ କ୍ଷମତା ପ୍ରଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବରିଷ୍ଠ ସେନାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅଭ୍ୟାସରେ ନିୟୋଜିତ ଏକ ତେଜସ ବିମାନ ହଠାତ କ୍ରାସ ହୋଇଥିଲା । ପୋଖରାନର ଏକ ଗ୍ରାମ ଉପରେ ଉଡୁଥିବା ସମୟରେ ବିମାନଟି ନିୟନ୍ତ୍ରଣ ହରାଇବା ପରେ ପାଇଲଟ କକ୍ପିଟରୁ ଇଜେକ୍ଟ କରିଥିଲେ । ପାରାଚ୍ୟୁଟ ମାଧ୍ୟମରେ ସଫଳତାର ସହ ଅବତରଣ କରିବାରେ ସଫଳ ହୋଇଥିଲେ ପାଇଲଟ । ହେଲେ ବିମାନଟି କ୍ରାସ ହୋଇ ଗ୍ରାମର ଏକ ଘର ଉପରେ ଖସିପଡିଥିଲା । ସୂଚନା ପାଇ ପୋଲିସ, ବାୟୁସେନା ଓ ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।