ଅଯୋଧ୍ୟା:ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଉତ୍ତରପ୍ରଦେଶ । ସୋମବାର ଏହି ଭବ୍ୟ ସମାରୋହ ରହିଥିବା ବେଳେ ଆଜିଠାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲକ୍ଷ୍ନୌରେ ପୋଲିସ ଛାଉଣି ହେବା ସହ 144 ଧାରା ଲାଗୁ କରାଯାଇଛି । ସେହିପରି ବିନା ଅନୁମତିରେ କୌଣସି ବି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଗଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସୋମବାର ସାଧାରଣ ଜନତାଙ୍କ ପାଇଁ ରାମ ମନ୍ଦିର ବନ୍ଦ ରହିବ । ପରେ ଶ୍ରଦ୍ଧାଳୁମାନେ ଅଯୋଧ୍ୟା ଆସି ଦର୍ଶନ କରିପାରିବେ । ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟାରେ 4 ହଜାରରୁ ଅଧିକ ପୋଲିସ କର୍ମୀ ମୁତୟନ ହୋଇଛନ୍ତି ।
ଏହା ବ୍ୟତୀତ ଲକ୍ଷ୍ନୌର 25ଟି ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବ ସହ ଆଗକୁ ୟୁପିରେ ହଜରତ ଅଲିଙ୍କ ଜନ୍ମ ବାର୍ଷିକୀ, ଗଣତନ୍ତ୍ର ଦିବସ, ବସନ୍ତ ପଞ୍ଚମୀ, ବିଭିନ୍ନ ପ୍ରବେଶିକା ପରୀକ୍ଷା ଓ ଲୋକସବା ନିର୍ବାଚନ ମଧ୍ୟ ରହିଛି । ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଲକ୍ଷ୍ନୌ ପୋଲିସ କମିଶନର ସହରରେ 144 ଧାରା ଲାଗୁ କରିଛନ୍ତି ।
ଧାର୍ମିକ ସ୍ଥାନରେ ଉଚ୍ଚ ସ୍ବରରେ ବାଜି ପାରିବନି ଲାଉଡ ସ୍ପିକର:ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ କୌଣସି ବି ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ଉଚ୍ଚ ସ୍ବରରେ ବାଜିପାରିବ ନାହିଁ । ଯଦି ଆବଶ୍ୟକ ପଡେ ତେବେ ପୋଲିସର ଅନୁମତି ନେବାକୁ ପଡ଼ିବ । ଶୋଭାଯାତ୍ରା କିମ୍ବା ଅନ୍ୟାନ୍ୟ ପ୍ରକାରର ଧାର୍ମିକ କାର୍ଯ୍ୟକ୍ରମ ଏବଂ ସର୍ବସାଧାରଣ ସ୍ଥାନରେ ଲାଉଡ ସ୍ପିକର ବ୍ୟବହାରକୁ ବରାଣ କରାଯାଇଛି । ସେହିପରି ଲକ୍ଷ୍ନୌରେ ଥିବା ଦୋକାନଗୁଡିକରେ ଚାଇନିଜ ମାଞ୍ଜା ସୂତା ବିକ୍ରୟ ଉପରେ କଟକଣା ଲାଗିଛି । ପୋଲିସର ବିନା ଅନୁମତିରେ ପାଞ୍ଚ କିମ୍ବା ଅଧିକ ବ୍ୟକ୍ତି କୌଣସି ପ୍ରକାରର ପଦଯାତ୍ରା କରିପାରିବେ ନାହିଁ ।
ଲକ୍ଷ୍ନୌର 25ଟି ସମ୍ବେଦନଶୀଳ ସ୍ଥାନରେ ପୋଲିସ ନିୟୋଜିତ:ଅଯୋଧ୍ୟାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌରେ 25ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି । ଏହି ସବୁ ସ୍ଥାନରେ 300 ପୋଲିସ କର୍ମଚାରୀ କଡ଼ା ପ୍ରହରା ଦେଉଛନ୍ତି । ଏହା ବ୍ୟତୀତ ଲକ୍ଷ୍ନୌ- ଅଯୋଧ୍ୟା ରାସ୍ତା, ବସଷ୍ଟାଣ୍ଡ, ରେଳ ଷ୍ଟେସନ୍ ଏବଂ ସପିଂ ମଲରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି (ରବିବାର) ରାତି 8ଟାରୁ ଅଯୋଧ୍ୟାକୁ ଯାଉଥିବା ଭାରି ଯାନ ପାଇଁ ଡାଇଭର୍ସନ କରାଯାଇଛି । ଲକ୍ଷ୍ନୌ ଦେଇ ଅଯୋଧ୍ୟା, ଗୋରଖପୁର, ଆଜମଗଡକୁ ଯାଉଥିବା ଯାନ ପାଇଁ ଡାଇଭର୍ସନ ସ୍ଥିର କରାଯାଇଛି ।
ବସ୍ ଷ୍ଟାଣ୍ଡ ଏବଂ ସପିଂ ମଲ୍ ଉପରେ କଡା ନଜର: ପୋଲିସର ସୂଚନା ଅନୁସାରେ, ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆଜିଠାରୁ ସୋମବାର ପର୍ଯ୍ୟନ୍ତ ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ସପିଂ ମଲ୍ ଏବଂ ରେଳ ଲାଇନର 100 ମିଟର ସୀମା ମଧ୍ୟରେ ଯାଞ୍ଚ ଚାଲିଛି । ସମ୍ବେଦନଶୀଳ ସ୍ଥାନଗୁଡିକ ଉପରେ ନଜର ରଖିବା ପାଇଁ ଡ୍ରୋନ୍ ବ୍ୟବହାର କରାଯିବ । ପୋଲିସ ଷ୍ଟେସନରୁ ପୋଲିସ ଏକ ରୋଡ୍ ମାର୍ଚ୍ଚ କରିବ ଯାହାଦ୍ୱାରା ଗଣ୍ଡଗୋଳ ସୃଷ୍ଟି କରୁଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ । ପୋଲିସ ମଧ୍ୟ ରାସ୍ତାରେ କଡା ପ୍ରହରା ଦେବ ।