ଓଡିଶା

odisha

ଲୋକସଭା ନିର୍ବାଚନ 2024: ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, EVMରେ ସିଲ୍‌ 1625 ପ୍ରାର୍ଥୀଙ୍କ ଭାଗ୍ୟ - First Phase voting concludes

By ETV Bharat Odisha Team

Published : Apr 19, 2024, 9:17 PM IST

Updated : Apr 19, 2024, 9:51 PM IST

2024 Lok Sabha Elections 1st Phase Voting: ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଭୋଟିଂ ପରେ ଇଭିଏମରେ ସିଲ୍‌ ହୋଇଛି 1625 ପ୍ରାର୍ଥୀଙ୍କ ଭାଗ୍ୟ । ପ୍ରଥମ ପର୍ଯ୍ୟାରେ କିଛି ରାଜ୍ୟରେ ହିଂସାକାଣ୍ଡ ସତ୍ତ୍ବେ ଭୋଟ ଦେଇଛନ୍ତି ଜନତା । ତେବେ କିପରି ଥିଲା ପ୍ରଥମ ପର୍ଯ୍ୟାୟ ମତଦାନ ଓ କେଉଁ ରାଜ୍ୟରେ କେତେ ପ୍ରତିଶତ ମତଦାନ ହୋଇଛି ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର

First Phase voting concludes
First Phase voting concludes

ହାଇଦ୍ରାବାଦ:ଶେଷ ହୋଇଛି 2024 ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଆଜି 17ଟି ରାଜ୍ୟ ଓ 4ଟି କେନ୍ଦ୍ର ଶାସିତ ଅଞ୍ଚଳର 102 ଆସନ ଲାଗି ପଡି଼ଥିଲା ଭୋଟ୍‌ । କିଛି ସ୍ଥାନରେ ସନ୍ଧ୍ୟା 5ଟାରେ ମତଦାନ ଶେଷ ହୋଇଥିବା ବେଳେ କିଛି ସ୍ଥାନରେ ସନ୍ଧ୍ୟା 7ଟାରେ ମତଦାନ ଶେଷ ହୋଇଛି । ଏହାପରେ ଇଭିଏମ ମେସିନରେ ସିଲ୍‌ ହୋଇଛି 1625 ପ୍ରାର୍ଥୀଙ୍କ ଭାଗ୍ୟ । ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ସତ୍ତ୍ବେ ସର୍ବାଧିକ 77.57% ମତଦାନ ହୋଇଥିବା ବେଳେ ବିହାରରେ ସର୍ବନିମ୍ନ 46.32% ମତଦାନ ହୋଇଛି । ଆଉ ବାକି 6 ପର୍ଯ୍ୟାୟ ମତଦାନ ପରେ ଜୁନ 4 ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ ।

ଜାଣନ୍ତୁ କେଉଁଠି ହୋଇଛି କେତେ ପ୍ରତିଶତ ମତଦାନ ?
ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ ଭୋଟିଂ ପ୍ରତିଶତ
ଆଣ୍ଡାମାନ ନିକୋବର 56.87
ପଶ୍ଚିମବଙ୍ଗ 77.57
ତ୍ରିପୁରା 76.10
ଆସାମ 70.77
ପୁଡୁଚେରୀ 72.84
ମେଘାଳୟ 69.91
ସିକ୍କିମ 68.06
ମଣିପୁର 67.91
ଜମ୍ମୁ କାଶ୍ମୀର 65.80
ଅରୁଣାଚଳ ପ୍ରଦେଶ 63.57
ଛତିଶଗଡ଼ 63.41
ମଧ୍ୟ ପ୍ରଦେଶ 63.25
ତାମିଲନାଡୁ 62.02
ଲାକ୍ଷାଦ୍ବୀପ 59.02
ଉତ୍ତର ପ୍ରଦେଶ 57.54
ନାଗାଲାଣ୍ଡ 55.79
ମହାରାଷ୍ଟ୍ର 54.85
ଉତ୍ତରାଖଣ୍ଡ 53.56
ମିଜୋରାମ 52.91
ରାଜସ୍ଥାନ 50.27
ବିହାର 46.32

ଛତିଶଗଡ଼ରେ ଜଣେ ଯବାନ ଶହୀଦ:- ଆଜି ମତଦାନ ସମୟରେ ଛତିଶଗଡରେ ହିଂସାକାଣ୍ଡ ଘଟିଛି । ଛତିଶଗଡର ନକ୍ସଲ ପ୍ରଭାବିତ ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜାପୁରରେ ଭୋଟ୍ ଦେବା ସମୟରେ ଏକ ଅଣ୍ଡର ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍ (UBGL) ସେଲ୍ ବିସ୍ଫୋରଣ ହେବା ପରେ ଜଣେ ଯବାନ ଶହୀଦ ହୋଇଛନ୍ତି । ମତଦାନ କେନ୍ଦ୍ରରେ ଡ୍ୟୁଟିରେ ଥିବା ବେଳେ ଯବାନ ଦେବେନ୍ଦ୍ର କୁମାର ବିସ୍ଫୋରଣରେ ଆହତ ହୋଇଥିଲେ । ବିଜାପୁରରୁ ଦିଲ୍ଲୀ ଯିବା ବାଟରେ ସେ ଆଖି ବୁଜିଛନ୍ତି । ବିଜାପୁରରେ ଆଉ ଏକ IED ବିସ୍ଫୋରଣ ଘଟଣାରେ CRPF ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆହତ ହୋଇଛନ୍ତି ।

ମଣିପୁର-ପଶ୍ଚିମବଙ୍ଗରେ ହିଂସାକାଣ୍ଡ:-ମଣିପୁରର ଏକ ପୋଲିଂ ବୁଥରେ ଗୁଳିକାଣ୍ଡ ଘଟିଛି । ଏଥିରେ 3 ଜଣ ଆହତ ହୋଇଛନ୍ତି । ଏହାବାଦ କୁଛେକ ମତଦାନ କେନ୍ଦ୍ରରେ ହିଂସାକାଣ୍ଡ ଘଟିଛି । ମଣିପୁର ଇମ୍ଫାଲ ପୂର୍ବ ଘୋଙ୍ଗମାନର ଏକ ମତଦାନ କେନ୍ଦ୍ରରେ ଜୋରଜବରଦସ୍ତ ପ୍ରବେଶ କରି ପ୍ରକ୍ସି ଭୋଟିଂ କରିଥିବା ଅଭିଯୋଗ ହୋଇଛି । ଇମ୍ଫାଲ ପଶ୍ଚିମରେ ଇରୋଇସେମ୍ବା ମତଦାନ କେନ୍ଦ୍ରରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ସେହିପରି ପଶ୍ଚିମବଙ୍ଗ କୁଚବିହାର ଠାରେ ଭୋଟିଂ ସମୟରେ ବିଜେପି ଓ ଟିଏମସି ସମର୍ଥକ ହାତାହାତି ହୋଇଥିବା ଘଟଣା ଦେଖିବାକୁ ମିଳିଥିଲା । ସହର ନିକଟ ଚାନ୍ଦମାରି ଗାଁରେ ଉଭୟ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାସହିତ ଦିନହାଟା ବ୍ଲକର ଭେଟାଗୁଡ଼ିଠାରେ ମଧ୍ୟ ହିଂସାକାଣ୍ଡ ଘଟିଛି । ଟିଏମସି ଅଭିଯୋଗ କରିଛି ଯେ ଏଠାରେ ଦେଶୀ ବୋମା ମାଡ଼ ହୋଇଛି, ଯେଉଁଥିରେ ବ୍ଲକ ସଭାପତି ଅନନ୍ତ ବର୍ମନ ଆହତ ହୋଇଛନ୍ତି । ଅନ୍ୟପଟେ ୟୁପି ମୁଜ୍ଜଫରନଗରର ଟଢେଡାରେ ନିର୍ବାଚନ ବନ୍ଦ କରାଯାଇଥିଲା । ଏଠାରେ ଗ୍ରାମବାସୀ ନାରାବାଜି କରିବା ସହ ଇଭିଏମ ମେସିନ ଖରାପ ଯୋଗୁଁ ମତଦାନ ବନ୍ଦ କରାଯାଇଥିଲା ।

ଗଣତନ୍ତ୍ର ମହାପର୍ବରେ ସାମିଲ ବୟସ୍କ ଭୋଟର:- ପଶ୍ଚିମବଙ୍ଗ କୁଚବିହାର ଜିଲ୍ଲାରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିଲେ ଜଣେ 108 ବର୍ଷୀୟ ବୃଦ୍ଧା । ଭାରତୀୟ ନାଗରିକ ଭାବେ ସେ ପରିଣତ ବୟସରେ ମଧ୍ୟ ନିଜ କର୍ତ୍ତବ୍ୟ ସାଧନ କରି ସମସ୍ତ ଭୋଟରଙ୍କ ଲାଗି ସାଜିଛନ୍ତି ଉଦାହରଣ । ସେହିପରି ତାମିଲନାଡୁରେ ଡିଣ୍ଡିଗୁଲ ଜିଲ୍ଲା ରେଡ୍ଡିୟାରଚତ୍ରମଠାରେ ଅଣ୍ଟା ସଳଖି ଛିଡ଼ା ହୋଇପାରୁନଥିବା ଜଣେ 102 ବର୍ଷୀୟ ବୃଦ୍ଧା ପହଞ୍ଚିଥିଲେ ମତଦାନ କେନ୍ଦ୍ରରେ । ଆଉ ନିଜ ମତଦାନ କରିଥିଲେ। ଏହି 2ଜଣ ଭୋଟର ଆଜି ସାରା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ନାଗାଲାଣ୍ଡରେ 6 ଜିଲ୍ଲାରେ ପଡ଼ିଲାନି ଭୋଟ:-ଗୋଟିଏ ପଟେ ବୟସ୍କ ଭୋଟର ମତଦାନ କରିଥିବା ବେଳେ ନାଗାଲାଣ୍ଡରେ 6 ଜିଲ୍ଲାରେ ମତଦାନ ଶୂନ ରହିଥିବା ଜଣାପଡ଼ିଛି । ଏଠାକାର ଭୋଟର ଭୋଟ ବର୍ଜନ କରିଛନ୍ତି । ପୂର୍ବ ନାଗାଲାଣ୍ଡକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ସେମାନେ ଭୋଟ ବର୍ଜନ କରିଥିବା ଜଣାପଡ଼ିଛି । ଏନେଇ ଇଷ୍ଟର୍ଣ୍ଣ ନାଗାଲାଣ୍ଡ ପିପୁଲ୍ସ ଅର୍ଗାନାଇଜେନ ପକ୍ଷରୁ ଭୋଟ ବର୍ଜନ ଲାଗି ଡାକରା ଦିଆଯାଇଥିଲା । ଗତ 2010ରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଆସୁଛନ୍ତି ଏଠାକାର ଭୋଟର ।

ଏହା ବି ପଢନ୍ତୁ- ଲୋକସଭା ନିର୍ବାଚନ; ସନ୍ଧ୍ୟା 7ଟା ସୁଦ୍ଧା 60.03% ମତଦାନ ରେକର୍ଡ; ବଙ୍ଗରେ ସର୍ବାଧିକ-ବିହାରରେ ସର୍ବନିମ୍ନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 19, 2024, 9:51 PM IST

ABOUT THE AUTHOR

...view details