ଓଡିଶା

odisha

ଗାଣ୍ଡେୟ ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଓଡିଆ ଝିଅ କଳ୍ପନା ସୋରେନ - GANDEYA BY ELECTION

By ETV Bharat Odisha Team

Published : Apr 29, 2024, 5:37 PM IST

Kalpana Soren filed nomination: ଗାଣ୍ଡେୟ ଆସନ ପାଇଁ ନାମାଙ୍କନ ଭରିଲେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ । ଆତ୍ମବିଶ୍ବାସର ସହିତ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

Kalpana Soren
Kalpana Soren

ରାଞ୍ଚି: ସ୍ବାମୀ ଜେଲରେ ରହିଥିବା ସମୟରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ସ୍ତ୍ରୀ । ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଛନ୍ତି ଓଡିଶା ଝିଅ ଝାଡ଼ଖଣ୍ଡ ବୋହୂ କଳ୍ପନା ସୋରେନ । ଆସନ୍ତା 20 ତାରିଖରେ ଲୋକସଭା ନିର୍ବାଚନ ସହିତ ଗାଣ୍ଡେୟ ବିଧାନସଭା ଉପନର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ଏହି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଉଥିବା ବେଳେ ଆଜି(ସୋମବାର) ନାମାଙ୍କନ ଭରିଛନ୍ତି କଳ୍ପନା ସୋରେନ । JMM(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ପକ୍ଷରୁ ଗାଣ୍ଡେୟ ଆସନ ପାଇଁ ନାମାଙ୍କନ ଭରିଛନ୍ତି କଳ୍ପନା ।

ନାମାଙ୍କନ ଦାଖଲ ସମୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ଉପସ୍ଥିତ ରହିଥିଲେ । ତାଙ୍କ ବ୍ୟତୀତ ମନ୍ତ୍ରୀ ଆଲାମଗିର ଆଲାମ, ମନ୍ତ୍ରୀ ବାଦଲ ପତ୍ରଲେଖ, ମନ୍ତ୍ରୀ ବେବି ଦେବି, ମୈଥିଲେଶ ଠାକୁର, ସତ୍ୟାନନ୍ଦ ଭୋକ୍ତା, ବସନ୍ତ ସୋରେନ, ରାଜ୍ୟସଭା ସାଂସଦ ସରଫରାଜ ଅହମ୍ମଦ, ସାଂସଦ ମହୁଆ ମାଞ୍ଜୀ, ବାଗୋଦର ବିଧାୟକ ବିନୋଦ କୁମାର ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । କଳ୍ପନା ସୋରେନ ଅପରାହ୍ନରେ ଗାଣ୍ଡେୟ ବିଧାନସଭା ନିର୍ବାଚନ ଅଧିକାରୀ ତଥା ଜିଲ୍ଲା ଯୋଗାଣ ଅଧିକାରୀ ଗୁଲାମ ସମଦାନୀଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ଝିଅ, ଝାଡ଼ଖଣ୍ଡ ବୋହୂ: ଲୋକସଭା ନିର୍ବାଚନରେ ହେବେ କି ମୁହାଁମୁହିଁ ? - Odia Women In Jharkhand Politics

JMM ବିଧାୟକ ସରଫରାଜ ଅହମ୍ମଦଙ୍କ ଇସ୍ତଫା ପରେ ଖାଲି ପଡିଥିଲା ପଦ:ରାଜ୍ୟ ରାଜନୀତିରେ ଅସ୍ଥିରତା ମଧ୍ୟରେ 2023 ଡିସେମ୍ବର ମାସରେ ଗାଣ୍ଡେୟ ବିଧାୟକ ସରଫରାଜ ଅହମ୍ମଦ ଇସ୍ତଫା ଦେଇଥିଲେ । ସରଫରାଜଙ୍କ ଇସ୍ତଫା ପରେ ଗାଣ୍ଡେ ଆସନ ଖାଲି ରହିଥିଲା । ପରେ ଜେଏମ୍ଏମ୍ ସରଫରାଜ ଅହମ୍ମଦଙ୍କୁ ରାଜ୍ୟସଭା ସାଂସଦ କରିଥିଲେ । ଏହାପରେ ଲୋକସଭା ନିର୍ବାଚନ ସହିତ ଗାଣ୍ଡେୟ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଥିଲା । ତେବେ ଜେଲରେ ରହିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଏହି ଆସନରୁ ଜେଏମଏମ ପ୍ରାର୍ଥୀ ହୋଇଛନ୍ତି ।

ଗାଣ୍ଡେୟ ଉପନିର୍ବାଚନ ପାଇଁ ଜେଏମଏମ ପକ୍ଷରୁ କଳ୍ପନା ସୋରେନ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ମନ୍ତ୍ରୀ ଦିଲୀପ କୁମାର ବର୍ମାଙ୍କୁ ପ୍ରାର୍ଥୀ କରିଛି । ପ୍ରକାଶଥାଉକି, 2019 ମସିହାରେ ଗାଣ୍ଡେୟ ଆସନରୁ ବାଜି ମାରିଥିଲେ ଜେଏମଏମର ସରଫରାଜ ଅହମ୍ମଦ । ସେ ଜୟପ୍ରକାଶ ବର୍ମାକୁ ପରାସ୍ତ କରି ଗଡ ଜିତିଥିଲେ । ତେବେ ରାଜନୈତିକ ଅସ୍ଥିରତା କାରଣରୁ ସେ ରାଜନୀତିରୁ ଓହରିଥିଲେ । ତେବେ ଆସନ୍ତା 20 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ତେବେ ସ୍ବାମୀ ଜେଲ୍‌ରେ ରହିଥିବା ବେଳେ ସ୍ତ୍ରୀ ରାଜନୀତିକୁ ଓହ୍ଲାଇଛନ୍ତି । ଏପଟେ ହେମନ୍ତ ସୋରେନଙ୍କ ଅନ୍ତରୀଣ ଜାମିନ ଆବଦେନକୁ ଖାରଜ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details