ETV Bharat / politics

ଓଡ଼ିଶା ଝିଅ, ଝାଡ଼ଖଣ୍ଡ ବୋହୂ: ଲୋକସଭା ନିର୍ବାଚନରେ ହେବେ କି ମୁହାଁମୁହିଁ ? - Odia Women in Jharkhand Politics

author img

By ETV Bharat Odisha Team

Published : Mar 22, 2024, 4:13 PM IST

Updated : Mar 23, 2024, 7:14 AM IST

Odia Women in Jharkhand Politics: ଝାଡ଼ଖଣ୍ଡ ରାଜନୀତିରେ ଦୁଇ ଓଡ଼ିଆ ଝିଅ । ଗୁରୁତ୍ବପୂର୍ଣ୍ଣ ଭୂମିକାରେ ମୟୂରଭଞ୍ଜ ଝିଅ ସୀତା ସୋରେନ ଓ କଳ୍ପନା ସୋରେନ । ସଂପର୍କରେ ଦୁଇ ଯାଆ, ଭେଟେରାନ ରାଜନେତା ସିବୁ ସୋରେନଙ୍କ ଦୁଇ ବୋହୂ । ଜଣେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତ୍ରୀ ଏବଂ ଆଉ ଜଣେ ବିଜେପି ନେତ୍ରୀ । 2 ଓଡ଼ିଶା ଝିଅ ଏବଂ ଝାଡ଼ଖଣ୍ଡ ବୋହୂଙ୍କ ମଧ୍ୟରେ ହେବ କି ଜୋରଦାର ରାଜନୈତିକ ଲଢ଼େଇ ? ଆସନ୍ତୁ ଜାଣିବା,

Jharkhand Politics
Jharkhand Politics

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ରାଜ୍ୟ ରାଜନୀତି ନୂଆ ମୋଡ଼ ନେବାରେ ଲାଗିଛି । ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ରାଜନୀତିକୁ ଓହ୍ଲାଇଥିବା ବେଳେ ତାଙ୍କ ବଡ଼ ଭାଉଜ ସୀତା ସୋରେନ ଏବେ ବିଜେପିରେ ଯୋଗ ଦେଇଛନ୍ତି । ଯାହା ରାଜନୈତିକ ପାଣିପାଗକୁ ଆହୁରି ସରଗରମ କରିଦେଇଛି । ସୋରେନ ପରିବାରର ବଡ ଓ ସାନ ବୋହୂଙ୍କ ମଧ୍ୟରେ ଆଗାମୀ ଦିନରେ ରାଜନୈତିକ କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବାର ସମ୍ଭାବନା ବଢ଼ିଛି। ଶିବୁ ସୋରେନଙ୍କ ପରିବାର ଏବେ ଦୁଇ ଫାଳ ହୋଇଯାଇଥିବା ବେଳେ ଏହାର ଲାଭ କାହାକୁ ମିଳିବ ? କଳ୍ପନାଙ୍କୁ ନା ସୀତାଙ୍କୁ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଆଗାମୀ ନିର୍ବାଚନରେ ଓଡ଼ିଶାର ଏହି ଦୁଇ ଝିଅ କେଉଁଠି ନା କେଉଁଠି ଝାଡ଼ଖଣ୍ଡ ରଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବାକୁ ଯାଉଛନ୍ତି, ଏକଥା ସ୍ବୀକାର କରିବାକୁ ପଡ଼ିବ !

ଫାଟ ପାଇଁ ମେଣ୍ଟ ଦାୟୀ !

ବରିଷ୍ଠ ସାମ୍ବାଦିକ ବୈଜନାଥ ମିଶ୍ରଙ୍କ ମତରେ, '' ସୋରେନ ପରିବାରର ବଡ଼ ବୋହୂ ସୀତା ସୋରେନଙ୍କ ବିଜେପିରେ ସାମିଲ ହେବା ପରେ କଳ୍ପନା ସୋରେନଙ୍କୁ ମିଳୁଥିବା ସହାନୁଭୂତି ଉପରେ ପ୍ରଭାବ ପକାଇପାରେ । ସୀତା ସୋରେନ ଜଣେ ବଡ଼ ନେତ୍ରୀ ନୁହନ୍ତି । ତାଙ୍କ ପାଖରେ ଥିବା ଏକମାତ୍ର ଜଣାଶୁଣା ନାମ ରହିଛି ସେ ହେଉଛନ୍ତି ଦୁର୍ଗା ସୋରେନଙ୍କ ପତ୍ନୀ । କଳ୍ପନା ସୋରେନଙ୍କ ସହିତ ଦଳ ଛିଡା ହୋଇଛି । ଏହା ମଧ୍ୟ ବୁଝିବାକୁ ପଡିବ ଯେ ସୀତା ସୋରେନ କାହିଁକି ଜେଏମଏମ ଛାଡିଲେ ? ଏହାର ସବୁଠାରୁ ବଡ କାରଣ ହେଉଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଶେଷ ଦିନରେ କଳ୍ପନା ସାମିଲ ହେବା । ସିଏମ୍ ଚମ୍ପାଇ ସୋରେନ ସେଠାରେ ମଞ୍ଚରେ କହିବାର ସୁଯୋଗ କଲ୍ପନାଙ୍କୁ ମଧ୍ୟ ଦେଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡୁଥିଲା ଯେ ଜେଏମଏମ ନେତୃତ୍ୱ କାହା ହାତେର ରହିଛି । ଦଳରେ କଳ୍ପନା କୌଣସି ପଦବୀ ନଥିବା ବେଳେ ସୀତା ସୋରେନ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଥିଲେ । ଯିଦି କଳ୍ପନା ମୁମ୍ବାଇ ଯାଇନଥାନ୍ତେ ତେବେ ସମ୍ପର୍କରେ ଫାଟ ଆସିନଥାନ୍ତା । ସେହିପରି ତିନିଥର ବିଧାୟକ ହୋଇଥିବା ସୀତା ସୋରେନଙ୍କୁ ମନ୍ତ୍ରୀ କରିବା ପରିବର୍ତ୍ତେ ବସନ୍ତ ସୋରେନଙ୍କୁ ମନ୍ତ୍ରୀ କରାଯାଇଥିଲା । ଅଣଦେଖା କରାଯାଉଥିବା ମନେ କରି ସେ ପାର୍ଟି ବଦଳାଇଥାଇ ପାରନ୍ତି । ବର୍ତ୍ତମାନ ବିଜେପି ଏହାର କିପରି ଫାଇଦା ନେବାକୁ ସକ୍ଷମ ହେଉଛି ତାହା ଜାଣିବା କଥା ।

ଏହା ମଧ୍ୟ ପଢନ୍ତୁ-ପୁଣି ଚର୍ଚ୍ଚାରେ ଝାଡ଼ଖଣ୍ଡ, BJPରେ ମିଶିଲେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ

ମୟୂରଭଞ୍ଜ ଝିଅ ସୀତା ସୋରେନ ଏବଂ କଳ୍ପନା ସୋରେନ: ଜେଏମ୍ଏମ୍ ସୁପ୍ରିମୋ ଶିବୁ ସୋରେନଙ୍କ ବଡ ପୁଅ ସ୍ୱର୍ଗତ ଦୁର୍ଗା ସୋରେନଙ୍କ ପତ୍ନୀ ହେଉଛନ୍ତି ସୀତା ସୋରେନ । ହେମନ୍ତ ସୋରେନ ହେଉଛନ୍ତି ଶିବୁ ସୋରେନଙ୍କ ମଝିଆଁ ପୁଅ । ତାଙ୍କ ପତ୍ନୀ ହେଉଛନ୍ତି କଳ୍ପନା ସୋରେନ । ସୀତା ସୋରେନ ଏବଂ କଳ୍ପନା ସୋରେନ ହେଉଛନ୍ତି ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଝିଅ । ସୀତା ସୋରେନଙ୍କ ଭଳି କଳ୍ପନା ସୋରେନ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି । 21 ମେ 2009 ରେ ଦୁର୍ଗା ସୋରେନଙ୍କ ଅକାଳ ବିୟୋଗ ପରେ ସୀତା ସୋରେନଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ପଡିଲା । ସେ 3 ଥର ବିଧାୟିକା ଭାବେ ନିର୍ବାଚିତ ହୋଇସାରିଛନ୍ତି । ହେମନ୍ତ ସୋରେନ ପତ୍ନୀ କଲ୍ପନା ସୋରେନ ବିବାହ ପରେ ଜଣେ ଗୃହିଣୀ ଥିଲେ । କିନ୍ତୁ ଯେତେବେଳେ ତାଙ୍କ ସ୍ବାମୀ ଗିରଫ ହେଲେ ତାଙ୍କୁ ରାଜନୀତିକୁ ଓହ୍ଲାଇବାକୁ ପଡିଲା । ତାଙ୍କର କେବଳ ଗୋଟିଏ ସ୍ଲୋଗାନ ଅଛି ଝାଡଖଣ୍ଡ ମୁଣ୍ଡ ନୂଆଁଇବା ନାହିଁ । କିନ୍ତୁ ବିଜେପିରେ ଯୋଗଦେବା ପରେ ସୀତା ସୋରେନ କହିଥିଲେ, ଝାଡଖଣ୍ଡକୁ ନୂଆଇଁବା ଆବଶ୍ୟକ ନୁହଁ ବରଂ ଏହାକୁ ଉଦ୍ଧାର କରାଯିବା ଉଚିତ ।

ରାଜନୀତିରେ ହେମନ୍ତ ଆଗକୁ ଆଗେଇ ଚାଲିଲେ ଏବଂ ସୀତା ପଛରେ ରହିଗଲେ: ସୀତା ସୋରେନଙ୍କର ତିନି ଝିଅ ଅଛନ୍ତି, ଜୟଶ୍ରୀ, ରାଜଶ୍ରୀ ଏବଂ ବିଜୟଶ୍ରୀ । ସେହିପରି କଳ୍ପନା ସୋରେନଙ୍କର ଦୁଇ ଜଣ ପୁଅ ଅଛନ୍ତି । ଦୁର୍ଗା ସୋରେନଙ୍କ ମୃତ୍ୟୁର କିଛି ଦିନ ପରେ ହେମନ୍ତ ସୋରେନ 24 ଜୁନ 2009 ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ, କିନ୍ତୁ ରାଜନୀତିର ପ୍ରକୃତ ଯାତ୍ରା 2009 ବିଧାନସଭା ନିର୍ବାଚନରୁ ଆରମ୍ଭ ହୋଇଥିଲା । 2005ରେ ଡୁମ୍କା ସିଟ୍ ହରାଇବା ପରେ ହେମନ୍ତ ସୋରେନ 2009ରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ପରେ ଆଉ ପଛକୁ ଚାହିଁ ନଥିଲେ । ଅର୍ଜୁନ ମୁଣ୍ଡା ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ସେ କଂଗ୍ରେସର ସମର୍ଥନରେ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ । 2014 ରେ ରାଜ୍ୟରେ ରଘୁବର୍ ଦାସ ସରକାର ଗଠନ କରିଥିଲେ । ଏହାପରେ 2019 ରେ ପୁନର୍ବାର କ୍ଷମତାକୁ ଆସିଲେ ହେମନ୍ତ ସୋରେନ । କିନ୍ତୁ ଏହି ସମୟ ମଧ୍ୟରେ ଅନେକ ନିର୍ବାଚନରେ ​​ଜିତିବା ସତ୍ତ୍ୱେ ସୀତା ସୋରେନ ବିଧାୟକ ପଦବୀରୁ ଉର୍ଦ୍ଧ୍ୱରେ ଉଠିପାରି ନଥିଲେ ।

ଦଳ ପଦଳାଇବା ନେଇ 2021ରେ ସଙ୍କେତ ଦେଇଥିଲେ ସୀତା: ସୀତା ସୋରେନଙ୍କର ଦୁଇ ବଡ଼ ଝିଅ ଜୟଶ୍ରୀ ଏବଂ ରାଜଶ୍ରୀ 2021 ମସିହାରେ ବିଜୟାଦଶମୀରେ ସ୍ବର୍ଗତ ପିତା ଦୁର୍ଗା ସୋରେନଙ୍କ ନାମରେ ଏକ ସେନା ଗଠନ କରି ନିଜର ଇଚ୍ଛା ପ୍ରକାଶ କରିଥିଲେ । ତଥାପି ତାଙ୍କ କଥାକୁ ଅଣଦେଖା କରାଯାଇଥିଲା । ସୀତା ତିନି ଥର ବିଧାୟକ ହୋଇଥିଲେ ମଧ୍ୟ ମନ୍ତ୍ରୀ ପଦ ଦିଆଯାଇନଥିଲା । ସର୍ବ ପ୍ରଥମେ, ଦୁମକାରୁ ଉପ-ନିର୍ବାଚନରେ ​​ଜିତିଥିବା ଶିବ ସୋରେନଙ୍କ ସାନପୁଅ ବସନ୍ତ ସୋରେନଙ୍କୁ ଚମ୍ପାଇ ସରକାରରେ ମନ୍ତ୍ରୀ କରାଯାଇଥିଲା। ସେହି ସମୟ ମଧ୍ୟରେ ଚୁପ ରହିଥିଲେ ସୀତା । କିନ୍ତୁ ଯେତେବେଳେ କଲ୍ପନା ଜେଏମଏମ ପାର୍ଟିର ଦାୟିତ୍ବ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଲା ସେବେଳେ ଦଳ ଛାଡିବାକୁ ଭାବିଥିଲେ ସୀତା ।

ଝାଡ଼ଖଣ୍ଡ ରାଜନୀତିରେ ମୁହାଁ ମୁହିଁ ଦୁଇ ଯାଆ ! : ସୀତା ସୋରେନଙ୍କୁ ବିଜେପି କେଉଁ ଦାୟିତ୍ବ ତେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ କଳ୍ପନା ସୋରେନଙ୍କ ଦୃଷ୍ଟିକୋଣ ସ୍ପଷ୍ଟ ହୋଇଛି । ହେମନ୍ତ ସୋରେନ ସରକାରଙ୍କ ସଙ୍କଟ ସମୟରେ, JMM ବିଧାୟକ ସରଫରାଜ ଅହମ୍ମଦ ଗାଣ୍ଡେ ଆସନରୁ ଇସ୍ତଫା ଦେଇଥିଲେ । ଯାହା ଦ୍ବାରା ଜରୁରୀ ପଡିଲେ କଳ୍ପନା ସୋରେନ ନିର୍ବାଚନ ଲଢିପାରିବେ। ବର୍ତ୍ତମାନ 20 ମେରେ ଗାଣ୍ଡେ ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସେଠାରେ କ୍ରମାଗତ ଭାବରେ ସଭା କରୁଛନ୍ତି କଳ୍ପନା । କଳ୍ପନା ଏଠାରୁ ବିଧାନସଭା ନିର୍ବାଚନ ଛିଡ଼ା ହେବା ଏକପ୍ରକାର ଥୟ । ଚର୍ଚ୍ଚା ହେଉଛି କଳ୍ପନା ବିଧାୟିକା ନିର୍ବାଚିତ ହୋଇ , ଝାଡ଼ଖଣ୍ଡର ମୁଖ୍ଯମନ୍ତ୍ରୀ ଆସନରେ ବସି ପାରନ୍ତି ।

କଳ୍ପନା ଏବଂ ସୀତାଙ୍କ ମଧ୍ଯରେ ଏବେ ରାଜନୈତିକ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ଅସଲି ଲଢେଇ ସେତେବେଳେ ହେବ, ଯେତବେଳେ ସୀତା ସୋରେନ, ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଟିକେଟରେ ନିର୍ବାଚନକୁ ଓହ୍ଲାଇବେ । ଝାଡ଼ଖଣ୍ଡ ରାଜନୀତିରେ ପିତାମହ ଶିବୁ ସୋରେନ, ଏବେ ରାଜନୀତିରେ ନିଷ୍କ୍ରିୟ ଥିବା ବେଳେ, ଆଗକୁ ଦୁଇ ବୋହୂ ସୀତା ଏବଂ କଳ୍ପନାଙ୍କ ମଧ୍ୟରେ ସମ୍ଭାବ୍ୟ ଲଢ଼େଇ ଉପରେ ରହିଛି ନଜର । କାହାକୁ ମିଳିବ ଝାଡ଼ଖଣ୍ଡ ଜନତାଙ୍କ ସହାନୁଭୂତି, ତାହା ତ ପର କଥା, ତେବେ ଝାଡ଼ଖଣ୍ଡ ରାଜନୀତିରେ ଦୁଇ ଓଡ଼ିଆ ଝିଅ ଯେ, ସାମ୍ନାସାମ୍ନି ହେବାକୁ ଯାଉଛନ୍ତି, ତାକୁ ଅସ୍ବୀକାର କରିହେବ ନାହଁ ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 23, 2024, 7:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.