ଲକ୍ଷ୍ନୌ:ପାରିବାରିକ କଳହର କରୁଣ ପରିଣତି । ବାପାମାଆଙ୍କ ଝଗଡାରେ ବଳି ପଡିଲା ୩ ପିଲାଙ୍କ ଜୀବନ । ସ୍ୱାମୀ ସହ ଝଗଡ଼ା ହେବାରୁ ପିଲାମାନଙ୍କୁ ଧରି ନଦୀକୁ ଡେଇଁପଡିଲେ ମହିଳା । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ମଥୁରାର ପଞ୍ଜାବୀ ଫେଜ କଲୋନୀରୁ ।
ସୂଚନା ମୁତାବକ, ଗତ କିଛି ଦିନ ହେବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗି ରହିଥିଲା । ଏନେଇ ମହିଳା ଜଣଙ୍କ ଗତକାଲି(ସୋମବାର) ଉତ୍ତ୍ୟକ୍ତ ହୋଇ ତାଙ୍କର ତିନି ପିଲାଙ୍କୁ ଧରି ନଦୀକୁ ଡେଇଁ ପଡିଥିଲେ । ପାଟି ଶୁଣି ସ୍ଥାନୀୟ ଲୋକ ସେଠାରେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ । ବହୁ ପରିଶ୍ରମ ପରେ ମହିଳାଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା । କିନ୍ତୁ ନିରୀହ ପିଲାମାନଙ୍କ ଜୀବନ ବଞ୍ଚି ପାରିନଥିଲା । ମାଆ ଜୀବନ ବଞ୍ଚି ଯାଇଥିବା ବେଳେ ନଦୀର 3 ପିଲାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ଏନେଇ ଏସପି ସିଟି ଅରବିନ୍ଦ କୁମାର କହିଛନ୍ତି, ସହରର ପଞ୍ଜାବୀ ଫେଜ କଲୋନୀରେ ରହୁଥିବା ପୁନମଙ୍କ ସ୍ବାମୀ ହରିଓମଙ୍କ ସହିତ କିଛି ଦିନ ହେବ ବିବାଦ ଲାଗି ରହିଥିଲା । ଗତକାଲି (ସୋମବାର) ରାତିରେ ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ପୁନମ ରାତିରେ ହିଁ ତାଙ୍କର ତିନି ଶିଶୁ ଅଶିଂକା(8), ବଂଶିକା(6) ଓ ଚାରୁଙ୍କୁ(3) ନେଇ ଘରୁ ବାହାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏନେଇ ସ୍ଥାନୀୟ ବାସିନ୍ଦା ସେଠାରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ ।