ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ. କବିତାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । କବିତା ତଦନ୍ତ ସମୟରେ ସହଯୋଗ କରିପାରୁନଥିବା ବେଳେ ସନ୍ତୋଷଜନକ ଉତ୍ତର ମଧ୍ୟ ଦେଇପାରୁନଥିବା ସିବିଆଇ କୋର୍ଟଙ୍କୁ ଅବଗତ କରିଛି । ଏହାସହିତ କବିତାଙ୍କୁ 5 ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆଜି ଆବେଦନ କରିଥିବା ବେଳେ କୋର୍ଟ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତକୁ ପଠାଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା ନ୍ୟାୟିକ ହେପାଜତରେ ଥିବା ବେଳେ ସିବିଆଇ ତାଙ୍କୁ ଗରିଫ କରିଥିଲା ।
ସିବିଆଇର ଅଭିଯୋଗ ଅନୁସାରେ କବିତା ଦିଲ୍ଲୀ ଅବକାରୀ ନୀତିର ଏକ ବଡ଼ ଅଂଶ ଲାଗି ଆପ୍କୁ ବିଜୟ ନାଏରଙ୍କ ଜରିଆରେ 100 କୋଟି ଟଙ୍କା ଦେଇଥିଲେ । ଏ ନେଇ ସିବିଆଇ ହାତରେ କିଛି ହ୍ବାଟ୍ସଆପ ଚାଟ୍ ଓ ଟ୍ରାନଞ୍ଜାକ୍ସନ ଡକ୍ୟୁମେଣ୍ଟ ଲାଗିଛି । ଏଥିଲାଗି କେ. କବିତାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହିଛି ସିବିଆଇ । ଏହାସହ ସିବିଆଇ ତଦନ୍ତ ଅନୁସାରେ ସାଉଥ ଇଣ୍ଡିଆର ମଦ ବ୍ୟସାୟୀ ଶରତ ଚନ୍ଦ୍ର ରେଡ୍ଡି ନୂଆ ଅବକାରୀ ନୀତି ଅଧୀନରେ ବ୍ୟବସାୟ କରିବାରେ ସାହାୟ୍ୟ କରିବା ପାଇଁ ଗତ 2021 ମାର୍ଚ୍ଚ 16 ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ । କେଜ୍ରିୱାଲ ମଧ୍ୟ ଉକ୍ତ ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ଲାଗି ପ୍ରତିଶୃତି ଦେଇଥିଲେ । ଏ ନେଇ କବିତା ତାଙ୍କୁ ଯୋଗାଯୋଗ କରିବେ ବୋଲି କହିଥିଲେ ।
ଏହା ବି ପଢନ୍ତୁ-ED ପରେ ବାନ୍ଧିଲା CBI: ଜେଲ ଭିତରେ ପୁଣି ଥରେ ଗିରଫ ହେଲେ କବିତା