ନୂଆଦିଲ୍ଲୀ:ରାଜ୍ୟସଭାର ବିଦାୟୀ ସାଂସଦମାନଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 56 ଜଣ ସାଂସଦକୁ ବିଦାୟୀ ଅଭିଭାଷଣ ଦେବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହକୁ ପ୍ରଶଂସା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶକୁ ଯେଉଁଭଳି ଭାବେ ମାର୍ଗଦର୍ଶନ ଦେଇଥିଲେ, ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସୂଚନାଥାଉକି, କାର୍ଯ୍ୟକାଳ ସରୁଥିବା 56 ଜଣ ସାଂସଦଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ।
ମନମୋହନଙ୍କୁ ପ୍ରଶଂସା କଲେ ମୋଦି: ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ମୁଁ ଡକ୍ଟର ମନମୋହନ ସିଂହଙ୍କୁ ମନେ ପକାଇବା ପାଇଁ ଚାହେଁ । ନେତା ଏବଂ ପ୍ରତିପ୍ରକ୍ଷ ନେତା ହିସାବରେ ସେ 6 ଥର ଯୋଗଦାନ କରିଛନ୍ତି । ବିତର୍କ ମଧ୍ୟରେ ମତଭେଦ, ପାର୍ଥକ୍ୟ ଦେଖାଯିବା ସାଧାରଣ କଥା । କିନ୍ତୁ ସେ ଦେଶକୁ ଉଚିତ ମାର୍ଗଦର୍ଶନ ଦେଖାଇଛନ୍ତି । ଯେତେବେଳେ ବି ଗଣତନ୍ତ୍ର ଉପରେ ଆଲୋଚନା ହେବ ତାଙ୍କ ଅବଦାନ ବିଷୟରେ ନିଶ୍ଚିତ ଆଲୋଚନା ହେବ । " ସୂଚନାଥାଉକି, ମନମୋହନ ସିଂହ ଛଅ ଥର ସାଂସଦ ଏବଂ 2004ରୁ 2014 ଯାଏଁ ଦେଶର 13ତମ ପ୍ରଧାନମନ୍ତ୍ରୀ ଥିଲେ । ମନମୋହନ ସିଂହ, ପିଭି ନରସିଂହ ସରକାରରେ ଅର୍ଥମନ୍ତ୍ରୀ ଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶର ଅର୍ଥନୀତିରେ ଅନେକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ।
ହ୍ବିଲ ଚେୟାରରେ ଆସି ମାର୍ଗଦର୍ଶନ ଦେଇଥିଲେ:ମନମୋହନ ସିଂହଙ୍କ ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ସେ ଅନେକ ଗୃହର ମାର୍ଗଦର୍ଶନ କରିଛନ୍ତି । ଯେତେବେଳେ ସାଂସଦମାନଙ୍କ ଅବଦାନ ବିଷୟରେ ଉଲ୍ଲେଖ କରାଯିବ, ସେତେବେଳେ ସେ ଅନ୍ୟ ସାଂସଦମାନଙ୍କ ପାଇଁ ପ୍ରେରଣାଦାୟୀ ଉଦାହରଣ ସାଜିବେ । ଭୋଟ ଦେବା ପାଇଁ ମନମୋହନ ସିଂହ ହ୍ବିଲଚେୟାରରେ ଆସିଥିଲେ । ସେ ଗଣତନ୍ତ୍ରକୁ ଶକ୍ତି ଦେବା ପାଇଁ ଏଭଳି କରିଥିଲେ । ସାଂସଦ ଭାବେ ସେ ନିଜର ଦାୟିତ୍ବକୁ ସଠିକ ଭାବେ ତୁଲାଇଛନ୍ତି । "