ETV Bharat / technology

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ, ଏହା ରହିଛି କାରଣ - ELON MUSK INDIA VISIT

author img

By ETV Bharat Odisha Team

Published : Apr 20, 2024, 3:48 PM IST

Elon Musk Visit India
Elon Musk Visit India

Elon Musk Visit India: ରବିବାର ଏଲନ ମସ୍କଙ୍କ ଭାରତ ଗସ୍ତ ରହିଥିବା ବେଳେ ଏହାକୁ ସ୍ଥଗିତ କରିଛନ୍ତି । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତ ଆସିବେନି ବିଲେନିୟର ମସ୍କ । ଭାରତ ଗସ୍ତକୁ ସ୍ଥଗିତ ରଖିଲେ ଦୁନିଆର ସବୁଠୁ ବଡ ବୈଦ୍ୟୁତିକ କାର ନିର୍ମାତା ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଟେସଲାର ମାଲିକ ଏଲନ୍ ମସ୍କ । ଆସନ୍ତାକାଲି ଅର୍ଥାତ ରବିବାର ତାଙ୍କର ଭାରତ ଗସ୍ତ ରହିଥିବା ବେଳେ ଦୁଇଦିନ ଭାରତରେ ରହିବା ନେଇ ତାଙ୍କର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ତେବେ ଏହାକୁ ବର୍ତ୍ତମାନ ମସ୍କ ସ୍ଥଗିତ ରଖିବା ନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ତେବେ ଭାରତ ଗସ୍ତ ସ୍ଥିଗତ ରଖିବାର କାରଣ ମଧ୍ୟ ସେ ଜଣାଇଛନ୍ତି ।

ଏକ୍ସ ପୋଷ୍ଟରେ ସୂଚନା ଦେଲେ ମସ୍କ: ଏକ୍ସ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇ ମସ୍କ କହିଛନ୍ତି, "ଟେସଲାର କିଛି ବଡ ଦାୟିତ୍ବ ହେତୁ ମୁଁ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ବର୍ତ୍ତମାନ ସ୍ଥଗିତ ରଖୁଛି । ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଆସିବାକୁ ମୁଁ ବହୁତ ଉତ୍ସାହିତ ରହିଛି ।"

ଏହା ମଧ୍ୟ ପଢନ୍ତୁ: ଚଳିତ ମାସରେ ଭାରତ ଆସିବେ ଏଲନ ମସ୍କ; ମୋଦିଙ୍କୁ ଭେଟିବେ - Elon Musk To Visit India

ଟେସଲାର କିଛି ବଡ ଦାୟିତ୍ବ ହେତୁ ଭାରତ ଗସ୍ତକୁ ସ୍ଥଗିତ ରଖିବା ନେଇ ମସ୍କ ଘୋଷଣା କରିଛନ୍ତି । କିନ୍ତୁ କେଉଁ ଦାୟିତ୍ବ ସେ ନେଇ କୌଣସି ଖୁଲାସା କରିନାହାନ୍ତି । କିନ୍ତୁ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ଆସନ୍ତା 23 ତାରିଖରେ ଆମେରିକାରେ ଟେସଲାର ଏକ ବଡ ସମ୍ମିଳନୀ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମସ୍କ ଯୋଗଦେଇ ଟେସଲାର ପ୍ରଥମ କ୍ବାଟର ପ୍ରଦର୍ଶନ ସମ୍ବନ୍ଧୀୟ ରିପୋର୍ଟ ପ୍ରକାଶ କରିବାର ଆବଶ୍ୟକତା ରହିଛି । ତେଣୁ ଆସନ୍ତା 21 ଏବଂ 22ରେ ଭାରତରେ ରହିଥିଲେ 23 ତାରିଖରେ ଆମେରିକାର ସମ୍ମିଳନୀରେ ଯୋଗ ଦେଇପାରି ନଥାନ୍ତେ ମସ୍କ । ଏହି କାରଣ ହେତୁ ସେ ଭାରତ ଗସ୍ତକୁ ସ୍ଥଗିତ ରଖି ଥାଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ରହିଥିଲା କାର୍ଯ୍ୟକ୍ରମ: ପ୍ରକାଶଥାଉକି, ବିଲେନିୟର ଏଲନ ମସ୍କ ଆସନ୍ତାକାଲି ଦୁଇଦିନିଆ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିଲା । ଟେସଲା ମୁଖ୍ୟ ମସ୍କ ଭାରତ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେବାର କାର୍ଯ୍ୟକ୍ରମ ରହିଥିଲା । ଏନେଇ ସେ ଖୋଦ ଏକ୍ସରେ ସୂଚନା ଦେଇଥିଲେ । ଭାରତରେ ମସ୍କ ପୁଞ୍ଜି ବିନିଯୋଗ କରିବା ଏବଂ ଟେସଲାର ଏକ ନୂତନ କାରଖାନା ପ୍ରତିଷ୍ଠା ପାଇଁ ଆଲୋଚନା କରିବା ଏହି ଭେଟଘାଟର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଚର୍ଚ୍ଚା ହେଉଥିଲା। ଟେସଲା ଏବେ ସକ୍ରିୟ ଭାବେ ଭାରତର ବିଭିନ୍ନ ସ୍ଥାନରେ ସର୍ବେକ୍ଷଣ କରୁଛି, ଯାହାମଧ୍ୟରେ ଗୁଜୁରାଟ ଏବଂ ମହାରାଷ୍ଟ୍ର କମ୍ପାନୀର ପସନ୍ଦଯୋଗ୍ୟ ସ୍ଥାନ ହୋଇଥିବା ରିପୋର୍ଟରେ ଦାବି କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.